Home ଜିଲ୍ଲା ପରିକ୍ରମା ଗାଁ କଲ୍ୟାଣ ସମିତି ଶିଶୁ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ, ଶିଶୁ ପାଇଁ ଦିନଟିଏ, ଜିଲ୍ଲାସ୍ତରୀୟ ଶିଶୁ...

ଗାଁ କଲ୍ୟାଣ ସମିତି ଶିଶୁ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ, ଶିଶୁ ପାଇଁ ଦିନଟିଏ, ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମୀକ୍ଷା ବୈଠକ

105

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଭିକ୍ଷୁକ ଭଳି ସାମାଜିକ ସମସ୍ୟା ପ୍ରତିକାର ନେଇ ସଂପୃକ୍ତ ବିଭାଗ ମାନଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଓ ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଭଦ୍ରକ ପାଇଁ ନିଆଯିବାକୁ ଥିବା ନୂତନ କାର୍ଯ୍ୟଧାରା ଆଦି ସମ୍ବନ୍ଧରେ ଗତକାଲି ୨୧.୯.୨୦୨୨ ବୁଧବାର ସନ୍ଧ୍ୟାରେ ସଦ୍‌ଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁଦର୍ଶନ ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ପ୍ରମୁଖ ଯୋଗ ହୋଇଥିଲେ। ବାଲ୍ୟ ବିବାହ ହେଉକି ଶିଶୁ ଶ୍ରମିକ ଭଳି ସମସ୍ୟାର ମୂଳୋତ୍ପାଟନ ପାଇଁ ମୁଖ୍ୟତ ୩ଟି ଦିଗରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମରେ ସଚେତନତା, ଦ୍ୱିତୀୟରେ ଧରପଗଡ଼ ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ତୃତୀୟରେ ଗୁଇନ୍ଦା ଭିତ୍ତିରେ ତଥ୍ୟ ସଂଗ୍ରହ ଆଧାରରେ କାର୍ଯ୍ୟଧାରା ଜାରି ରଖିବାକୁ ବୁଝାଇଥିଲେ। ଏହି ଯୋଜନା ପାଇଁ କାର୍ଯ୍ୟ କରୁଥିବା ସରକାରୀ କି ବେସରକାରୀ ଅନୁଷ୍ଠାନ ଜରିଆରେ ସମସ୍ତ ଜନପ୍ରତିନିଧି ପୋଲିସ ଅଙ୍ଗନବାଡ଼ି କର୍ମୀ, ବିଶେଷ କରି ଶିକ୍ଷା ବିଭାଗ ଦ୍ୱାରା ସ୍ୱତନ୍ତ୍ର କ୍ଲାସ ଓ ପାଠ୍ୟକ୍ରମ ଜରିଆରେ ଅଧ୍ୟୟନ ରତ କିଶୋର କିଶୋରୀମାନଙ୍କୁ ସଚେତନ କରାଯିବାର ଆବଶ୍ୟକ ଅଛି ବୋଲି କହିଥିଲେ।

ବିଭାଘର କରାଯାଉଥିବା ଜିଲ୍ଲାର ବିଭିନ୍ନ ମନ୍ଦିର ପୂଜକମାନଙ୍କୁ ନେଇ ଅତୀତରେ ସଚେତନ କରାଯାଇଥିଲା ଭଳି ଏବେ କଲ୍ୟାଣ ମଣ୍ଡପ ମାଲିକ, ଟେଣ୍ଟହାଉସ ମାଲିକ, ଏପରିକି ବାହାଘର କାର୍ଯ୍ୟରେ ନିୟୋଜିତ ହେଉଥିବା ଗାଡ଼ି ଡ଼୍ରାଇଭର ଆଦିମାନଙ୍କୁ ନେଇ ସଚେତନତା ବୈଠକ ଆୟୋଜନ ପାଇଁ ମତ ପ୍ରକାଶ ପାଇଥିଲା। ଗ୍ରାମାଞ୍ଚଳ ହେଉକି ସହରାଞ୍ଚଳ ଗୁଇନ୍ଦା ଭିତ୍ତିରେ ଏ ସଂକ୍ରାନ୍ତୀୟ ଖବର ସଂଗ୍ରହ କରି ଧରପଗଡ଼ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ସଚେତନତା ଓ ଧରପଗଡ଼ ଦୁଇଟି ଯାକ କାର୍ଯ୍ୟ ଜାରି ରହିବା ଆବଶ୍ୟକ। ଚଳିତ ବର୍ଷ ୩୪ଟି ବାଲ୍ୟବିହାକୁ ରୋକାଯାଇ ପାରିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଚାନ୍ଦବାଲି ବ୍ଲକରେ ଚାଇଲଡ଼୍ ଲାଇନ୍ ଓ ଆଇ.ସି.ଡ଼ି.ଏସ୍‌. କର୍ମଚାରୀଙ୍କ ଦ୍ୱାରା ସର୍ବାଧିକ ବାଲ୍ୟ ବିବାହ ରୋକାଯାଇପାରିଛି। ଗ୍ରାମସ୍ତରରେ ଗାଁ କଲ୍ୟାଣ ସମିତିକୁ ଶିଶୁ ସୁରକ୍ଷା କମିଟି ଭାବରେ ମନୋନୀତ କରାଯାଇଥିବାରୁ ଏହାର କାର୍ଯ୍ୟ ପରିସରକୁ ବୃଦ୍ଧି କରାଯିବା ନିମନ୍ତେ ନିରନ୍ତର ପ୍ରୟାସ ଆବଶ୍ୟକ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଚାଇଲଡ଼୍ ଲାଇନ୍‌ର ସମ୍ପାଦିକା ସୋଫିଆ ସେଖ୍ ସଚେତନତା ଉଦ୍ଦେଶ୍ୟରେ କାଜି ମାନଙ୍କୁ ନେଇ ଏକ ବୈଠକ ପାଇଁ ପ୍ରସ୍ତାବ ରଖିଥିଲେ। ସୂଚନାଯୋଗ୍ୟ କି ଏହି ଯୋଜନା ଓ କାର୍ଯ୍ୟକ୍ରମକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ପ୍ରତି ତିନିମାସ ଅନ୍ତରରେ ମାସର ୧୬ ତାରିଖରେ ନିୟମିତ ଭାବେ ଏହି ସମୀକ୍ଷା ବୈଠକ ଆୟୋଜିତ ହେବ। ୧୬ରେ ଛୁଟିଥିଲେ ପରଦିନ ୧୭ କିମ୍ବା ୧୭ ଛୁଟିଥିଲେ ୧୮ରେ ଅନୁଷ୍ଠିତ ହେବ ବୋଲି ନିର୍ଦ୍ଧାରଣ କରାଯାଇଛି। ଅର୍ଥାତ୍ ଜାନୁୟାରୀ ୧୬, ଏପ୍ରିଲ ୧୬, ଜୁଲାଇ ୧୬ ଓ ଅକ୍ଟୋବର ୧୬ରେ ଏହି ବୈଠକ ଅନୁଷ୍ଠିତ ହେବ। ବାଲ୍ୟ ବିହାହ ନିଷେଧ ଯୋଜନା ର ଜିଲ୍ଲା ସଂଯୋଜକ ଅସୀମ ଅମିତାଭ ଦାସ ଏହି ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଜୟନ୍ତ ଜେନା, ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ଏ ଯୋଜନା ନେଇ କାର୍ଯ୍ୟରତ ଅନ୍ୟ ଅଧିକାରୀ କର୍ମଚାରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.