Home ଜିଲ୍ଲା ପରିକ୍ରମା ଖାଁ ଖାଁ ପରିବେକରେ ପାଳିତ ହେବ ଭଦ୍ରକର ଗଣପର୍ବ ମା’କାଳୀଙ୍କ ପୂଜା, ପୂଜା କମିଟି ଠାରୁ...

ଖାଁ ଖାଁ ପରିବେକରେ ପାଳିତ ହେବ ଭଦ୍ରକର ଗଣପର୍ବ ମା’କାଳୀଙ୍କ ପୂଜା, ପୂଜା କମିଟି ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ମନରେ ନାହିଁ ହରଷ

16

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉ ୨ଦିନ ପରେ ମା’ କାଳୀଙ୍କ ପୂଜା । ମା’ଙ୍କ ମୂର୍ତ୍ତୀର ଉଚ୍ଚତା ୪ଫୁଟ ରହିବ । ପୂଜା ମଣ୍ଡପରେ କେଳବ ପୂଜା ଦିନ ପୁରୋହିତ, କର୍ତ୍ତାଙ୍କୁ ନେଇ ସର୍ବାଧିକ ୭ଜଣ ହିଁ ଉପସ୍ଥିତ ରହି ପୂଜାର୍ଚ୍ଚାନା କରିବେ । ସେମାନଙ୍କ ମଧ୍ୟରେ ରହିବ ସାମାଜିକ ଦୂରତା ଏବଂ ମୁହଁରେ ରହିବ ମାସ୍କ । ମଣ୍ଡପ ଗୁଡିକର ୩ ପାଶ୍ୱର୍କୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯିବ । ସମ୍ମୁୁଖ ଭାଗକୁ ମଧ୍ୟ କନା ଦ୍ୱାରା ଆବଦ୍ଧ କରାଯିବ । ତେଣୁ କୌଣସି ଭକ୍ତଙ୍କୁ ମେଢ କି ଠାକୁରାଣୀଙ୍କ ଦର୍ଶନ ମନା । ଭୋଗ ମଧ୍ୟ ଲାଗି ପାରିବ ନାହିଁ । ମାଇକ ବାଜିବ ନାହିଁ କିମ୍ବା ତୋରଣ ମଧ୍ୟ ନିର୍ମାଣ ହେବ ନାହିଁ । ଅପେରା ପ୍ରଦର୍ଶନ ଦୂରର କଥା ମୀନାବଜାରକୁ ମଧ୍ୟ ମନା । କୌଣସିପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ଲାଗିଛି ରୋକ୍ । ମଣ୍ଡପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହିତ ସିସିଟିଭି ନଜରରେ ରହିବ ସମଗ୍ର ପୂଜା ମଣ୍ଡପ ଅଞ୍ଚଳ । କରୋନା ମହାମାରୀ ପାଇଁ ଏହିପରି ପ୍ରଶାସନିକ କଟକଣା ଜାରୀ କରିଛି ଜିଲ୍ଲା ପ୍ରଶାସନ । ତେଣୁ ସମ୍ପୂର୍ଣ୍ଣ ଫିକା ପଡ଼ିବାକୁ ଯାଉଛି ଭଦ୍ରକର ଗଣପର୍ବ ଭାବେ ପରିଗଣିତ ମା’ କାଳୀଙ୍କ ପୂଜା । କାରଣ ପୂଜାର ୩ମାସ ପୂର୍ବରୁ ମା’ଙ୍କ ପୂଜାକୁ କିପରି ଆଡମ୍ବର ସହକାରେ ପାଳନ କରିବେ ତାକୁ ନେଇ ବହୁ ଯୋଜନା କରି ଆସୁଥିବାବେଳେ, ଚଳିତ ବର୍ଷ ପ୍ରଶାସନିକ କଟକଣାକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଯୋଗୁଁ ସବୁ ପଣ୍ଡ ହୋଇଯାଇଛି । ଭଦ୍ରକର ଏହି ମହାନ ଐତିହାସିକ ପର୍ବ ସମୟରେ କେବଳ ସହର ନୁହେଁ ସମଗ୍ର ଭଦ୍ରକ ଜିଲ୍ଲା ମୁଖରିତ ହୋଇ ଉଠେ । ସହର ମଧ୍ୟରେ ୯ଟି ସ୍ଥାନରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀ ବିଭିନ୍ନ ମଣ୍ଡପରେ ପୂଜା ପାଇଥାନ୍ତି । ଏହାବ୍ୟତୀତ ୩ଟି ଶକ୍ତିପୀଠରେ ମଧ୍ୟ ମା’ଙ୍କ ପୂଜା ପାରମ୍ପରିକ ରିତୀରେ ଅନୁଷ୍ଠିତ ହୋଇଥାଏ । ଏହା ୧୦ ଦିନ ଧରି ପାଳିତ ହୋଇଥାଏ । ଏହି ସମୟରେ ଚରମ୍ପା ଅଞ୍ଚଳରେ ଦିନ ରାତି ଏକ ହୋଇଯାଏ । ଘରେ ଘରେ ଭର୍ତ୍ତି ହୋଇ ଯାଆନ୍ତି କୁଣିଆ । ପୂଜା ବଜାରର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ଲାଟୁନ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୁଅନ୍ତି । ମା’ଙ୍କ ଆକର୍ଷଣୀୟ ମୂର୍ତ୍ତୀ ସାଙ୍ଗକୁ, ସାଜସଜ୍ଜା, ମନେଲୋଭା ତୋରଣ ପୂଜା ପରିବେଶକୁ ସରଗରମ କରି ଦେଇଥାଏ । ଏହାବ୍ୟତୀତ ମା’ଙ୍କ ମୂର୍ତ୍ତୀ ପାଶ୍ୱର୍ରେ ନିର୍ମିତ ହେଉଥିବା ସାମାଜିକ ସଚେତନତା ଓ ଆଧ୍ୟାତ୍ମିକ କଥାବସ୍ତୁକୁ ନେଇ ନିର୍ମିତ ବାରୁଆଳୀ ମଧ୍ୟ ଶ୍ରଦ୍ଧାଳୁଙ୍କ ମନମୋହି ଥାଏ । କାଳୀପୂଜାର ଅନ୍ୟତମ ବିଶେଷତ୍ୱ ହେଲା ବସୁଥିବା ମୀନାବଜାର । ମଣ୍ଡପ ନିକଟରେ ଥିବା ବିଭିନ୍ନ ପଡ଼ିଆ ଏପରିକି ରାସ୍ତାର ଦୁଇ ପାଶ୍ୱର୍ରେ ଜିଲ୍ଲା ତଥା ବାହାର ରାଜ୍ୟର ବ୍ୟବସାୟୀ ସେମାନଙ୍କ ପସରା ମେଲି ଦେଇଥାନ୍ତି । ସର୍କସ, ଦୋଳି, ଚରକି, ଡ୍ରାଗନ, ସବୁପ୍ରକାର ଘରକରଣା ଦ୍ରବ୍ୟର ସମ୍ଭାର ଦେଖିବାକୁ ମିଳେ ପୂଜାରେ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏସବୁ ଦେଖିବାକୁ ମିଳିବ ନାହିଁ । ପୂଜା ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ । ତେଣୁ ପୂଜାକୁ ନିଷ୍ଠାର ସହ ସମାପନ ପାଇଁ ସମସ୍ତ ପୂଜା କମିଟି ଉଦଗ୍ରୀବ । ମୂର୍ତ୍ତୀ କାରିଗର ସ୍ଥିରୀକୃତ ନିୟମାନୁଯାୟୀ ମୂର୍ତ୍ତୀ ଗଢ଼ିବାରେ ବ୍ୟସ୍ତ । ଚଳିତ ବର୍ଷ ମେଳା ନଥିବାରୁ ପୂଜା ପାଇଁ କାହାରି ମନରେ ହରଷ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.