Home Coronavirus Outbreak କୋଭିଡ ମୁକାବିଲା : କରୋନାକୁ ରୋକିବା କଷ୍ଟ କିନ୍ତୁ ସାମାଜିକ ଦୂରତା, ହାତ ଧୋଇବା ଏବଂ...

କୋଭିଡ ମୁକାବିଲା : କରୋନାକୁ ରୋକିବା କଷ୍ଟ କିନ୍ତୁ ସାମାଜିକ ଦୂରତା, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ଦ୍ଵାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ

144

ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ସଂକ୍ରମଣ ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର, ୭-୫ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କର ସ୍ଵାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ କେ. ଶ୍ରୀନାଥ ରେଡ୍ଡୀ ଆଜି “କୋଭିଡରୁ ଶିକ୍ଷା – ଆମେ କଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧ ଜିତିବା” ଏ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ ସୁପରିଟେଣ୍ଡଟ୍ ମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ଆଲୋଚନା ସମୟରେ ଡଃ ରେଡ୍ଡୀ ମୁଖ୍ୟତଃ କରୋନା ଭାଇରସର ଉତ୍ପତି, ସଂକ୍ରମଣ ସାରା ବିଶ୍ବର ପରିସ୍ଥିତି ଏବଂ ଭବିଷ୍ୟତ ରଣକୌଶଳ ଉପରେ ଆଲୋକପାତ କରିଥିଲେ। ଯେହେତୁ କରୋନା ଭାଇରସ ଜନିତ, ରୋଗର ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟୀକା ବା ଔଷଧ ଉଦ୍‌ଭାବନ ହୋଇନାହିଁ, ତେଣୁ ସାମାଜିକ ଦୂରତ୍ବ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଜନସାଧାରଣଙ୍କର ସହଯୋଗ ଓ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା କବଚ ବୋଲି ସେ ମତ ଦେବା ସହିତ ବୟସ୍କମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ବନ୍ୟଜନ୍ତୁ ବିଶେଷକରି ବାଦୁଡି ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏହି ଭାଇରସ ନାକ, ଆଖି ଓ ପାଟି ଦ୍ଵାରା ମଣିଷ ଶରୀରରେ ପ୍ରବେଶ କରିଥାଏ। ମଣିଷ ଶରୀରରୁ କାଶ, ଛିଙ୍କ ସମୟରେ ବାହାରୁଥିବା କଣିକା ଦ୍ଵାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ବ ଦ୍ବାରା ହିଁ କୋଭିଡ ଯୁଦ୍ଧରେ ଆମେ ବିଜୟ ହୋଇପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ।

ବିଭିନ୍ନ ସଂକ୍ରମିତ ଦେଶ ମାନଙ୍କରୁ ମିଳିଥିବା ତଥ୍ୟ ଉପରେ ଆଲୋଚନା କରି ଡଃ ରେଢ଼ୀ କହିଲେ ଯେ କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ। ତା’ସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ। କେତେକ କ୍ଷେତ୍ରରେ ଏହା Thrombosis ପରିସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ। ବୟସ ନିର୍ବିଶେଷରେ ଏହି କରୋନା ଭାଇରସ ସମସ୍ତଙ୍କୁ ସଂକ୍ରମିତ କରିଥାଏ। କିନ୍ତୁ ଯେହେତୁ ଯୁବ ଗୋଷ୍ଠୀ ବାହାରେ ଅଧିକ ସମୟ ରହନ୍ତି, ତାଙ୍କ ଠାରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ବୟସ୍କ ତଥା ରୋଗୀମାନେ ଗୁରୁତର ଭାବରେ ପୀଡିତ ହେବା ଏବଂ ମୃତ୍ୟୁମୁଖରେ ପଡିବା ଅଧିକ ଆଶଂକା ରହିଛି।

