Home ଓଡ଼ିଶା ଗାଁ କୁ ରାସ୍ତା ପାଇଁ ବାଧକ ସାଜୁଛି ଜଙ୍ଗଲ ଜମି ପାହାଡ ଚଢି ହେଉଛି ଯାତାୟତ

ଗାଁ କୁ ରାସ୍ତା ପାଇଁ ବାଧକ ସାଜୁଛି ଜଙ୍ଗଲ ଜମି ପାହାଡ ଚଢି ହେଉଛି ଯାତାୟତ

40

ନୟାଗଡ/୦୩/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଲୋକଙ୍କୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତଆଲୋକ ଓ ଶିକ୍ଷା ଦେବାପାଇଁ ପ୍ରତିଶୃତି ବଦ୍ଧ ହୋଇ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଯୋଜନା ଯୋଜନା ବାଟରେ ରହିଯାଉଛି । ଯାହାଫଳରେ ସ୍ୱାଧିନତାର ୭୩ ବର୍ଷ ପରେ ମଧ୍ୟ ଅନେକ ଗାଁ କୁ ରାସ୍ତା ନାହିଁ । ଯାହାଫଳରେ ଲୋକମାନେ ପାହାଡ ଚଢି ଗ୍ରାମ ପଞ୍ଚାୟତକୁ ଯାତାୟତ କରୁଛନ୍ତି । ସେଭଳି ଏକ ଗାଁ ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ନୂଆ ବେତୁଲି ଗାଁ । ଏହି ଗ୍ରାମରେ ଦୀର୍ଘ ବର୍ଷ ହେଲା ଦଶଗୋଟି ପରିବାର ବାସ କରନ୍ତି । ମୁଖ୍ୟ ରାସ୍ତା କୁ ଯିବାକୁ ହେଲେ ଏକ କିଲୋ ମିଟର ରାସ୍ତା ପାହାଡ ଚଢି ଜଙ୍ଗଲ ଦେଇ ଯିବାକୁ ପଡେ । ସ୍କୁଲ୍ ପିଲାମାନେ ସ୍କୁଲ୍ ଯିବା ସମୟରେ ଜଙ୍ଗଲ ଜନ୍ତୁଙ୍କ ହାବୁଡରେ ପଡିଥାନ୍ତି । ଗାଁ କୁ ଗାଡି ନଯିବା ଯୋଗୁଁ ପ୍ରସୁତି ମହିଳା ମାନଙ୍କୁ ଦୋଳାରେ ଟେକି ମୁଖ୍ୟ ରାସ୍ତା କୁ ଆଣିବାକୁ ପଡିଥାଏ । ଗ୍ରାମବାସୀ ମାନେ ନାହିଁ ନଥିଲା ଅସୁବିଧା ଭୋଗ କରିଥାନ୍ତି ।

ଏ ସର୍ମ୍ପକେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଙ୍କୁ ଯୋଗା ଯୋଗ କରିବାରେ କୁହନ୍ତି ଯେ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତକୁ ମୁଖ୍ୟରାସ୍ତା ନିର୍ମାନ ହୋଇସାରିଛି । ଗ୍ରାମ୍ୟରାସ୍ତା ନିର୍ମାଣ ପାଇଁ ପ୍ରତିବର୍ଷ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଉଅଛି । ସରପଞ୍ଚ ନୂଆ ବେତୁଲି କୁ ରାସ୍ତା ନିର୍ମାଣ କରିବା କଥା  । ଏ ସମ୍ପର୍କେ ବନ୍ଧମୁଣ୍ଡା ସରପଞ୍ଚ ଅଜୟ କୁମାର ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ନୂଆ ବେତୁଲି କୁ ରାସ୍ତା ପାଇଁ ଜଙ୍ଗଲ ଜମି ପଡୁଅଛି । ବନ ବିଭାଗର ଅନୁମତି ମିଳୁନାହିଁ । ରଣପୁର ରେଞ୍ଜର ଶରତ କୁମାର ଶତପଥି ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରଣପୁର ବ୍ଲକ ତରଫରୁ ରାସ୍ତା ପାଇଁ ଜଙ୍ଗଲ ଜମି ଅଧିକାର ଆଇନ୍ ଫର୍ମରେ ଆବେଦନ କଲେ ରାସ୍ତା ପାଇଁ ଜମି ଯୋଗାଇ ଦେବାରେ କିଛି ଅସୁବିଧା ନାହିଁ । ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.