Home ଜିଲ୍ଲା ପରିକ୍ରମା ନରେଗାରେ ମୃତ ଲୋକଙ୍କୁ ମିଳୁଛି କାମ

ନରେଗାରେ ମୃତ ଲୋକଙ୍କୁ ମିଳୁଛି କାମ

118

ଭଦ୍ରକ ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାଦୁର୍ନୀତିର ଉବୁଟୁବୁ ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା । କେଉଁଠି ଦିବ୍ୟାଙ୍ଗ, ବୃଦ୍ଧ, ଗୃହିଣୀ ଏପରିକି ଛୋଟ ପିଲା ଏହି ଯୋଜନାରେ କାମ କରୁଥିବା ଦର୍ଶାଯାଇ ବିଲ୍ କରାଯାଇଛି । ବାହାର ରାଜ୍ୟରୁ ଆସି ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ନାଁରେ ମଧ୍ୟ ମନରେଗାରେ ପେମେଣ୍ଟ କରାଯାଇଛି । ଜଣେ ମୃତ ଲୋକ ଏହି ଯୋଜନାରେ କାମ କରି ମଜୁରୀ ପାଇବା ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି । ଲୋକଙ୍କୁ ହାତ ପାହାନ୍ତାରେ କାମ ଯୋଗାଇବା ପାଇଁ ସରକାର ନରେଗା ମାଧ୍ୟମରେ କାମ ଦେଉଛନ୍ତି । ହେଲେ ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ବାରମ୍ବାର ଅଭିଯୋଗ ଆସୁଛି । କେଉଁଠି ମେସିନ୍ କାମ କରୁଛି ତ ଆଉ କେଉଁଠି କାମ ନହୋଇ କାଗଜ କଲମରେ ଦର୍ଶାଯାଇଛି । ଚାନ୍ଦବାଲି ବ୍ଲକ୍ ଖଦାଳ ପୋଖରୀ ପଂଚାୟତ ତରଫ ରାୟପୁର ଗାଁରେ ଚାଲିଥିବା ନରେଗା କାର୍ଯ୍ୟରେ ମୃତ ଲୋକ ଓ ୮୦ ବର୍ଷର ଉର୍ଦ୍ଧ୍ୱ ବ୍ୟକ୍ତି ଏହି ଯୋଜନାରେ କାମ କରିଥିବା ଦର୍ଶାଯାଇଛି । ମଷ୍ଟର ରୋଲ୍‌ରେ ଏହି ଶ୍ରମିକ କାମ କରି ମଜୁରୀ ନେଇଥିବା ମଧ୍ୟ ଜଣାଯାଇଛି । ଯେଉଁଥିରେ ଅଜୟ ପଣ୍ଡାଙ୍କ ସ୍ତ୍ରୀ ମିନତୀ ଯାହାଙ୍କ ସିରିଏଲ୍ ନଂ ୨ । ଚଳିତବର୍ଷ ନରେଗା ଯୋଜନାରେ କାମ କରି ସେ ୧୨୪୨ ଟଙ୍କା ମଜୁରୀ ଦେଇଛନ୍ତି ବୋଲି କାଗଜପତ୍ର କହୁଛି । ରାଜଘର ପୋଖରୀ ଖୋଳାରେ ଏହି ଅନିୟମିତତା ହୋଇଥିବା ଜଣାଯାଇଛି । ଖାଲି ମିନତୀ ନୁହଁନ୍ତି, ସେହି ଗାଁର ଅନନ୍ତ ପଣ୍ଡା । ଯାହାଙ୍କ ବୟସ ୭୦ । ସେ ବି କାମ କରି ୧୨୪୨ ଟଙ୍କା ମଜୁରୀ ନେଇଛନ୍ତି । ରାଜଘରପୋଖରୀ ଖୋଳିବା ପାଇଁ ୪ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଗଲା । ୧୧୩ ଜଣଙ୍କ ନାମରେ ମଷ୍ଟରରୋଲ୍ ପ୍ରସ୍ତୁତ ବି ହେଲା । ପୋଖରୀ ମଧ୍ୟ କାଗଜ କଲମରେ ଖୋଳାଗଲା । ହାତଗଣତି କେତେଜଣ ଲୋକଙ୍କୁ ନେଇ ୬ ଦିନରେ ପୋଖରୀ କାମ ସାରିଦେଲେ ପ୍ରଶାସନିକ ଅଧିକାରୀ । ଯେଉଁଥିପାଇଁ ଦୁଇଟି କିସ୍ତିରେ ପାଖାପାଖି ୨ ଲକ୍ଷ ୭୬ ହଜାର ଟଙ୍କା ସେମାନଙ୍କ ଆକାଉଣ୍ଟକୁ ମଜୁରୀ ବାବଦରେ ପ୍ରଦାନ କରାଯାଇଛି । କାମ ନକରି ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଚାନ୍ଦବାଲି ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ମତାମତ ନେବାରୁ କହିଛନ୍ତି ତଦନ୍ତ କରାଯିବ, ମଷ୍ଟର ରୋଲ୍ ପ୍ରସ୍ତୁତ ଦାୟିତ୍ୱରେ ଥିବା ଜିଆରଏସ୍ ଯଦି କିଛି ଅନିୟମିତତାରେ ଜଡିତ ଥାଆନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରୀ ଯୋଜନାକୁ ପ୍ରଶାସନିକ ଅଧିକାରୀ ଓ ଗାଁ ନେତା ମିଳିମିଶି ହଡପ କରୁଥିବା ବେଳେ ଯୋଜନାର ସଫଳ ରୂପାୟନ ପାଇଁ କାହାର ଆନ୍ତରିକତା ନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.