Home ଓଡ଼ିଶା କେନ୍ଦୁଝର: ବିଆରପିଏଲ୍ କାରଖାନାରେ ଝୁଲିଲା ତାଲା: ଢିଲା ସୁରକ୍ଷା ବ୍ୟବସ୍ଥା ଦୁର୍ଘଟଣାର ମୂଳ କାରଣ :...

କେନ୍ଦୁଝର: ବିଆରପିଏଲ୍ କାରଖାନାରେ ଝୁଲିଲା ତାଲା: ଢିଲା ସୁରକ୍ଷା ବ୍ୟବସ୍ଥା ଦୁର୍ଘଟଣାର ମୂଳ କାରଣ : କାର୍ଯ୍ୟାନଷ୍ଠାନକୁ ନେଇ ସନ୍ଦେହରେ ଜିଲ୍ଲାବାସୀ

257

କେନ୍ଦୁଝର, ୨୬ ଫେବୃୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବିଆରପିଏଲ୍ ବେନିଫିକେଶନ ପ୍ଲାଣ୍ଟରେ ଝୁଲିଲା ତାଲା। ଢିଲା ସୁରକ୍ଷା ବ୍ୟବସ୍ଥା ସହ ଅତ୍ୟନ୍ତ ହେୟ ମନୋଭାବ କାରଣରୁ କେନ୍ଦୁଝର ଜିଲ୍ଲା ବଡବିଲ ନିକଟସ୍ଥ ଟଟୋଂ ଠାରେ ଥିବା ବିଆରପିଏଲ୍ ବେନିଫିକେଶନ ପ୍ଲାଣ୍ଟ ପରିସରରେ ଟ୍ରକ ଧକ୍କାରେ ସୁନିଲ କୁମାର ନାମକ ଜଣେ ୩୬ ବର୍ଷିୟ ହେଲପରଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ମୂଳରେ କମ୍ପାନୀର ଦାୟିତ୍ୱହୀନତା ଏବଂ ସୁରକ୍ଷାଜନିତ ତୃଟିଯେ ମୁଖ୍ୟ କାରଣ ତାହା ଏକପ୍ରକାର ସ୍ପଷ୍ଟ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀ ଏହାକୁ ହାଲୁକା କରି କମ୍ପାନୀ ସପକ୍ଷରେ କ୍ଳିନଚିଟ୍ ଦେବା ପ୍ରଚେଷ୍ଟାରେ ଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯାଜପୁରସ୍ଥିତ କାରଖାନା ଓ ବାଷ୍ପିତ ଉପନିର୍ଦ୍ଦେଶକ ଇଂ ଉମେଶ ଚନ୍ଦ୍ର ସୂତାର କାରଖାନା ପରିଦର୍ଶନ କରିବା ପରେ କାରଖାକୁ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପରେ ବଡିବଲ ପୋଲିସ ନାମକୁ ମାତ୍ର ଏକ ମାମଲା ରୁଜ୍ଜୁ କରି ଦୂର୍ଘଟଣା ଘଟାଇଥିବା ଟ୍ରକକୁ ଜବତ୍ କରିବା ସହ ଡ୍ରାଇଭରକୁ ଗିରଫ କରି ପାରିବାପଣ ଦେଖାଇବାକୁ ଚେଷ୍ଟା କରିଛି ସତ କିନ୍ତୁ ଯେଉଁ କାରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ତଥା ସୁରକ୍ଷା ବ୍ୟବସ୍ଥାରେ ଅଣଦେଖା କାରଣରୁ ଯେଭଳି ଅକାରଣରେ ଏକ ଅମୂଲ୍ୟ ଜୀବନ ଚାଲିଗଲା ସେଦିଗ ପ୍ରତି ପୋଲିସ ସଂପୂର୍ଣ୍ଣ ଆଖି ବୁଜି ଦେଇ କମ୍ପାନୀକୁ ସୁରକ୍ଷା ଦେବାକୁ ଅଧିକ ଆଗ୍ରହୀ ରହିଥିବା ଲକ୍ଷ୍ୟ କରାଯାଉଛି। ଏପରିକି ସରକାରୀ ଚାକିରୀ ଛାଡି କମ୍ପାନୀ ଚାକିରୀକୁ ଲମ୍ପ ପ୍ରଦାନ କରିଥିବା ଜିଲ୍ଲାରେ କାର୍ଯ୍ୟରତ ଜଣେ ଅଧିକାରୀ ଏବେ ବିଆରପିଏଲ କାରଖାନା ଦୁର୍ଘଟଣାକୁ ରଫାଦଫା କରିବା ଲକ୍ଷ୍ୟରେ ଅର୍ଥକୁ କୁଆଡେ ମୁଖ୍ୟ ଆୟୁଧ କରିଥିବା ଆଲୋଚନାକୁ ସହଜେ ଏଡାଇ ଦିଆଯାଇପାରୁନାହିଁ।। ଯଦ୍ୱାରା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କ୍ଷେତ୍ରରେ ପୋଲିସ ଏବଂ ସଂପୃକ୍ତ ଅନ୍ୟ ବିଭାଗ ମାନଙ୍କର ପଛଘୁଞ୍ଚା, ସେମାନଙ୍କର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ ହୋଇଛି। କାରଖାନାର ଗୁରୁତ୍ୱପୁର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ହେୟଜ୍ଞାନ ତଥା ଲୋଡିଂ ଏବଂ ଅନଲୋଡିଂ କ୍ଷେତ୍ରରେ ସଂପୂର୍ଣ୍ଣ ଅଣଦେଖା ତଥା ବେଖିଆଲ କାରଣରୁ ଜଣେ ନିରୀହ ଲୋକର ଅକାଳରେ ଜୀବନ ଚାଲିଯିବା ଘଟଣାରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଠାରେ ବଡବଡିଆଙ୍କ ଆଗରେ ଗରୀବ ମଣିଷର ଜୀବନ ଯେପରି ତୁଛ ହୋଇ ପଡିଥିବା ସ୍ପଷ୍ଟ ହୋଇଛି। ଏପରି କି ଦୁର୍ଘଟଣା ପରେ ସୁନୀଲଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ତ୍ୱରିତ ଆମ୍ବୁଲାନ୍ସ ଦିଆ ନ ଯିବା କାରଣରୁ ଦୁର୍ଘଟଣାରେ ଛଟପଟ ହେଉଥିବା ଅବସ୍ଥାରେ ବିଳମ୍ବରେ ଚିକିତ୍ସାଳୟ ନିଆଯିବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାଦ୍ୱାରା କାରଖାନା ପରିସରରେ ସୁରକ୍ଷା ବ୍ୟବସ୍ଥା ଅଣଦେଖା କାରଣରୁ ଏଭଳି ଅଘଟଣ ଘଟୁଥିବା ସ୍ପଷ୍ଟ ହୋଇଛି। ମୃତ ସୁନୀଲର ଘର ଉତ୍ତରପ୍ରଦେଶ ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇ ସେ ଟ୍ରକରେ ହେଲପର କାର୍ଯ୍ୟକରୁଥିବାବେଳେ ଗତ କିଛି ମାସ ହେବ ବଡବିଲରେ ସ୍ତ୍ରୀ, ୨ପୁଅ ଓ ୨ଝିଅ ସହ ରହୁଥିଲେ। କମ୍ପାନୀ କର୍ତ୍ତୃପକ୍ଷ ମୃତ ସୁନୀଲଙ୍କ ପରିବାରକୁ ତରୁନ୍ତ କ୍ଷତିପୁରଣ ଦେବା ସହ ପରିବାର ପ୍ରତିପୋଷଣ ଦାୟିତ୍ୱ ନେବାକୁ ଦାବି ଉଠିଛି। ଏଦିଗରେ ଜିଲ୍ଲା କର୍ତ୍ତୃପକ୍ଷ ପଦକ୍ଷେପ ନେବା ଲାଗି ବିଭନ୍ନ ମହଲରୁ ଦାବି ଉଠିଛି। କିନ୍ତୁ ଦାୟିତ୍ୱହୀନତା ଜଣେ ନିରୀହ ଲୋକର ମୃତ୍ୟୁ ଘଟଣାରେ କମ୍ପାନୀ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର।

