Home ଜିଲ୍ଲା ପରିକ୍ରମା ଖୋଲୁନି ଜିଲା ଯୋଜନା ବୋର୍ଡ କାର୍ଯ୍ୟାଳୟ : ନୂଆ ବଜେଟ୍ ଆସୁନି, ବିକାଶ ଶୂନ

ଖୋଲୁନି ଜିଲା ଯୋଜନା ବୋର୍ଡ କାର୍ଯ୍ୟାଳୟ : ନୂଆ ବଜେଟ୍ ଆସୁନି, ବିକାଶ ଶୂନ

107

ଭଦ୍ରକ ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାର ବ୍ଲକ୍‌ସ୍ତର ଓ ପଂଚାୟତ ସ୍ତରରେ ଉନ୍ନୟନ ମୂଳକ କାମ ସହ ସବୁ ବିଭାଗ ପାଇଁ ଆର୍ଥିକ ବଜେଟ୍ ପ୍ରସ୍ତୁତ କରୁଥାଏ ଯୋଜନା ବୋର୍ଡ । ଏଥିପାଇଁ ପ୍ରତି ଜିଲାରେ ପ୍ଲାନିଂ କାର୍ଯ୍ୟାଳୟ ଆଗରୁ ଥିଲା ଏବେ ଗତବର୍ଷ ଠାରୁ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀ ସୃଷ୍ଟି ହେଲା । ଚାନ୍ଦବାଲି ବିଧାୟକ ଏହି ଯୋଜନା ବୋର୍ଡର ଅଧ୍ୟକ୍ଷ ହୋଇଥିଲେ ବି ୨୦୨୦-୨୧ ବର୍ଷ ପାଇଁ ଯୋଜନା ତିଆରି ହୋଇପାରୁନାହିଁ । ୨୦୧୯-୨୦ ବର୍ଷର ଯେଉଁ ଯୋଜନା ଜିଲା ପାଇଁ ତିଆରି ହୋଇଥିଲା ଏବଂ ୧୫୨୪ କୋଟି ଟଙ୍କାର ତାଲିକା ପ୍ରସ୍ତୁତ ହୋଇଥିଲା, ତାହା କେତେ ଖର୍ଚ୍ଚ ହୋଇଛି, କେତେ ଟଙ୍କା ଆସିଛି ଓ କେତେ ଟଙ୍କା ବଳକା ରହିଛି, ତାର ହିସାବ ମିଳୁନି । ସେହିପରି ୨୦୨୦-୨୧ ବର୍ଷ ପାଇଁ ଯୋଜନା ଏଯାଏଁ ତିଆରି ହୋଇପାରିଲା ନାହିଁ । କୁହାଯାଉଛି କରୋନା ପାଇଁ ସବୁ ଏପଟ ସେପଟ ହୋଇଛି । ଯଦି କରୋନା ବେଳେ ଜିଲାରେ ନେତାଙ୍କ ବୈଠକ ବସି ପାରୁଛି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ୨୫ ରୁ ଅଧିକ ଅଧିକାରୀଙ୍କୁ ନେଇ ବୈଠକ ବସିପାରୁଛି, ତେବେ ଯୋଜନା ବୋର୍ଡ ବୈଠକ କାହିଁକି ବସିପାରୁନି ବୋଲି ଏବେ ସମସ୍ତେ ପ୍ରଶ୍ନ ପଚାରୁଛନ୍ତି । କାରଣ ଭଦ୍ରକ ଜିଲାକୁ ୩୫ ହଜାରରୁ ଅଧିକ ପ୍ରବାସୀ ଘରକୁ ଫେରି ହାତଟେକି ବସିଥିବାବେଳେ ସେମାନଙ୍କ ପାଇଁ କିଛି ଯୋଜନା ନାହିଁ । ୧୫ ଦିନ ପାଇଁ କେବଳ ନରେଗା ଯୋଜନା କାର୍ଯ୍ୟ କଲେ ପାଣିଥିବା ନାଳ ସଂସ୍କାର କରି । ମିଛ ବାହାବାହା ନେଇ ପ୍ରଶାସନ ଓ ନେତା ଆଗେଇ ଚାଲିଥିବାବେଳେ ପ୍ରବାସୀ କିନ୍ତୁ ଘରେ ବସି କାମ ନପାଇ ମୁଣ୍ଡରେ ହାତ ଦେଇଛନ୍ତି । ତଥ୍ୟ ଅନୁସାରେ ୨୦୧୯-୨୦ ବର୍ଷରେ ବାର୍ଷିକ ଯୋଜନା ଭଦ୍ରକ ଜିଲା ପାଇଁ ପ୍ରସ୍ତୁତ ହୋଇଥିଲା ।

 

 

ଯଥା କୃଷି ବିଭାଗ ପାଇଁ ୨୭୧୨.୨୨ ଲକ୍ଷ, ଗ୍ରାମ୍ୟ ଉନ୍ନୟନ ପାଇଁ ୪୩୭୭୪.୨୭ ଲକ୍ଷ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୨୬୭୪.୪୭ ଲକ୍ଷ, ବିଦ୍ୟୁତ୍ ପାଇଁ ୩୧୩.୭୩ ଲକ୍ଷ, ଶିଳ୍ପ ଓ ମିନେରାଲସ୍ ପାଇଁ ୨୭୬.୪୭ ଲକ୍ଷ, ପରିବହନ ପାଇଁ ୨୦୪୩୧.୩୮ ଲକ୍ଷ, ବିଜ୍ଞାନ ଟେକ୍ନୋଲୋଜି ଓ ପରିବେଶ ପାଇଁ ୧୯୫.୮୦ ଲକ୍ଷ, ସାଧାରଣ ଅର୍ଥନୀତି ସେବା ପାଇଁ ୨୦୭୯.୨୭ ଲକ୍ଷ, ସୋସିଆଲ ସର୍ଭିସ୍ ପାଇଁ ୬୯୯୪୪.୫୬ ଲକ୍ଷ କୁ ମିଶାଇ ମୋଟ ୧୫୨୪ କୋଟି ୨ ଲକ୍ଷ ୧୭ ହଜାର ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିଲା । ଭଦ୍ରକ ଜିଲାର ୭ଟି ବ୍ଲକ୍ ପାଇଁ ଏହି ବାର୍ଷିକ ଖସଡା ତିଆରି ହୋଇ ସରକାରଙ୍କ ଠାରୁ କେତେ ଟଙ୍କା ଆସିଲା ଓ କେତେ ଟଙ୍କା ଖର୍ଚ୍ଚ ହେଲା, କେତେ ବଳକା ଅଛି, ତାର ହିସାବ ନେତାଙ୍କ ପାଖରେ ନାହିଁ । ଅଫିସରମାନେ ସର୍ବେସର୍ବା ହୋଇ ଯୋଜନା ଖାତା ଖତିଆନକୁ ମାଡି ବସିଥିବାବେଳେ ଏତେ ଟଙ୍କାର ଆର୍ଥିକ ସହାୟତା ଦେଇଥିବା ସରକାରଙ୍କୁ ଏହି ଖର୍ଚ୍ଚର ୟୁସି ଯାଇ ପାରୁନାହିଁ । ସେହିପରି ୨୦୨୦-୨୧ ବର୍ଷ ପାଇଁ ପୂର୍ବ ବର୍ଷ ଅପେକ୍ଷା ଅଧିକ ଟଙ୍କାର ଖସଡା ତିଆରି ହେବ ନାଁ କମିଯିବ, ତାହାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି । କାରଣ ଜିଲାରେ ଏବେ ଗ୍ରାମ୍ୟ ଉନ୍ନୟ ବିଭାଗ ସ୍ଥାଣୁ ପାଲଟିଯାଇଛି । କେବଳ ଆରଡି ରାସ୍ତା ନୁହଁ, ପଂଚାୟତ ରାସ୍ତାର ଅବସ୍ଥା ବି ବେହାଲ । କୃଷି ଓ କୃଷକଙ୍କ ପାଇଁ ଚଳିତ ବର୍ଷ କି ପ୍ରକାର ଯୋଜନା ପ୍ରଶାସନ କରିବ, ତାହାକୁ ଚାଷୀ ଅନାଇ ବସିଥିବାବେଳେ ଜୁନ୍ ମାସ ଶେଷ ହେଲାଣି ତଥାପି ବସୁନି ଜିଲା ଯୋଜନା ବୋର୍ଡ ବୈଠକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.