Home ଜିଲ୍ଲା ପରିକ୍ରମା କେବେ ବଦଳିବ ମା’ ଭଦ୍ରକାଳୀ ପୀଠ ରାସ୍ତାର ଭାଗ୍ୟ!

କେବେ ବଦଳିବ ମା’ ଭଦ୍ରକାଳୀ ପୀଠ ରାସ୍ତାର ଭାଗ୍ୟ!

95

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଭଦ୍ରକାଳୀ ହେଉଛନ୍ତି ଭଦ୍ରକର ଆରାଧ୍ୟା ଦେବୀ । ୧୨ ମାସରେ ତେର ପର୍ବରେ ମା’ଙ୍କ ମନ୍ଦିରରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଭଦ୍ରକ ସମେତ ବିଭିନ୍ନ ଜିଲାରୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥାନ୍ତି । ତେଣୁ ଜିଲା ପର୍ଯ୍ୟଟନ ମାନଚିତ୍ରରେ ମା’ଙ୍କ ପୀଠର ସ୍ଥାନ ସ୍ୱତନ୍ତ୍ର । କିନ୍ତୁ ପରିତାପର ବିଷୟ ହେଉଛି ମା’ଙ୍କ ପୀଠକୁ ଯାଇଥିବା ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ କରୋନା ପାଇଁ ଲକଡାଉନ୍ ସ୍ଥିତି ଜାରି ରହିଥିବାରୁ ପର୍ଯ୍ୟଟକମାନେ ଏହି ପୀଠକୁ ଆସୁନାହାଁନ୍ତି । କିନ୍ତୁ ଲକଡାଉନ୍ ପୂର୍ବରୁ ମଧ୍ୟ ରାସ୍ତାର ଦୂରବସ୍ଥା ପାଇଁ ପର୍ଯ୍ୟଟକମାନେ ଏହି କ୍ଷେତ୍ରକୁ ଯିବାକୁ ମନ ବଳାଉନଥିଲେ । ତେଣୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା କାରଣରୁ ଏହି ପର୍ଯ୍ୟଟନ କ୍ଷେତ୍ର ଏବେ ଆକର୍ଷଣ ହରାଇବାରେ ଲାଗିଛି । ଯାହାକି ମା’ଙ୍କ ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ସମସ୍ତଙ୍କର ଗୋଟିଏ ଅପେକ୍ଷା, କେବେ ବଦଳିବ ମା’ଙ୍କ ପୀଠକୁ ଯାଇଥିବା ରାସ୍ତାର ଭାଗ୍ୟ! ମା’ ଭଦ୍ରକାଳୀଙ୍କ ପୀଠ ଭଦ୍ରକ ସହର ଠାରୁ ୧୨ କିଲୋମିଟର । ଦୀର୍ଘବର୍ଷ ପୂର୍ବରୁ ଏହି ପୀଠ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି । ତେବେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପୀଠକୁ ଅତୀତରେ କେବେ ସେପରି ଗୁରୁତ୍ୱ ଦିଆଯାଇ ନାହିଁ । ପୀଠର ଉନ୍ନତି ନିମିତ୍ତ ଅଳ୍ପ କିଛି ସରକାରୀ ଅନୁଦାନ ପୂର୍ବରୁ ଆସିଥିଲେ ମଧ୍ୟ ତାହା ମା’ଙ୍କ ମନ୍ଦିରର ଉନ୍ନତିକରଣ ଓ ଅନ୍ୟ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହୋଇଛି । କିନ୍ତୁ ଏହି ପୀଠକୁ ଯାଇଥିବା ୧୨ କିମି ଲମ୍ବର ରାସ୍ତାର ପୁନରୁଦ୍ଧାର ତଥା ପ୍ରଶସ୍ତିକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କେତେବେଳେ କେମିତି ପେଚ୍ ପକା କାମ ବ୍ୟତୀତ କୌଣସି ଯୋଜନାବଦ୍ଧ ଉଦ୍ୟମ ହୋଇନାହିଁ । ଫଳରେ ଏହି ଆଧ୍ୟାତ୍ମିକ ପୀଠକୁ ଏଯାବତ୍ ଭଲ ରାସ୍ତା ଖଣ୍ଡେ ନାହିଁ ।

 

ଫଳରେ ଇଚ୍ଛା କରି ମଧ୍ୟ ପର୍ଯ୍ୟଟକମାନେ ସେଠାକୁ ଯାଇ ନପାରି ଦର୍ଶନରୁ ବଂଚିତ ହୋଇ ଚାଲିଛନ୍ତି । ସୂଚନା ଥାଉକି, ଭଦ୍ରକ କଚେରୀ ବଜାରରୁ ମା’ଙ୍କ ପୀଠକୁ ଲମ୍ବିଥିବା ୧୨ କିମି ଲମ୍ବର ରାସ୍ତାର ୯୦ ପ୍ରତିଶତ ଭଦ୍ରକ ପୌରାଞ୍ଚଳ ମଧ୍ୟରେ ରହିଛି । ବିଭିନ୍ନ ସ୍ଥାନରେ ଉକ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଶ୍ୱର୍ ଅଂଚଳ ଜବର ଦଖଲକାରୀଙ୍କ କବଜାରେ ରହିଛି । ଏହି ଜବରଦଖଲ ହଟାଇବାକୁ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ଉଦ୍ୟମ କରିନାହିଁ କିମ୍ବା ଜବରଦଖଲକାରୀଙ୍କ ବିରୋଧରେ ଯିବାକୁ ସାହସ ଜୁଟାଇ ପାରିନାହିଁ । ତେବେ ଗତବର୍ଷ ଭଦ୍ରକ ବିଧାୟକ ସଂଜୀବ ମଲ୍‌ଲିକଙ୍କ ଉଦ୍ୟମରେ ଏହି ପୀଠର ଉନ୍ନତି ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ପ୍ରଦାନ କରିଥିଲେ । ମନ୍ଦିରର ଭିତ୍ତିଭୂମିର ଉନ୍ନତି ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ଓ ସେଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି । କିନ୍ତୁ ଯେପର୍ଯ୍ୟନ୍ତ ଉକ୍ତ ପୀଠକୁ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ ଓ ପୁନରୁଦ୍ଧାର ଦିଗରେ ସ୍ୱତନ୍ତ୍ର ବିଭାଗୀୟ ବ୍ୟବସ୍ଥା ନହୋଇଛି, ସେତେଦିନ ଯାଏ ଏହି ପୀଠ ଅବହେଳିତ ହୋଇ ରହିଥିବ ବୋଲି ମନ୍ଦିର ସେବାୟତଙ୍କ ସମେତ ମା’ଙ୍କୁ ବହୁ ଶ୍ରଦ୍ଧାଳୁ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.