Home ଜିଲ୍ଲା ପରିକ୍ରମା କ୍ରାଡ଼ା ଭିତ୍ତିଭୂମିର ଉନ୍ନତି ନହେବା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ – ଜିଲ୍ଳା କଂଗ୍ରେସ ମୁଖ୍ୟ...

କ୍ରାଡ଼ା ଭିତ୍ତିଭୂମିର ଉନ୍ନତି ନହେବା ପାଇଁ ଜିଲ୍ଲା ପ୍ରଶାସନ ଦାୟୀ – ଜିଲ୍ଳା କଂଗ୍ରେସ ମୁଖ୍ୟ ମୁଖପାତ୍ର

14

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୯୩ ମସିହାରୁ ଭଦ୍ରକ ଏକ ଜିଲ୍ଲା ହେବାଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଦିଗରେ କୌଣସି ଆଗ୍ରହ ପ୍ରକାଶ କରାଯାଇନାହିଁ । ଯଦିଓ ରାଜ୍ୟସରକାରଙ୍କ ଦ୍ୱାରା ୨୦୧୦ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ ବିଭିନ୍ନ ସମୟରେ ଜାଗା ନିରୂପଣ କରି ଜିଲ୍ଲାକୁ ଅର୍ଥ ଯୋଗାଇଦେବା ପାଇଁ ଚିଠି ମାଧ୍ୟମରେ ଆଗ୍ରହ ପ୍ରକାଶ କରାଯାଇଛି, କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ଆଦୌ ଗୁରୁତ୍ୱ ଦେଇନାହିଁ । ରାଜ୍ୟ ସରକାର ୨୦୧୫ ମସିହା ପରେ ଇଣ୍ଟିଗ୍ରେଟେଡ୍ ସ୍ପୋଟ୍‌ର୍ସ୍ କମ୍ପେ୍ଲକ୍ସ ପାଇଁ କିଛି ଭିତ୍ତିଭୂମି ନିର୍ମାଣ କରୁଛନ୍ତି, କିନ୍ତୁ ଯେତେପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମାରେ ଆଉଟଡୋର ଷ୍ଟାଡିୟମର ନିର୍ମାଣ କରାଯାଇ ନାହିଁ, ସେତେପର୍ଯ୍ୟନ୍ତ ଜିଲ୍ଲାରେ ଖେଳକୁଦ ଓ ଏହା ସହିତ ଜଡ଼ିତ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅନେକ ସମ୍ଭବନାର ବିକାଶ ହୋଇପାରିବ ନାହିଁ ବୋଲି ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତିି ଯେ ସମସ୍ତ ପ୍ରକାରର ଆଥ୍‌ଲେଟିକ୍ ଇଭେଣ୍ଟ ସହିତ ଫୁଟବଲ, କ୍ରିକେଟ ପାଇଁ ପଡ଼ିଆ, ସିନ୍ଥେଟିକ୍ ହକି ଗ୍ରାଉଣ୍ଡ,ସୁଇମିଂ ପୁଲ୍ ଆଦି ନିର୍ମାଣ ହେଲେ ଉଭୟ ଖେଳ ଓ ଖେଳାଳିର ପ୍ରକୃତ ବିକାଶ ହୋଇପାରିବ ।

କିନ୍ତୁ ଦୁଃଖର କଥା ସରକାର ପ୍ରସ୍ତାବ ଦେବା ପ୍ରାୟ ୧୦ବର୍ଷରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଆଉଟ୍‌ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବାରେ ବିଫଳ ହୋଇଛନ୍ତି । ଜିଲ୍ଳା ପ୍ରଶାସନ ଅନ୍ତର୍ଗତ ସ୍ପେଶାଲ ପ୍ଲାନିଂ ଅଥରିଟି କୋରକୋରା ପଞ୍ଚାୟତ ଠାରେ ୧୫ ଏକର ଜାଗା ରିକ୍ରିଏସନାଲ ଜୋନ୍ ପାଇଁ ସ୍ଥାନ ନିରୂପଣ କେବଳ କାଗଜ କଲମରେ କରିଥିବାରୁ ଏ ସମ୍ବଦ୍ଧରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଭଦ୍ରକ ଜିଲ୍ଲାରେ ଦୀର୍ଘ ବର୍ଷଧରି ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ପଦବୀ ଫାଙ୍କା ପଡ଼ିରହିବା, ଅଲମ୍ପିକରେ ଆସୁଥିବା କୌଣସିଟି ଖେଳର ପ୍ରଶିକ୍ଷକ ଏ ଜିଲ୍ଲାକୁ ନଆସିବା ଓ ଜିଲ୍ଲାପାଳମାନଙ୍କର ଆଶାନୁରୂପ କ୍ରୀଡା ଓ ଯୁବ ବ୍ୟପାର ସମ୍ବନ୍ଧରେ ଉତ୍ସାହ ନରହିବା ନବୀନ ପଟ୍ଟନାୟକ ସରକାରଙ୍କର ଜିଲ୍ଲାରେ କ୍ରୀଡା ପ୍ରତି ଥିବା ଗରୁତ୍ୱକୁ ସହଜରେ ଜାଣି ହେଉଛି । ପ୍ରତି ୫ବର୍ଷରେ ଥରେ ଭଦ୍ରକ ଜିଲ୍ଲାରେ ୨୧୮ ଟି ପଞ୍ଚାୟତରୁ ୧୦,୦୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ କ୍ରୀଡାକୁ ପାଥେୟ କରି ପୋଲିସ, ପ୍ରତିରକ୍ଷା ବିଭାଗ, ଅର୍ଦ୍ଧ ସାମରିକ ବାହିନୀ ଓ ସିକ୍ୟୁରିଟି ସଂସ୍ଥା ଆଦିରେ ଚାକିରି ପାଉଛନ୍ତି । ଏଥିଲାଗି କ୍ରାଡ଼ା ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ରହିଛି । କ୍ରାଡ଼ା ଭିତ୍ତିଭୂମିର ଅଭାବରେ ଅଧିକାଂଶ ଖେଳାଳି ଓ ଯୁବକ ଯୁବତୀମାନେ କଂକ୍ରିଟ ଓ ପିଚୁ ରାସ୍ତାରେ ଦୌଡ଼ ଅଭ୍ୟାସ ରଖିବା ଫଳରେ ହୃଦୟ ସମ୍ବନ୍ଦୀୟ ରୋଗର ଶିକାର ହେଉଛନ୍ତି ଓ ଦୁର୍ଘଟଣାର ମଧ୍ୟ ସମ୍ମୁଖୀନ ହେଉଛନ୍ତି ।

