Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ଜିଲ୍ଲା ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ

ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ଜିଲ୍ଲା ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ

13

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ୍ ସ୍ଥିତ ଶ୍ରୀ ଶ୍ରୀ ଗୀତାଭବନଠାରେ ଏକ ଦିବ୍ୟ ବର୍ଣ୍ଣାଢ଼୍ୟ ପରିବେଶରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ଜିଲ୍ଲା ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୨୦୨୨ରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ଦେଇ ଜିଲ୍ଲା ସ୍ତରରେ ଅଧିକ ନମ୍ବର ରଖିଥିବା ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରାୟ ୨୮ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର, ଟ୍ରଫି, ଗାୟତ୍ରୀ ମନ୍ତ୍ର ଲିଖନ ଖାତା ତଥା ଛାତ୍ରଛାତ୍ରୀଙ୍କ ଉପଯୋଗୀ ପୁସ୍ତକ ଆଦି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଉକ୍ତ ପରୀକ୍ଷାରେ ସେମାନଙ୍କର ଅକୁଣ୍ଠ ସହଯୋଗ ପାଇଁ ଶ୍ରୀ ରାମ ଶର୍ମାଆଚାର୍ଯ୍ୟ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନୀତ କରାଯାଇଥିଲା, ସେମାନଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ଗାୟତ୍ରୀ ବିଦ୍ୟା ସମ୍ପର୍କୀୟ କେତେକ ପୁସ୍ତକ ପ୍ରଦାନ କରାଯାଇଥିଲା ।

ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଓଡ଼ିଶା ଶାଖାର ସାହିତ୍ୟ ପ୍ରକାଶନ ଟ୍ରଷ୍ଟର ଅନ୍ୟତମ ସଦସ୍ୟ ତଥା ବରିଷ୍ଠ ଗାୟତ୍ରୀ ସାଧକ ପାଣ୍ଡବ ଯେନା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ପ୍ରାକ୍ତନ ଅଧ୍ୟାପକ ସଂଗ୍ରାମ କେଶରୀ ମହାନ୍ତି ମୁଖ୍ୟବକ୍ତା, ପ୍ରମୋଦ କୁମାର ନାୟକ, ଅଧ୍ୟକ୍ଷ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ, ଭଦ୍ରକ, ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତି ଜ୍ଞାନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ରାଜ୍ୟସ୍ତରୀୟ ପ୍ରଭାରୀ ପ୍ରଫୁଲ୍ଲ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଆଜିର ଦିନରେ ଉକ୍ତ ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାରର ମୁଖ୍ୟ ସମନ୍ୱୟକ ପ୍ରଦୀପ କୁମାର ନାୟକ ଏଥିରେ ସଭାପତିତ୍ୱ କରିଥିଲା ବେଳେ କୁଶଦେବ ମଲ୍ଲିକ, ଅଧ୍ୟକ୍ଷ ,ଗାୟତ୍ରୀ ମାତା ସଂସ୍କୃତ ମହାବିଦ୍ୟାଳୟ,ପଦ୍ମପୁର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଭଦ୍ରକ ଗାୟତ୍ରୀ ପରିବାରର ବରିଷ୍ଠ ସାଧକ ତଥା ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକ ଜିଲ୍ଲା ଗାୟତ୍ରୀ ପରିବାରର ଶତାଧିକ ସାଧକସାଧିକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରିଶେଷରେ ଜିଲ୍ଲା ଗାୟତ୍ରୀ ପରିବାରର ମିଡ଼ିଆସେଲ ସମନ୍ୱୟକ କେଦାର ନାଥ ମହାପାତ୍ର ଶାନ୍ତି ପାଠ କରିବା ପରେ ସଭାପତି ସଭା ସମାପ୍ତିର ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.