କେନ୍ଦୁଝର ଜିଲ୍ଲାର ବଡବିଲ ନିକଟସ୍ଥ ଭଦ୍ରାସାହି-କୋଇଡା ରାସ୍ତାର ଟଟୋଂଠାରେ ବିଆର୍ପିଏଲ୍ ଏକ ବେନିଫିକେଶନ ପ୍ଲାଣ୍ଟ କରିଛି। ବିଭିନ୍ନ ଖଣିରୁ ଲୁହାପଥର ଆଣି ତାକୁ ବିଶୋଧନ କରିବା ପରେ ସ୍ଳରୀପାଇପ୍ ଯୋଗେ ଯାଜପୁରର କଳିଙ୍ଗନଗରସ୍ଥିତ କାରଖାନାକୁ ପଠାଉଛି। ଏବଂ ବିପୁଳପରିମାଣର ଲାଭ କରୁଛି। ଲୁହାପଥର ପରିବହନଠାରୁ ଆରମ୍ଭ କରି ବିଶୋଧନ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ବିଶେଷ ଉପକାର ହେଉନାହିଁ। ବରଂ ଜିଲ୍ଲାବାସୀ ଧୂଳିଧୂଆଁଠାରୁ ଆରମ୍ଭ କରି ବେକାରୀ ସମସ୍ୟା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ଲୁହାପଥର ବିଶୋଧନ ଠାରୁ ପ୍ରେରଣ ପର୍ଯ୍ୟନ୍ତ ବୈତରଣୀ ନଦୀରୁ କମ୍ପାନୀ ଜଳ ବ୍ୟବହାର ଯୋଗୁଁ ଖରା ଦିନରେ ବୈତରଣୀ ନଦୀ ଶୁଷ୍କ ହୋଇଯାଉଛି। ଏହା ବିରୁଦ୍ଧରେ ବାରମ୍ବାର ପ୍ରତିବାଦ ସତ୍ୱେ୍ୱ ଜଳସମ୍ପଦ ବିଭାଗ ଗୁରୁତ୍ୱ ଦେଉନଥିବା ବଡବିଲ ସିଭିଲ ସୋଇଟିର ଆବାହକ ଅଶୋକ ଠକ୍କର ଅଭିଯୋଗ କରିବା ସହ ଆଗାମି ଦିନରେ ଏହି ଘଟଣାରେ ନଦୀ ସୁରକ୍ଷା ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଶ୍ରୀ ଠକ୍କର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.