ଭାରତ ସରକାରଙ୍କଦ୍ୱାରା ଓଡ଼ିଶା ରାଜ୍ୟର ଓ କ୍ରୀଡ଼ା ମନ୍ତ୍ରାଳୟ ଦ୍ୱାରା କ୍ରୀଡ଼ା ପାଇଁ ଦିଆଯାଉଥିବା ଅନୁଦାନରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୨ଟି ଜିଲ୍ଲାରେ ଷ୍ଟାଡିୟମ୍ ନିର୍ମାଣ ଚାଲୁଥିବା ବେଳେ ଭଦ୍ରକ ଜିଲ୍ଲାର ଷ୍ଟାଡିୟମ୍ ପାଇଁ ଜାଗା ନିରୂପଣ ହୋଇନପରିବା ଜିଲ୍ଲାବାସୀ, ଖେଳାଳୀ ଓ ଖେଳପ୍ରେମୀମାନଙ୍କୁ ଶକ୍ତ ଆଘାତ ହୋଇଛି । ଏତଦଭିନ୍ନ ଭଦ୍ରକ ସହର ମଧ୍ୟରେ ଥିବା ନେହେରୁ ଷ୍ଟାଡିୟମ୍‌ର ଦାୟିତ୍ୱ ଜିଲ୍ଲା ପ୍ରଶାସନ ୩ବର୍ଷ ଧରି ନେଇସରିବା ପରେ ମଧ୍ୟ ଏହାର ଉନ୍ନତିର କୌଣସି ଲକ୍ଷଣ ଦେଖାଯାଉନାହିଁ । ନେହେରୁ ଷ୍ଟାଡିୟମ୍ ନାମରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରାଯାଉଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ଯେଉଁଭଳି ନେହେରୁ ଷ୍ଟାଡିୟମ୍ ଜଳାର୍ଣ୍ଣବ ସମସ୍ୟା ବିଗତ ବର୍ଷରେ ଥିଲା ଆଜି ମଧ୍ୟ ସେହି ସମସ୍ୟା ଘେରରେ ନେହେରୁ ଷ୍ଟାଡିୟମ୍ ଛନ୍ଦି ହୋଇରହିଛି । ଭଦ୍ରକ ଜିଲ୍ଲାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମିଶାଇ ୧୧ ଟି ଷ୍ଟାଡିୟମ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିବା ବେଳେ ଭଦ୍ରକ, ଧାମନଗର ଓ ବାସୁଦେବପୁରକୁ ଛାଡ଼ିଦେଲେ ଅର୍ଥର ବାଟମାରଣା ହେତୁ ଅନ୍ୟତ୍ର ଷ୍ଟାଡିୟମ୍‌ର ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାବାସୀଙ୍କର ଏହି ପ୍ରମୁଖ ଦାବିକୁ ଜିଲ୍ଲାପ୍ରଶାସନ ନିକଟରେ ଉପସ୍ଥାପନ କରିବା ସହିତ ତୁରନ୍ତ କ୍ରୀଡ଼ା ଭିତ୍ତିଭୂମି (ଷ୍ଟାଡିୟମ୍‌)ପାଇଁ ଦାବୀ ଜଣାଉଛି । ଅନ୍ୟଥା ଜିଲ୍ଲାର ହଜାର ହଜାର ଖେଳାଳୀମାନଙ୍କ ମନୋଭାବନାକୁ ସମ୍ମାନ ଓ ଆବଶ୍ୟକତାକୁ ଆଖିରେ ରଖି ଖୁବ୍ ଶୀଘ୍ର ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯିବ ବୋଲି ଶ୍ରୀ ରାୟମହାପାତ୍ର ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ମନୋଜ ବିଶ୍ୱାଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.