Home ଜିଲ୍ଲା ପରିକ୍ରମା ବିବାଦ ବସ୍ ସିଣ୍ଡିକେଟ୍‌ର ପିଛା ଛାଡୁନି, ନିର୍ବାଚନ ନିର୍ଦ୍ଦେଶନାମା ଉପରେ ଅନ୍ତରୀଣ ରହିତାଦେଶ

ବିବାଦ ବସ୍ ସିଣ୍ଡିକେଟ୍‌ର ପିଛା ଛାଡୁନି, ନିର୍ବାଚନ ନିର୍ଦ୍ଦେଶନାମା ଉପରେ ଅନ୍ତରୀଣ ରହିତାଦେଶ

25

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିବାଦ ଭଦ୍ରକ ବସ୍ ସିଣ୍ଡିକେଟ୍‌ର ପିଛା ଛାଡୁନି । ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ପ୍ରଶାସନ ବସ୍ ସିଣ୍ଡିକେଟ୍‌ର ନୂଆ କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୬.୧୧.୨୦ ରିଖରେ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବସ୍ ସିଣ୍ଡିକେଟ୍‌ର ଅପର ଗୋଷ୍ଠୀର ଅନ୍ୟ ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ନିର୍ବାଚନ ଉପରେ ରୋକ ଲଗାଇଛନ୍ତି । ସିଣ୍ଡିକେଟ୍‌ର ନିର୍ବାଚନ ପାଇଁ ଜାରି କରାଯାଇଥିବା ପ୍ରଶାସନର ନିର୍ଦ୍ଦେଶନାମା କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଜଷ୍ଟିସ୍ ବିଶ୍ୱଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୪ ତାରିଖକୁ ଧାର୍ଯ୍ୟ କରିଛନ୍ତି । ମାମଲା ସଂପର୍କିତ ତଥ୍ୟାବଳୀରୁ ପ୍ରକାଶ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଆସନ୍ତା ୨୬ ତାରିଖକୁ ନିର୍ବାଚନ ଦିନ ଧାର୍ଯ୍ୟ କରିଥିଲେ । ୧୩ ତାରିଖ ପ୍ରାର୍ଥିୀପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ରଖାଯାଇଥିଲା । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସିଣ୍ଡିକେଟ୍‌ର ଅନ୍ୟ ଏକ ଗୋଷ୍ଠୀର ସଦସ୍ୟ ଦିଲ୍ଳୀପ କୁମାର ନାୟକ ଓ ପର୍ଶୁରାମ ପହି ହାଇକୋର୍ଟରେ ଏକ ଆବେଦନ (ଡବ୍ଲ୍ୟୁପି(ସି) ନଂ ୨୯୭୪୨ ଓ ଆଇଏ ନଂ ୧୨୯୬୩/୨୦) କରିଥିଲେ । ଆବେଦନକାରୀ ଦର୍ଶାଇଥିଲେ ଯେ ବସ୍ ସିଣ୍ଡିକେଟ୍‌ର ବାଇ ଲ’ ଅନୁସାରେ ସଦସ୍ୟଙ୍କ ଏକ କମିଟି ସଂଘର ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇପାରିବେ । ନିୟମାନୁସାରେ ସଂଘର ସାଧାରଣ ପରିଷଦ ଅନୁମୋଦନରେ ଗଠିତ ଏପରି କମିଟି କେବଳ ନିର୍ବାଚନ ପାଇଁ କ୍ଷମତା ପ୍ରାପ୍ତ । ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କ ସଂଘର ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବାର କ୍ଷମତା ନାହିଁ । ଏହା ଆଇନଗତ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରୁଥିବାବେଳେ ଆଇନ୍‌ଜୀବୀ ଆକାଶ ଭୂୟାଁ ଓ ଉଦିତ ରଂଜନ ଜେନା ସହାୟତା କରୁଥିଲେ । ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମାକୁ ଇଣ୍ଟରିମ୍ କମିଟିର ସଦସ୍ୟ ଶ୍ୟାମସୁନ୍ଦର ନାୟକ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ନିର୍ଦ୍ଦେଶନାମାର ନକଲ ସହ ଲିଖିତ ଭାବେ ଅବଗତ କରିଛନ୍ତି ।