କରୋନା ଭାଇରସ ନିୟନ୍ତ୍ରଣରେ ଭାରତ ବିଶେଷ କରି ଓଡିଶାର ସଫଳତାର ସେ ଉଚ୍ଚପ୍ରଶଂସା କରିଥିଲେ ଏବଂ ସମଗ୍ର ଦକ୍ଷିଣ ଏସିଆରେ ଓଡିଶାର ପଦକ୍ଷେପ ଅନୁକରଣୀୟ ବୋଲି ସେ ମତବ୍ୟକ୍ତ କରିଥିଲେ। ବ୍ରିଟେନ, ଆମେରିକା, ସ୍ବିଡେନ ପରି ଆଗୁଆ ଦେଶମାନେ ଲକ୍ ଡାଉନ୍ ନ କରିବା ଫଳରେ ସେ ଦେଶ ଗୁଡିକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିଛି। କିନ୍ତୁ ଭିଏତନାମ ପରି ଦେଶ Isolation, Contract Tracing ଏବଂ Large Scale Testing ଦ୍ଵାରା ରୋଗ ନିୟନ୍ତ୍ରଣରେ ସଫଳ ହୋଇପାରିଛି । ଉଚ୍ଚ ତାପମାତ୍ରା ସହିତ ଆର୍ଦ୍ରତାର ପ୍ରଭାବରେ ଏହି ଭାଇରସ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ କରୋନା ଭାଇରସ Climatic Temperature Neutral ବୋଲି ସେ ମତ ଦେଇଥିଲେ। ଭାରତୀୟମାନେ ବିସିଜି, ପୋଲିଓ ଟୀକା ସହିତ ମ୍ୟାଲେରିଆ ପରି ଔଷଧ ବ୍ୟବହାର କରୁଥିବାରୁ କୋଭିଡ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ନ କରିପାରେ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। କିନ୍ତୁ ଏ ସବୁ ତଥ୍ୟ ଉପରେ ବିଶେଷ ଗୁରୁତ୍ବ ନ ଦେଇ ଆମେ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।

ଭାରତ ସହିତ ବିଭିନ୍ନ ଦେଶରେ କରୋନା ଭାଇରସ ପାଇଁ ପ୍ରତିଷେଧକ ଟୀକା ଉପରେ ଗବେଷଣା ଚାଲିଥିବା ବେଳେ ସେପ୍ଟେମ୍ବର ଅକ୍ଟୋବର ସୁଦ୍ଧା ବାହାରିପାରେ ବୋଲି ସେ ଆଶାପ୍ରକାଶ କରିଥିଲେ। ଲକ୍ଷଣଭିତ୍ତିକ ରୋଗ ଅନୁସଂଧାନ ଉପରେ ସେ ଗୁରୁତ୍ବ ଦେବା ସହିତ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ବ ନ ଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି ସେ ମତ ଦେଇଥିଲେ।

ସ୍ଵାସ୍ଥ୍ୟକର୍ମୀଙ୍କ ପରି ପୋଲିସ କର୍ମଚାରୀ ମଧ୍ୟ ଅଧିକ ବିପଦସଂକୁଳ ଥିବାରୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର। ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ barricade ଏବଂ ଆଖିର ସୁରକ୍ଷା ପାଇଁ ଚଷମା ଏବଂ ହାତର ସୁରକ୍ଷା ପାଇଁ ଗ୍ଲୋସ ବ୍ୟବହାର ନିତାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡଃ ରେଡ୍ଡୀଙ୍କୁ ସ୍ବାଗତ କରି ଆଲୋଚନା ଆରମ୍ଭ କରିଥିଲେ। ତାଙ୍କର ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ଆଶାପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ ଡଃ ରେଡ୍ଡୀ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ କମିଟିରେ ସଦସ୍ୟ ଭାବରେ କାମ କରିଥିବା ବେଳେ ବର୍ତ୍ତମାନ Covid Solidarity Group Trial ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଂଚାଳନ କମିଟିର କାର୍ଯ୍ୟନିର୍ବାହୀ ଗୋଷ୍ଠୀର ସଦସ୍ୟ ଭାବରେ କାର୍ଯ୍ୟରତ। Covid Care, ସଂକ୍ରମିତ ଅଞ୍ଚଳ, ସଂକ୍ରମଣ ଧାରା ଓ ଲକ୍ ଡାଉନ ପ୍ରଭାବ ଉପରେ ସେ ଅନେକ ଉପାଦେୟ ଲେଖା ରଚନା କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର କୋଭିଡ ପରିଚାଳନାର ବିଭିନ୍ନ ଦିଗ ଉପରେ ଡଃ ରେଢ଼ୀଙ୍କ ସହିତ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.