Home ଜିଲ୍ଲା ପରିକ୍ରମା ଗଣେଶ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଗଣେଶ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

44

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେବାକୁ ଥିବା ଆଗାମୀ ଗଣେଶ ପୂଜା ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରଶାସିନକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍‌.ପି. ଚରଣ ସିଂ ମୀନା ଏହି ବୈଠକରେ ଯୋଗ ଦେଇ ପୂଜା ଆରମ୍ଭ ଠାରୁ ଭସାଣି ପର୍ଯ୍ୟନ୍ତ ସମଗ୍ର କାର୍ଯ୍ୟକ୍ରମ ନେଇ ସମସ୍ତ ପୂଜା କମିଟି ଓ ଶାନ୍ତି କମିଟି ସଦସ୍ୟମାନଙ୍କ ମତାମତ ଆଧାରରେ ଟିକିନିଖି ସମୀକ୍ଷା କରିଥିଲେ। ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଦୁଇବର୍ଷର କୋଭିଡ଼୍ କଟକଣା ପରେ ଚଳିତ ବର୍ଷର ଗଣେଶ ପୂଜା କଳସ ଶୋଭାଯାତ୍ରା, ଭସାଣି ଶୋଭାଯାତ୍ରା, ବନ୍ଧୁ ମିଳନ, ଭଜନ ସମାରୋହ ଆଦି କାର୍ଯ୍ୟକ୍ରମ ନେଇ ଆଡ଼ମ୍ବରରେ ପାଳିତ ହେବାକୁ ଥିବାରୁ ସେ ନେଇ ବୈଠକରେ ସୁବିସ୍ମୃତ ଆଲୋଚନା କରାଯାଇଥିଲା। ବୁଢ଼ା ଗଣେଶ, ଟୋକାଗଣେଶ, ପିଲା ଗଣେଶ, ଛୁଆ ଗଣେଶ, କାଞ୍ଚନ ଗଣେଶ ଏହି ୫ଟି ମଣ୍ଡପରେ ପ୍ରାୟ ଏକ ମାସ ଧରି ଚିରାଚରିତ ପ୍ରଥା ଅନୁଯାୟୀ ଗଣେଶ ପୂଜା ପାଇବେ। କାଳିପୂଜା ପାଇଁ ପ୍ରସିଦ୍ଧ ଭଦ୍ରକରେ ଏବେ ଗଣେଶ ପୂଜା ବି ଗଣପର୍ବରେ ପରିଣତ ହେଲାଣି ବୋଲି ମତ ପ୍ରକାଶ ପାଇଥିଲା।

ଭସାଣି ଶୋଭାଯାତ୍ରା ପୂର୍ବରୁ ପୁରୁଣା ବଜାର ରାସ୍ତା ମରାମତି ସହ ଅନାବଶ୍ୟକ ଓ ଉଦ୍ଦେଶ୍ୟମୂଳକ ଭାବେ ତିଆରି କରାଯାଇଥିବା ହମ୍ପସ୍ ଗୁଡ଼ିକ ଉଚ୍ଛେଦ ପାଇଁ ସମସ୍ତ ପୂଜାକମିଟି ତଥା ମୁସଲିମ୍ ଜମାତର କର୍ମକର୍ତ୍ତାମାନଙ୍କ ତରଫରୁ ଜିଲ୍ଲା ପ୍ରଶାସନ ପାଖରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା। ମେଢ଼ ବିସର୍ଜନ ହେବାକୁ ଥିବା ନଦୀଘାଟ ବ୍ୟତୀତ ଶୋଭାଯାତ୍ରା ରାସ୍ତାରେ ବାଣ ଫୁଟାଇବାକୁ ନିଷେଦ୍ଧ କରାଗଲା। ଶୋଭାଯାତ୍ରାରେ ଡ଼ି.ଜେ. ବ୍ୟବହାର ନକରିବାକୁ ମଧ୍ୟ ପ୍ରଶାସନ ତରଫରୁ ଅନୁରୋଧ କରାଗଲା। ପୂଜା ମଣ୍ଡପମାନଙ୍କରେ ଅଗ୍ନି ନିରୋଧ ବ୍ୟବସ୍ଥା, ସଠିକ୍ ବୈଦ୍ୟୁତିକ ବ୍ୟବହାର ପ୍ରମାଣପତ୍ର, ପରିଚୟ ପତ୍ର ଧାରୀ ସ୍ୱେଚ୍ଛାସେବକ ଆଦି ବ୍ୟବସ୍ଥା ନେଇ କର୍ମକର୍ତ୍ତାମାନେ ପ୍ରଶାସନକୁ ଅବଗତ କରାଇବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା। ବିସର୍ଜନ ଘାଟ ସଫେଇ, ଆଲୁଅ ନଥିବା ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା, ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ। ଡ଼ି.ଆଇ.ବି ର ଡ଼ି.ଏସ୍‌.ପି. କମଳ ଲୋଚନ ଭୂୟାଁ ପୂଜା ଆରମ୍ଭରୁ ଭସାଣି ପର୍ଯ୍ୟନ୍ତ ଜିଲ୍ଲାରେ ପୋଲିସ ବ୍ୟବସ୍ଥା ସହ ପୂଜା ମଣ୍ଡପମାନଙ୍କ ପକ୍ଷରୁ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ଉପସ୍ଥାପନ କରିଥିଲେ। ସେପ୍ଟେମ୍ବର ୨୮ରେ ବୁଢ଼ା ଗଣେଶଙ୍କ ଓ ୨୯ରେ ପିଲା ଗଣେଶଙ୍କ ଭସାଣି ଥିବା ବେଳେ ୩୦ରେ ଭସାଣି ପାଇଁ ତାରିଖ ସ୍ଥିର କରାଯାଇଥିବା ଅନ୍ୟମେଢ଼଼ ଗୁଡ଼ିକୁ ଦୁର୍ଗାପୂଜା ପାଇଁ ସେପ୍ଟେମ୍ବର ୨୮ ପୂର୍ବରୁ ଭସାଣି ପାଇଁ ପୋଲିସ୍ ପ୍ରଶାସନ ତରଫରୁ ପରାମର୍ଶ ପ୍ରଦାନ କରାଯାଇଥିଲା। ଶେଷରେ ଉପଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିବା ସହିତ ପୂଜାରେ ମୃତ୍ତିକା ଓ ଜଳ ପ୍ରଦୂଷଣ ନିରୋଧୀ ଦ୍ରବ୍ୟ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.