Home କେନ୍ଦୁଝର ଗିରିଗାଁ ଗ୍ରାମବାସୀଙ୍କ ପାଇଁ ଅଭିଷାପ ପାଲଟିଛି ବାଲିଘାଟ

ଗିରିଗାଁ ଗ୍ରାମବାସୀଙ୍କ ପାଇଁ ଅଭିଷାପ ପାଲଟିଛି ବାଲିଘାଟ

54

ହାଟଡିହି-୨୨/ ୬ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତ ଗିରିଗାଁ ଗ୍ରାମବାସୀଙ୍କ ପାଇଁ ଅଭିସାପ ପାଲଟିଛି ଗିରିଗାଁ ବାଲିଘାଟ । ଏହି ବାଲିଘାଟ ଯୋଗୁଁ ଗାଁକୁ ଯାଇଥିବା ଏକମାତ୍ର ରାସ୍ତାଟି ୫ବର୍ଷ ପାଇଁ ମରଣଯନ୍ତା ପାଲଟିଥିଲେବି ଆଜି ପର୍ଯ୍ୟନ୍ତ ଏହି ରାସ୍ତାଟି ନିର୍ମାଣ କରାଯାଇପାରିଲା ନାହିଁ । ଅଥଚ ପୁନର୍ବାର ଏହି ବାଲିଘାଟକୁ ତହସିଲ ପକ୍ଷରୁ ନିଲାମ ଦିଆ ସରିଲାଣି । ଯାହାକୁନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାଯାଇଛି ଯେ ଗିରିଗାଁ ଗ୍ରାମରେ ୨ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଗାଁକୁ ଯିବା ଆସିବାପାଇଁ ଗୋଟିଏ ମାତ୍ର ରାସ୍ତା ଅଛି । ଯାହାକି ବାହାରିପୁର ଛକ ଠାରୁ ତେଲସିଙ୍ଗା ପର୍ଯ୍ୟନ୍ତ ଯାଇଛି । ଏହି ରାସ୍ତା ଉପର ଦେଇ ଗିରିଗାଁ ତେଲସିଙ୍ଗା ଆଦି ଗ୍ରାମର ତିନିହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ରାସ୍ତାଟି ଗତ ୫ବର୍ଷ ତଳେ ଗ୍ରାମ୍ୟ ଊଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । ମାତ୍ର ହାଟଡିହି ତହସିଲ ପକ୍ଷରୁ ଗିରିଗାଁ ବାଲିଘାଟକୁ ୫ବର୍ଷୀୟା ନିଲାମ ଦେବାପରେ ଦିନରାତି ବାଲି ପରିବହନ କରାଯିବା ଯୋଗୁଁ ରାସ୍ତାଟି ଗୋଟିଏ ବର୍ଷ ଭିତରେ ପୁର୍ବ ଅବସ୍ଥାକୁ ଫେରିଆସିଥିଲା । ଏପରିକି ପିଚୁ ରାସ୍ତାର ଚିହ୍ନବର୍ଣ୍ଣ ମଧ୍ୟ ରହିଲାନି । କେଉଁଠି ଫୁଟେ ତ ଆଉ କେଉଁଠି ଦୁଇ ରୁ ତିନିଫୁଟ ପର୍ଯ୍ୟନ୍ତ ଖାଲଖମାରେ ରାସ୍ତାଟି ଭରିଯାଇଥିଲା । ବାଲିଘାଟ ନେଇଥିବା ଲିଜଧାରୀ ତାଙ୍କର ବାଲିବୋଝେଇ ଗାଡି ଯାତାୟତରେ ଅସୁବିଧା ହେବାରୁ ସେ ରାସ୍ତାଟିକୁ ମେଣ୍ଟଲ ଓ ବାଲିଦ୍ୱାରା ପୋତି ବାଲି ପରିବହନର ବ୍ୟବସ୍ଥା କରାଇଲେ । କିନ୍ତୁ ଗାଁ ଲୋକଙ୍କ ଅବସ୍ଥା ବୁଝିବାକୁ କେହି ନାହିଁ । ଗାଁ ମୁଣ୍ଡରେ ଥିବା ହାଇସ୍କୁଲକୁ ଯିବା ଆସିବା ପାଇଁ ଛାତ୍ରଛାତ୍ରୀ ମାନେ ଭୋଗୁଥିବା ଅବସ୍ଥା କହିଲେ ନସରେ । ଅନେକ ସମୟରେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ମାନେ ଦୁର୍ଘଟଣାର ଶୀକାର ମଧ୍ୟ ହେଲେ । ଗାଁ ଭିତରକୁ ଆମ୍ବୁଲାନ୍‌ସ କିମ୍ବା ଦମକଳ ଟିଏ ଯିବାକୁ ମଧ୍ୟ ରାଜି ହେଉ ନାହିଁ । ଏନେଇ ଗାଁ ଲୋକମାନେ ବହୁବାର ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ପାଇପାରିଲେ ନାହିଁ । ଇତିମଧ୍ୟରେ ପ୍ରଥମ ବାଲିଘାଟର ପାଞ୍ଚବର୍ଷୀୟା ନିଲାମ ଅବଧି ସମ୍ପୁର୍ଣ୍ଣ ହେବାପରେ ତହସିଲ ପକ୍ଷରୁ ପୁନର୍ବାର ଏହି ଘାଟକୁ ନିଲାମ ଦେଇ ରାଜସ୍ୱ ଆଦାୟ ପାଇଁ ଅଣ୍ଟା ଭିଡିଥିବାବେଳେ ରାସ୍ତାଟି କିଏ ଓ କିପରି ନିର୍ମାଣ କରାଯିବ ଓ ଗାଁ ଲୋକମାନେ କିପରି ସୁଚାରୁରୁପେ ଯାତାୟତ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏଠାରେ ବାଲିଘାଟ ଚାଲିଲେ ବାଲିଗାଡିର ଧୁଳି ଦୂଆଁରେ ଗାଁ ଲୋକେ ଅତିଷ୍ଠ ହୋଇଯିବା ସହ ଯାହାଫଳରେ ଗିରିଗାଁ ଓ ତେଲସିଙ୍ଗା ଗ୍ରାମର ଗ୍ରାମବାସୀମାନେ ସେମାନଙ୍କ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ଏହି ବାଲିଘାଟ ରୁ ବାଲି ଉତ୍ତୋଳନ ଓ ପରିବହନ କରିବାକୁ ଅନୁମତି ଦେବାପୁର୍ବରୁ ବାହାରିପୁର- ଗିରିଗାଁ ରାସ୍ତା ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବିି କରିଛନ୍ତି । ନଚେତ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.