Home ଓଡ଼ିଶା କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଛକାପଞ୍ଝା

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଛକାପଞ୍ଝା

41

କେନ୍ଦ୍ରାପଡା, ୨୦/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଗତ ସେପ୍ଟେମ୍ବରମାସ ୧୫ତାରିଖରେ ବିୟୋଗ ପରେ ସେହି ପଦ ନିମନ୍ତେ ଆସନ୍ତା ୨୯ତାରିଖରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବା ପରେ ଆସନ୍ତା ନଭେମ୍ବରମାସ ୬ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହିପଦ ପାଇଁ ଅତ୍ୟନ୍ତ ଆଶାୟି ହୋଇପଡିଥିବା ଜନୈକ ସମିତିସଭ୍ୟ ବ୍ଲକର ବିଭିନ୍ନ ପଂଚାୟତର କେତେକ ସଭ୍ୟ ବା ତାଙ୍କର ସମ୍ପର୍କୀୟଙ୍କୁ ଏଠାରୁ ନେଇ ଭୁବନେଶ୍ୱରରେ ରଖିଥିବା ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି। ଗତ କିଛିବର୍ଷ ତଳେ ସଂପୃକ୍ତ ସମିତିସଭ୍ୟଙ୍କ ପତ୍ନୀ ଏହି ବ୍ଲକର ଅଧ୍ୟକ୍ଷା ଥିବା ସମୟରେ ବ୍ଲକରେ ବିଭିନ୍ନ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିସହିତ ତାଙ୍କ ସମୟରେ ବ୍ଲକରେ ବିଭିନ୍ନ ବିଶୃଙ୍ଖଳା ହେବା ସହିତ ଉନ୍ନୟନ କାର୍ଯ୍ୟ ଏକରକମ ଠପ ହୋଇଯାଇଥିଲା। ଏସବୁ ପରେବି ଏବେ ସଂପୃକ୍ତ ସମିତିସଭ୍ୟ ବ୍ଲକର ଅଧ୍ୟକ୍ଷ ହେବାକୁ ମନବଳେଇବା କେତେଦୁର ଯୁକ୍ତିଯୁକ୍ତ ତାହା ବିଚାର କରାଯିବା ଆବଶ୍ୟକ। ଅନ୍ୟପଟରେ କ୍ଷମତାସୀନ ସରକାରୀ ଦଳର ଏହି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଉପଯୁକ୍ତ ପ୍ରାଥିୀ ଚୟନ ନହେଲେ ଗତ ୨୦୦୭ମସିହାର ପୁନରାବୃତ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜେଡି ଦଳ ସମର୍ଥୀତ ସମିତି ସଭ୍ୟଙ୍କ ମଧ୍ୟରୁ ୩ଜଣ ସମିତିସଭ୍ୟ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ପ୍ରାଥିୀ ଥିବା ଜଣାପଡିଛି। ସେମାନେ ହେଲେ ଓସ୍ତପୁର ପଂଚାୟତର ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ ଓ ଭରତପୁର ପଂଚାୟତର ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ ଏବଂ ପଳସିଂହା ପଂଚାୟତର ସମିତିସଭ୍ୟ ଶିବ ପ୍ରସାଦ ଭଳ। ଗତ ୨୦୧୭ମସିହା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବେଳେ ଏହି ୩ଜଣ ସମିତିସଭ୍ୟ ଆଶାୟୀ ଥିଲେ ମଧ୍ୟ ସେତେବେଳେ ଦଳ ସ୍ୱର୍ଗତ ଅନାମବନ୍ଧୁ ଧଳଙ୍କୁ ଅଧ୍ୟକ୍ଷ ପ୍ରାଥିୀ ଭାବେ ଚୟନ କରିଥିଲା ଓ ବିଜୟ ଲାଭ କରିଥିଲେ। ସମିତିସଭ୍ୟ ଶ୍ରୀ ରାଉତ ଓ ଶ୍ରୀ ବିଶ୍ୱାଳଙ୍କୁ ଛାଡିଦେଲେ ଅନ୍ୟତମ ଆଶାୟୀ ଶ୍ରୀ ଭଳଙ୍କ ପତ୍ନୀ ଗତ ୨୦୧୨ ମସିହାରେ ଏହି ବ୍ଲକର ଅଧ୍ୟକ୍ଷା ଥିବା ସମୟରେ ଏହି ବ୍ଲକ ଅନ୍ତର୍ଗତ ତାଙ୍କ ନିଜ ପଳସିଂହା ଗ୍ରାମପଂଚାୟତରେ ବିଭିନ୍ନ ଦୁର୍ନିତୀ ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ମଧ୍ୟରୁ ଲାଇଭଷ୍ଟକ ଏଡ ସେଂଟର ନିର୍ମାଣରେ ହୋଇଥିବା ଦୁର୍ନିତୀର ତଦନ୍ତ ଦାବି କରାଯାଇଥିଲା। ପଳସିଂହା ଗ୍ରାମପଂଚାୟତର ଅଧିବାସୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଲାଇଭଷ୍ଟକ ଏଡ ସେଂଟର ନିର୍ମାଣରେ ହୋଇଥିବା ଦୁର୍ନିତୀର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି କରିଥିଲେ। ଅଭିଯୋଗ ଅନୁଯାଇ ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ପଳସିଂହା ପଂଚାୟତରେ ଲାଇଭ ଷ୍ଟକ ଏଡ ସେଂଟର ନିର୍ମାଣ ପାଇଁ ୪ଲକ୍ଷ ୨୫ହଜାର ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ଏହି ସେଂଟର ନିର୍ମାଣ ନିମନ୍ତେ ପଳସିଂହା ମୈାଜାର ସଂରକ୍ଷିତ ଖାତା ନମ୍ବର ୧୦୭୬ ଓ ପ୍ଲଟ ନମ୍ବର ୧୧୭୯ ଏରିଆ ଏ ୦-୦୧ ଡିସିମିଲ ଘରବାରୀ କିଷମ ଜମି ଉପରେ ନିର୍ମିତ ହୋଇଥିବା ପଳସିଂହା ଗ୍ରାମର ମହେନ୍ଦ୍ର ମଳିକ ସୂଚନା ଅଧିକାର ଆଇନରେ ବ୍ଲକ ରେକର୍ଡରୁ ସୂଚନା ପାଇଥିଲେ। ସେହି କାର୍ଯ୍ୟଟି ବ୍ଲକର ତତକାଳୀନ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦ୍ଦେଶ ଗତ ତା ୨୭-୧୨-୨୦୧୦ରିଖରେ ପ୍ରଦାନ କରାଯାଇଥିଲା। ସେହି କାର୍ଯ୍ୟ ନିମନ୍ତେ ପ୍ରଥମ କିସ୍ତି ବାବଦରେ ଗତ ତା ୯-୦୩-୨୦୧୬ରିଖରେ ୨ଲକ୍ଷ ୨୧ହଜାର ୬୮୫ଟଙ୍କା ଅଗ୍ରୀମ ଉଠାଯାଇଥିବା ବେଳେ ଦ୍ୱିତୀୟ କିସ୍ତିରେ ଗତ ତା ୯, ୦୧-୨୦୧୭ରିଖରେ ୧ଲକ୍ଷ ୧୬ହଜାର ୯୯୮ଟଙ୍କା ଅଗ୍ରୀମ ଉଠାଯାଇଥିଲା। ଗତ ତା ୬-୧୦-୨୦୧୭ରିଖରେ ଅନ୍ୟଜଣେ ତତକାଳୀନ କନିଷ୍ଠ ଯନ୍ତ୍ରୀ ନାରାୟଣ ରଣାଙ୍କ ନାମରେ କାର୍ଯ୍ୟାଦ୍ଦେଶ ପରିବର୍ତ୍ତନ କରାଯାଇ ୮୬ହଜାର ୩୮୭ଟଙ୍କା ଉଠାଯାଇଥିବା ସୂଚନା ଅଧିକାର ଆଇନରେ ବ୍ଲକରୁ ମିଳିଥିବା ତଥ୍ୟରୁ ସୂଚନା ମିଳିଥିଲା। କିନ୍ତୁ ଏହି ନିର୍ମାଣ ପାଇଁ ପ୍ରଦାନ କରାଯାଇଥିବା କାର୍ଯ୍ୟାଦ୍ଦେଶରେ ଉଲ୍ଲେଖଥିବା ପଳସିଂହା ମୈାଜାର ଖାତା ନମ୍ବର ୧୦୭୬ ଓ ପ୍ଲଟ ନମ୍ବର ୧୧୭୯ ଉପରେ କୈାଣସି ଗୃହ ନଥିବା ଅଭିଯୋଗ ହୋଇଥିଲା। ତେଣୁ ଏହି ୪ଲକ୍ଷ ୨୫ହଜାର ଟଙ୍କା ସରକାରୀ ଅନୁଦାନ ଅର୍ଥକୁ ମିଥ୍ୟା ବିଲ ପ୍ରସ୍ତୁତ କରାଯାଇ ହଡପ କରାଯାଇଥିବା ଯୋଗୁଁ ଏଥିନିମନ୍ତେ ଦାୟୀ ପୂର୍ବତନ କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ସାହୁ ଓ ନାରାୟଣ ରଣା, ପୂର୍ବତନ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ପ୍ରଧାନ, ପୂର୍ବତନ ବିଡିଓ କିଶୋର ଚନ୍ଦ୍ର ସ୍ୱାଇଁ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିବେଦିତା ସାମଲଙ୍କ ବିରୋଧରେ ଦୃଢ କାର୍ଯୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ଏହି ପଂଚାୟତଟି ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାମଲଙ୍କ ନିଜ ପଂଚାୟତ ହୋଇଥିବାରୁ ଏଠାରେ ହଡପ ହୋଇଥିବା ସମସ୍ତ ସରକାରୀ ଅର୍ଥ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ଓ ସହଯୋଗରେ ହୋଇଛି ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ତେଣୁ ତୁରନ୍ତ ସେହି କେଶ ରେକର୍ଡକୁ ଜବତ କରାଯିବା ସହ ସଂପୃକ୍ତ ସ୍ଥାନକୁ ପରିଦର୍ଶନ ପୂର୍ବକ ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଏଭଳି ମହାଦୁର୍ନିତୀ ପାଇଁ ଦାୟୀ ସମସ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋରରୁ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ଦାବି କରାଯାଇଥିଲା। ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରେ ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠିରୁ ମଞ୍ଜୁର ହୋଇଥିବା ୩ଲକ୍ଷ ଟଙ୍କା ଅନୁଦାନରେ ଏହି ପଂଚାୟତର ଗରଜଙ୍ଗା ରାଜସ୍ୱ ଗ୍ରାମର ଆମ୍ବପଡାରେ ପୂର୍ବତନ ସରପଂଚ ମଧୁସୁଦନ ଭଳଙ୍କ ନାମରେ ମଧୁସୁଦନ କମ୍ୟୁନିଟି ସେଂଟର ଓ ଏକ ଅଙ୍ଗନୱାଡି କେନ୍ଦ୍ର ଗୃହ ଖାତା ନମ୍ବର ୬୨୬, ପ୍ଲଟ ନମ୍ବର ୧୭୯୧ ଗୋଚର କିଷମ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପଂଚାଦୟତବାସୀଙ୍କ ପକ୍ଷରୁ ଶରତ ଚନ୍ଦ୍ର ଭଳ, ମହେନ୍ଦ୍ର କୁମାର ମଳିକ, ଶଶୀକାନ୍ତ ମଳିକ, ଭିକାରୀ ପରିଡା, ଗୋପବନ୍ଧୁ ସେଠୀ, ବସନ୍ତ ସେଠୀ, ରଶ୍ମୀତା ସେଠୀ, ଚାନ୍ଦିନୀ ସେଠୀ, ରାମଚନ୍ଦ୍ର ବେହେରା, ମଦନମୋହନ ସେଠୀ, ଜଗବନ୍ଧୁ ପଲାଇ, ଖଗେଶ୍ୱର ମଳିକ, ବିଚିତ୍ର ନାୟକ ପ୍ରମୁଖ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରାଯିବ ବୋଲି ଅଭିଯୋଗକାରୀମାନଙ୍କୁ ସେତେବେଳେ ପ୍ରତିଶୃତି ଦେଇଥିବା ବେଳେ ଏପର୍ଯ୍ୟନ୍ତ ତଦନ୍ତର ଫଳାଫଳ କିଛି ଜଣାପଡିନାହିଁ। ତେଣୁ ଏଭଳି ଅଭିଯୋଗର ବିଧିବଦ୍ଧ ତଦନ୍ତ କରାଯାଇ ସତ୍ୟତା ପ୍ରକାଶ ପାଇବା ପୂର୍ବରୁ ସେହି ପଂଚାୟତର ସମିତିସଭ୍ୟ ତଥା ତତକାଳିନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଯଦି ଦଳ ପକ୍ଷରୁ ପ୍ରାର୍ଥୀ କରାଯାଏ ତେବେ ଦଳର ଅନ୍ୟ ସମିତିସଭ୍ୟ/ସଭ୍ୟାମାନେ ହୁଏତ ଏହାକୁ ଗ୍ରହଣ କରିନପାରନ୍ତି। ଏତଦଭିନ୍ନ ସାଧାରଣରେ ଦଳର ଭାବମୂର୍ତ୍ତି ମଧ୍ୟ ନଷ୍ଟହେବାର ଆଶଙ୍କା ରହିଛି। ଏସବୁକୁ ଦଳ ପକ୍ଷରୁ ବିଚାର କରାଯାଇ ଏହି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବାର ଆବଶ୍ୟକତା ରହିଛି। ନଚେତ ଆଗାମୀ ଦିନରେ ଦଳକୁ ବହୁ ମୁଲ୍ୟ ଦେବାକୁ ପଡିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତଦେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.