Home ଜିଲ୍ଲା ପରିକ୍ରମା ମୋଚି ଛକ-ଭଦ୍ରକାଳୀ ରାସ୍ତାର ପୁନରୁଦ୍ଧାର ପ୍ରସଙ୍ଗ, ଜିଲ୍ଲାପାଳ କଂଗ୍ରେସ ପ୍ରତିନିଧିମଣ୍ଡଳ ମଧ୍ୟରେ ଆଲୋଚନା

ମୋଚି ଛକ-ଭଦ୍ରକାଳୀ ରାସ୍ତାର ପୁନରୁଦ୍ଧାର ପ୍ରସଙ୍ଗ, ଜିଲ୍ଲାପାଳ କଂଗ୍ରେସ ପ୍ରତିନିଧିମଣ୍ଡଳ ମଧ୍ୟରେ ଆଲୋଚନା

25

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଚେରୀ ବଜାର ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହି ପ୍ରସଙ୍ଗରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ଆଲୋଚନା କରିଛନ୍ତି। ଉକ୍ତ ପ୍ରତିନିଧିମଣ୍ଡଳୀ ଉକ୍ତ ରାସ୍ତାର ଗୁରୁତ୍ୱ ବହୁତ ରହିଛି ବୋଲି ଦର୍ଶାଇଥିଲେ। ବିଶେଷକରି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠକୁ ଯାଇଥିବା ଉକ୍ତ ରାସ୍ତା ଯୋଗୁଁ ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନରୁ ବଞ୍ଚିତ ହେଉଥିବା ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିବା ଶ୍ରୀ ମହାନ୍ତି କହିଥିଲେ। ଏହାବ୍ୟତୀତ କଂଗ୍ରେସ ଏହି ପ୍ରସଙ୍ଗରେ ଦୀର୍ଘ ୩ ବର୍ଷ ହେଲା ଆନ୍ଦୋଳନ କରି ଆସୁଛି। ତେଣୁ ଜବରଦଖଲ ଉଛେଦ କରି ଉକ୍ତ ରାସ୍ତାର ପୁନରୁଦ୍ଧାର ପାଇଁ ତୁରନ୍ତ ପ୍ରଶାସନ ପଦକ୍ଷେପ ନେଉ ବୋଲି ଶ୍ରୀ ମହାନ୍ତି ଦାବି କରିଥିଲେ। ଆଲୋଚନା ସମୟରେ ଜିଲ୍ଲାପାଳ ଶ୍ରୀ ବୋନ୍ଦର ଉକ୍ତ ରାସ୍ତାର ବହୁ ଗୁରୁତ୍ୱ ରହିଥିବା ସ୍ୱିକାର କରିଥିଲେ। ଏହାର ପୁନରୁଦ୍ଧାର ପାଇଁ ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବରୁ ଉକ୍ତ ରାସ୍ତାର ଟେଣ୍ଡର ନେଇଥିବା ଠିକାଦାର ଉଚ୍ଚ ନ୍ୟାୟାଳୟରେ ଯେଉଁ ମାମଲା ରୁଜ୍ଜୁ କରିଥିଲେ, ତାହା ଇତିମଧ୍ୟରେ ଖାରଜ ହୋଇ ସାରିଛି। ତେଣୁ ପୂର୍ବରୁ ହୋଇଥିବା ଟେଣ୍ଡର ଇତିମଧ୍ୟରେ ବାତିଲ ହୋଇଛି ଓ ଖୁବଶୀଘ୍ର ଉକ୍ତ ରାସ୍ତା ପାଇଁ ନୂଆ ଟେଣ୍ଡର ବର୍ଷା ଦିନ ପରେ ଆହ୍ୱାନ କରାଯିବ।

ଖୁବଶୀଘ୍ର ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହେବ ଓ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଶ୍ରୀ ବୋନ୍ଦର ଉକ୍ତ ପ୍ରତିନିଧିମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେଣୁ କୌଣସି ପ୍ରକାର ଆନ୍ଦୋଳନାତ୍ମକ ପନ୍ଥା ନ ଆପଣେଇ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରା ବୋନ୍ଦର ଉକ୍ତ ପ୍ରତିନିଧିମଣ୍ଡଳଙ୍କୁ କହିଥିଲେ। ଜିଲ୍ଲାପାଳଙ୍କ ଏହି ପ୍ରତିଶ୍ରୁତି ପରେ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିବା ଶ୍ରୀ ମହାନ୍ତି ପ୍ରସ୍ତାବିତ ରାସ୍ତାରୋକ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରହିବ ବୋଲି କହିଛନ୍ତି। ଉକ୍ତ ପ୍ରତିନିଧିମଣ୍ଡଳରେ ବରିଷ୍ଠ ନେତା ତଥା ନଗର କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାନ, ବରିଷ୍ଠ ନେତା ଆଶ୍ରଫ ଅଲ୍ଲୀ ଖାନ, ରାଜନ ଲାହା, ବିଜୟ ବାରିକ, ଇଲ୍ଲୀୟାସ ଅଲ୍ଲୀ ଖାନ, ରଂଜନ ଯେନା, ସଂଗ୍ରାମ ସାହୁ ପ୍ରମୁଖ ସାମିଲ ଥିଲେ। ଏଠାରେ ସୂଚନାଯୋଗ୍ୟ ଉକ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ପୁନରୁଦ୍ଧାର ନେଇ କଂଗ୍ରେସ ଗତ ୩ ବର୍ଷ ଧରି କଡା ଆଭିମୁଖ୍ୟ ଗ୍ରହଣ କରି ଆସିଛି। ହଳଦୀଡିହ ବାଇପାସ ଓ ପୁରୁଣାବଜାର ତିନି ଛକି ଠାରେ କଂଗ୍ରେସ ପକ୍ଷରୁ ଦୀର୍ଘ ସମୟ ଧରି ପୂର୍ବରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ସେହି ସମୟରେ ଉକ୍ତ ରାସ୍ତାର ପୁନଃ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍‌ୟ ଏହା କାର୍ଯ୍ୟକାରୀ ନ ହେବାରୁ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ୨ଦିନ ପୂର୍ବେ କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଯଦି ୧୫ ଦିନ ମଧ୍ୟରେ ପ୍ର୍ରଶାସନ ନିଜର ପ୍ରତିଶ୍ରୁତି ରକ୍ଷା କରି କାର୍ଯ୍ୟ ଆରମ୍ଭ ନକରେ, ତେବେ ଦଳ ପକ୍ଷରୁ କଚେରୀ ବଜାର ରାସ୍ତାକୁ ଅବରୋଧ କରାଯିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଭଦ୍ରକ ବିଧାନସଭା କଂଗ୍ର୍ରେସ ନେତା ନଳିନୀ ମହାନ୍ତି ଚେତାବନୀ ଦେଇଥିଲେ। ଏହିକ୍ରମରେ ଜିଲ୍ଲାପାଳ ଶ୍ରୀ ବୋନ୍ଦର କଂ;ଗ୍ରସ ପ୍ରତିଧିମଣ୍ଡଳଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.