Home ଓଡ଼ିଶା କୋଣାର୍କ ଅଂଚଳର ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ

କୋଣାର୍କ ଅଂଚଳର ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ

38

ଭୁବନେଶ୍ୱର ୮.୨ (ଓଡ଼ିଆ ପୁଅ) – ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର କୋଣାର୍କକୁ ବିଶ୍ୱସ୍ତରୀୟ ଭିତିଭୂମି, ସୌନ୍ଦର୍ଯ୍ୟୀକରଣ ଓ ସାମଗ୍ରୀକ ବିକାଶ ପାଇଁ ସରକାର ନେଉଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ। କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କର ଜୀବନ ଜୀବିକା, ବ୍ୟବସାୟ, ଜମିଜମା ସଂକ୍ରାନ୍ତୀୟ ମାମଲାର ଆଶୁ ସମାଧାନ ହେବା ଉଚିତ୍। ୧୯୨୭ ମସିହା ଠାରୁ କୋଣାର୍କ ଅଂଚଳର ୯ ଟି ମୌଜାର ଜନସାଧାରଣଙ୍କ ଜମିଜମା ଅଦ୍ୟାବଧି ସମାଧାନ ହୋଇନାହିଁ। ଫଳରେ ପ୍ରମାଣପତ୍ର ଅଭାବରୁ ଗରିବ ଲୋକଟିଏ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯଥା ଆବାସ ଯୋଜନା, ମଣ୍ଡିରେ ଧାନ ବିକ୍ରୀ କରିବା, ନିଯୁକ୍ତିରୁ ବଂଚିତ ହେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସରକାର ନିକଟରେ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଅନ୍‌ଲାଇନ୍ ମାଧ୍ୟମରେ ସର୍ବସାଧାରଣ ଅଭିଯୋଗ ଶୁଣିବା ପାଇଁ ୨୧ ଦିନିଆ ଅବଧି ଘୋଷଣା କରିଥିଲେ। ବର୍ତମାନ ଏହି ଅବଧି ପୁରିବାକୁ ଯାଉଛି। ତେଣୁ ସାଧାରଣ ଲୋକ ଅନ୍‌ଲାଇନ୍‌ରେ ଆବେଦନ କରିବା କାଠିକର ପାଠ ହୋଇଛି। ସ୍ଥାନୀୟ ଜନସାଧାରଣ ତଥା ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଏଠାରେ ସେପରି ସ୍ୱାସ୍ଥ୍ୟ ଭିତିଭୂମି ନାହିଁ। ୨୦୧୩ ରୁ କୋଣାର୍କ ମାତୃମଙ୍ଗଳ ମେଡିକାଲ କାର୍ଯ୍ୟ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ। ଉଠା ବ୍ୟବସାୟୀମାନଙ୍କୁ ବିିଭିନ୍ନ ସମୟରେ ପ୍ରଶାସନ ଦ୍ୱାରା ହଇରାଣ ହରକତ କରାଯାଉଛି। ଚନ୍ଦ୍ରଭାଗା ପୁଷ୍କରିଣୀର ପରିଷ୍କାର ପରିଚ୍ଛନ୍ନତା ଓ ପରିବେଶ ଦିଗରେ ଗୁରୁତ୍ୱ ଦିଆଯାଉନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ କଂଗ୍ରେସ ନେତା ତଥା ପିସିସି ସାଧାରଣ ସଂପାଦକ ବିଶ୍ୱ ଭୂଷଣ ଦାସ, ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଓ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଜିତ୍ ମଙ୍ଗରାଜ ଅଭିଯୋଗ କରିବା ସହିତ ତୁରନ୍ତ କୋଣାର୍କ ଜମିଜମାର ସ୍ଥାୟୀ ସମାଧାନ, ସର୍ବସାଧାରଣ ଅଭିଯୋଗ ପାଇଁ ଆଉ ଏକ ମାସ ପର୍ଯ୍ୟନ୍ତ ସମୟ ବୃଦ୍ଧି, ଅନ୍‌ଲାଇନ୍ ଶୁଣାଣି ପରିବର୍ତେ କୋଣାର୍କ ଠାରେ ଜନଅଭିଯୋଗ କେନ୍ଦ୍ର ସ୍ଥାପନ ଓ ଏଠାରେ ଜଣେ ସରକାରୀ ଉଚ୍ଚପଦାଧିକାରୀ ନିଯୁକ୍ତି, କୋଣାର୍କ ମେଡିକାଲକୁ ହସ୍‌ପିଟାଲରେ ପରିଣତ, ବ୍ୟବସାୟୀମାନଙ୍କୁ ଉଠାଇବା ପୂର୍ବରୁ ସ୍ଥାୟୀ ଥଇଥାନ, ଭଗବତୀ ମନ୍ଦିର, ତ୍ରିବେଣୀଶ୍ୱର ମନ୍ଦିର ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଉନ୍ନତିକରଣ, ଧର୍ମପଦଙ୍କ ନାମରେ ଏକ ସୂଚନା କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଯଦି ସରକାର ତୁରନ୍ତ ଏହାର ସମାଧାନ ନକରନ୍ତି, କୋଣାର୍କ ନଗର କଂଗ୍ରେସ କମିଟି ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବା ସହିତ ଜନଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଏତଦ୍‌ବ୍ୟତୀତ ସରକାର କାକଟପୁରକୁ ତୁରନ୍ତ ଏନ୍‌.ଏ.ସି. ଘୋଷଣା କରିବା ଏବଂ ଅସ୍ତରଙ୍ଗ ବେଳାଭୂମି, ପୀର ଜାହାନିଆ ପୀଠକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ କିଷାନ ସେଲ୍ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.