Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ପୁଲୱାମା ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଗାନ୍ଧୀ ବାଳାଶ୍ରମରେ ପୁଲୱାମା ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

88

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ୪୦ ଜଣ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗାନ୍ଧୀ ବାଳାଶ୍ରମ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସମ୍ପାଦକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ରେଲ୍‌ୱେ ପୋଲିସର ଭାରପ୍ରାପ୍ତ ଅଧିକାରୀ ବିକାଶ କୁମାର ସିଂ, ସମ୍ମାନିତ ଅତିଥି ଭାବରେ ପ୍ରୀତି ସିଂ, ଆସିଆନାର ନିର୍ଦ୍ଦେଶିକା ସୋଫିଆ ସେକ୍‌, ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସଂଯୋଗର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟା ସିଂ, ଜଗନ୍ନାଥ ସାହୁ, ମନୋରଂଜନ ସାହୁ, ରୁପାଲି ମହାନ୍ତି ଆଦି ଯୋଗଦାନ କରିଥିଲେ। ଅମର ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ୪୦ ଗୋଟି ଦୀପ ଅତିଥିମାନଙ୍କ ଦ୍ୱାରା ପ୍ରଜ୍ଜଳନ କରାଯିବା ପରେ ଏକ ଶୋଭାଯାତ୍ରା ନିକଟବର୍ତ୍ତୀ ଗ୍ରାମ ପରିକ୍ରମା କରିଥିଲା। ସଭା ପ୍ରାରମ୍ଭରେ ଅମର ସହିଦ୍ ଯବାନମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା ଓ ଅନ୍ତେବାସୀଙ୍କ ଦ୍ୱାରା ଦେଶାତ୍ମକବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଭାରତ ମାତାର ସୁରକ୍ଷା ପାଇଁ ଆତ୍ମବଳୀ ଦେଇଥିବା ବୀର ଯବାନ ମାନେ ଭାରତର ପ୍ରତ୍ୟେକଙ୍କ ହୃଦୟରେ ସ୍ମରଣୀୟ ଓ ବନ୍ଦନୀୟ ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆତଙ୍କବାଦୀଙ୍କ ଏପରି ଘୃଣ୍ୟ ଓ ବର୍ବରଚିତ କାର୍ଯ୍ୟକୁ ଦୃଢ଼ ନିନ୍ଦା କରାଯାଇଥିଲା। ଭାରତବର୍ଷର ସୁରକ୍ଷା ଓ ଅଖଣ୍ଡତା ପ୍ରତି ବିପଦ ଆସିଲେ ପ୍ରତ୍ୟେକ ବ୍ୟକ୍ତି ଆତ୍ମବଳୀ ଦେବାକୁ ପ୍ରସ୍ତୁତ ରହିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଳାଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ସଭା ଶେଷରେ ଅଧୀକ୍ଷକ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.