ପ୍ରକାଶଯୋଗ୍ୟ ଯେ ଭଦ୍ରକ ବସ୍ ସିଣ୍ଡିକେଟ୍‌ର ନିର୍ବାଚନ ଅବଧି ଗତ ୩୧.୩.୨୦ ରିଖରୁ ସରି ଯାଇଥିଲା । କୋଭିଡ୍ କଟକଣା କାରଣରୁ ନିର୍ବାଚନ ହୋଇପାରିନଥିଲା । ଏଭଳି ପରିସ୍ଥିତିରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ବସ୍ ସିଣ୍ଡିକେଟ୍‌ର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ବସ୍ ସିଣ୍ଡିକେଟ୍‌ର ଦୁଇଗୋଷ୍ଠୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ୧୫.୯.୨୦ ରିଖରେ ଗୋଟିଏ ପକ୍ଷର ମାମଲା (ଡବ୍ଲ୍ୟୁପି(ସି) ନଂ ୨୩୬୨୮/୨୦) ବିଚାର କରି ହାଇକୋର୍ଟ ବସ୍ ସିଣ୍ଡିକେଟ୍‌ର ସୁପରିଚାଳନା ପାଇଁ ୪ ସପ୍ତାହ ମଧ୍ୟରେ ନିର୍ବାଚନ ସଂପର୍କରେ ନିଷ୍ପତ୍ତି ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଯାଇ ଗତ ୧୧.୬.୨୦ ରିଖରେ ବସ୍ ସିଣ୍ଡିକେଟ୍‌ର ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ଗଠନ କରାଯାଇଥିବା ଉଭୟ ଗୋଷ୍ଠୀର ୬ ଜଣ ସଦସ୍ୟ ବିଶିଷ୍ଟ ଏକ ମଧ୍ୟବର୍ତ୍ତୀକାଳୀନ କମିଟିକୁ ନୋଟିସ୍ କରାଯାଇଥିଲା । ଏହି ନୋଟିସ୍‌ରେ ୮.୧୦.୨୦ ରିଖରେ ଉଭୟ ଗୋଷ୍ଠୀର ୬ ଜଣ ସଦସ୍ୟ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ହାଜର ହୋଇ ମତାମତ ରଖିବାକୁ ନିର୍ଦ୍ଦେଶ ହୋଇଥିଲା । ଏହି ନିର୍ଦ୍ଦେଶ ଅନୁଯାୟୀ ଦୁଇଗୋଷ୍ଠୀର ୬ ସଦସ୍ୟ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ହାଜର ହୋଇ ମତାମତ ରଖିଥିଲେ । ୩ ଦିନ ମଧ୍ୟରେ ଲିଖିତ ଆକାରରେ ନିଜର ମତାମତ ଦର୍ଶାଇବାକୁ ଅତିରିକ୍ତ ଜିଲାପାଳ ସଦସ୍ୟମାନଙ୍କୁ କହିଥିଲେ । ଉଭୟ ଗୋଷ୍ଠୀର ଲିଖିତ ଅଭିଯୋଗ ପାଇବା ପରେ ଅତିରିକ୍ତ ଜିଲାପାଳ ୪ ସପ୍ତାହ ମଧ୍ୟରେ ବସ୍ ସିଣ୍ଡିକେଟ୍‌ର ମୁକ୍ତ, ଅବାଧ ନିର୍ବାଚନ ସରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଉପ ଜିଲାପାଳ ପୀତାମ୍ବର ସାମଲଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତିଙ୍କୁ ନିର୍ବାହଚନ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ବ୍ୟତୀତ ସଂଘର ଆର୍ଥିକ କାରବାରର ଅଡିଟ୍ ପାଇଁ ଭଦ୍ରକ ତହସିଲଦାର ସତ୍ୟରଂଜନ ପଣ୍ଡାଙ୍କୁ ନିର୍ଦ୍ଦେଶ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.