Home ଓଡ଼ିଶା କୋଟିଆରେ ଆନ୍ଧ୍ରର ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି

କୋଟିଆରେ ଆନ୍ଧ୍ରର ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି

23

– ରାଜନୈତିକ ବାଦବିବାଦ ଭୁଲି ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦେଲେ ପ୍ରସ୍ତାବ
– ସୀମାବର୍ତ୍ତୀ ଅଂଚଳରେ କିପରି ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ପିଇବା ପାଣି ବିଜୁଳି, ପକ୍କାଘର ଯୋଗାଇ ଦିଆଯିବ ତାହା ପାଇଁ ବିଶେଷ ଧ୍ୟାନ ଦିଅନ୍ତୁ
-କୋଟିଆ କ୍ଲଷ୍ଟର ଡେଭେଲପମେଂଟ ଅଥରିଟି ନାମରେ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ ହେଉ

ଭୁବନେଶ୍ୱର, ୧୭/୦୨ (ଓଡଡ଼ିଆ ପୁଅ) – ଓଡିଶାର ସୀମାବର୍ତ୍ତୀ ଅଂଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ। ଚିଠିରେ ବିରୋଧୀ ଦଳ ନେତା ସୀମାବର୍ତ୍ତୀ ଗ୍ରାମ ଗୁଡିକର ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିବା ସହ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବନାକୁ ଅତ୍ୟନ୍ତ ଗୁରୁତର ସହିତ ନେଇ ରାଜନୈତିକ ବାଦବିବାଦକୁ ପଛରେ ପକାଇ ଓଡିଆ ଜାତିର ଭାବାବେଗକୁ ସର୍ବାଗ୍ରେ ରଖିବାକୁ ସେ ଅନୁରୋଧ କରିଛନ୍ତି।

ଏହାସହ ନିକଟରେ ସେ ଓ ବିଜେପିର ଏକ ପ୍ରତିନିଧି ଦଳ ଓଡିଶାର ସୀମାବର୍ତ୍ତୀ ଅଂଚଳ ଗସ୍ତ କରି ସ୍ଥାନୀୟ ସମସ୍ୟା, ସେମାନେ କାହିଁକି ଆନ୍ଧ୍ରରେ ସାମିଲ ହେବାକୁ ଚାହୁଁଛନ୍ତି ତାହା ଉପରେ ଅନୁସନ୍ଧାନ କରିଥିବା ଜଣାଇଛନ୍ତି।

ସୀମାବର୍ତ୍ତୀ ଅଂଚଳରେ କିପରି ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ପିଇବା ପାଣି ବିଜୁଳି, ପକ୍କାଘର ଯୋଗାଇ ଦିଆଯିବ ତାହା ପାଇଁ ବିଶେଷ ଧ୍ୟାନ ଦିଅନ୍ତୁ। ଏସବୁର ତ୍ୱରାନ୍ୱିତ କରିବା ପାଇଁ ଯୋଜନା ଓ ସମନ୍ୱୟ ବିଭାଗକୁ ବିଶେଷ ଦାୟୀତ୍ୱ ଓ ଉତରଦାୟୀତ୍ୱ ଦିଆଯାଉ। କୋଟିଆ କ୍ଲଷ୍ଟର ଡେଭେଲପମେଂଟ ଅଥରିଟି ନାମରେ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ ହେଉ ବୋଲି ସେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ସେହିପରି ସରକାର ତୁରନ୍ତ କୋଟିଆରୁ ପାଟୁସେନେରୀ, ଫଗୁଣ ସେନେରୀ, ରାଣାସିଂ, ଗଂଜେଇ ପଦର ଆଦି ଗାଁ ଗୁଡିକୁ ମିନି ବସ ବା କ୍ୟାଂଟର ସେବା ଯୋଗାଇ ଦିଅନ୍ତୁ। ଦୂର ଗାଁରେ ରହୁଥିବା ଲୋକମାନଙ୍କର ପଚାଂୟତ ଅଫିସ ଆସିବା, ପଚାଂୟତ ମାଧ୍ୟମରେ ଯୋଜନା ସେମାନଙ୍କ ପାଖରେ ପହଂଚିବାରେ ବାଧକ ସୃଷ୍ଟି ହେଉଛି। ୨୮ଟି ରାଜସ୍ୱ ଗ୍ରାମ, ୧୨ଟି ପଡା, ଏପରି ସର୍ବମୋଟ ୪୦ଟି ଜନପଦକୁ ଅତିକମରେ ୪ଟି ପଂଚାୟତରେ ଭାଗ କରାଯାଉ। ଆନ୍ଧ୍ର ସହିତ ସୀମା ବିବାଦ ହୋଇଥିବା ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରିର ସୀମାବର୍ତ୍ତୀ ଅଂଚଳରେ ଥିବା ସ୍କୁଲମାନଙ୍କରେ ଶୀକ୍ଷକ ପଦବୀ ତୁରନ୍ତ ପୁରଣ କରାଯାଉ। ଚେଷ୍ଟା କରାଯାଉ କିପରି ସେହି ଅଂଚଳର ସ୍ଥାନୀୟ ଯୁବକ ଯୁବତୀମାନେ ସେହି ସ୍କୁଲରେ ନିଯୁକ୍ତି ପାଇପାରିବେ। ତେଣୁ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରିର ଜିଲ୍ଲାପାଳ, ଓ ପୋଲିସ ଏସପି ପଦରେ କେବଳ ଓଡିଆ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ। ପ୍ରାଥମିକତା ଦୃଷ୍ଟିରୁ ଉପରୋକ୍ତ ଜିଲ୍ଲାମାନଙ୍କର ସୀମାବର୍ତ୍ତୀ ଅଂଚଳରେ ଯେଉଁ ଯେଉଁ ମାନେ ଦୁଇଟା ଭୋଟର କାର୍ଡ ରଖିଛନ୍ତି ସେମାନେ କିପରି ଆନ୍ଧ୍ରର ଭୋଟର କାର୍ଡ ଫେରାଇବେ ତାହାର ରଣନୀତି ସରକାର କରନ୍ତୁ। ଲୋକଙ୍କୁ ବୁଝାଇବାରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ସାମିଲ କରାଯାଉ।

ଏହାବ୍ୟତୀତ ଆମ ରାଜ୍ୟ ଭିତରେ ଥିବା ଆନ୍ତଃ ଜିଲ୍ଲା ସୀମା ବିବାଦକୁ ତୁରନ୍ତ ସମାଧାନ କରାଯାଉ।ସୀମାବର୍ତ୍ତୀ ସମସ୍ତ ଅଂଚଳ ଗୁଡିକ ଆଦିବାସୀ ବହୁଳ ଅଂଚଳ ହୋଇଥିବା କାରଣରୁ ସେମାନଙ୍କର ସଂସ୍କୃତିର କିପରି ସୁରକ୍ଷା ହୋଇପାରିବ ସେଥିପାଇଁ ସରକାର ବିଶେଷ ଯୋଜନା କରନ୍ତୁ। ସରକାର ସୁପ୍ରିମକୋର୍ଟରେ ମାମଲାର ରାୟ ଆସିବାକୁ ଅପେକ୍ଷା ନକରି ବିକାଶ କାମକୁ ଆଗେଇ ନିଅନ୍ତୁ, ତାହେଲେ ଯାଇ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.