Home କେନ୍ଦୁଝର କେନ୍ଦୁଝର ଜିଲ୍ଲାର ସମସ୍ତ ରାସ୍ତା ସିଲ କଲା ପ୍ରଶାସନ

କେନ୍ଦୁଝର ଜିଲ୍ଲାର ସମସ୍ତ ରାସ୍ତା ସିଲ କଲା ପ୍ରଶାସନ

575

ହାଟଡ଼ିହି, ୨୪ । ୪ : ଗତ ୪ଦିନ ହେଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅଞ୍ଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି । ଆଜି ଗୋଟିଏ ଦିନରେ ଭଦ୍ରକରୁ ୫ଜଣ ରୋଗୀ ଚିହ୍ନଟ ହେବାପରେ ହାଟଡିହି ଅଞ୍ଚଳବାସୀଙ୍କ ମନରେ ଭୟ ସଂଚାର ହୋଇଛି । କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକଟି କରୋନା ଆକ୍ରାନ୍ତ ତିନୋଟି ଯାକ ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବାର ଏହିବାଟ ଦେଇ ଅନେକ ଲୋକ ବାହାରୁ ପଳାଇ ଆସିବାର ଆଶଙ୍କା ରହିଛି । ଉତ୍ତରରେ ବାଲେଶ୍ୱର ଜିଲ୍ଲା ପୁର୍ବରେ ଭଦ୍ରକ ଓ ଦକ୍ଷିଣରେ ଯାଜପୁର ଜିଲ୍ଲାର ସୀମାନ୍ତ ହେଉଛି ହାଟଡିହି ବ୍ଲକ । ବ୍ୟବସାୟିକ ଓ ସାମାଜିକ ଦୃଷ୍ଟି କୋଣରୁ ହାଟଡିହି ବ୍ଲକର ଲୋକମାନେ ଏହି ତିନୋଟି ଜିଲ୍ଲା ଉପରେ ନିର୍ଭରଶୀଳ । ଏପରିକି ଅଧିକାଶଂ ଲୋକଙ୍କ ବନ୍ଧୁବାନ୍ଧବ ମଧ୍ୟ ଏହିସବୁ ଜିଲ୍ଲାର । ପୁର୍ବରୁ ଭଦ୍ରକ, ଓ ଯାଜପୁର, ଜିଲ୍ଲର କିଛି କରୋନା ଆକ୍ରାନ୍ତଙ୍କ ଲିଙ୍କ ମଧ୍ୟ ହାଟଡିହି ଅଞ୍ଚଳରେ ରହିଛି । ତେଣୁ ପ୍ରଶାସନ ପକ୍ଷରୁ ଏହିସବୁ ଜିଲ୍ଲାକୁ ସଂଯୋଗ କରାଯାଉଥିବା ସମସ୍ତ ସୀମାକୁ ସିଲ କରିଦେଇଛି । ଯେପରି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଅଞ୍ଚଳରୁ ଲୋକମାନେ ନଆସିବେ କି ବାହାର ରାଜ୍ୟରୁ ନଆସିବେ ସେଥିପାଇଁ ଦିନରାତି ପୁଲିସ ପକ୍ଷରୁ ପହରା ଦେବାର ବ୍ୟବସ୍ଥା କରାଯାଇଛି । ନନ୍ଦିପଦା ପୁଲିସ ପକ୍ଷରୁ ଭଦ୍ରକ ଜିଲ୍ଲା ସୀମାନ୍ତ ସରଳାଛକ, ନୁଆଗାଁ, ଜଗନାଥପୁର, ମଧୁରଗଡିଆ ନିକଟରେ ସିଲ କରିଥିବାବେଳେ ଯାଜପୁର ଜିଲ୍ଲା ପାଇଁ ହାବଳେଶ୍ୱର ନିକଟରେ ମଥୁରାପୁର ବୈତରଣୀ ପୋଲ ରାସ୍ତାକୁ ସିଲ କରିଛି । ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଥିବା ୫୩ନଂ ରାଜ୍ୟ ରାଜପଥରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରାଯାଉଥିବାବେଳେ କଡାକଡି ଚେକିଂ କରାଯାଉଛି । କେନ୍ଦୁଝର ପୁଲିସ ପକ୍ଷରୁ ତନ୍ନତନ୍ନ କରି ଗାଡି ଗୁଡିକୁ ଚେକିଂ କରାଯାଉଛି । ରତକଣା, ହାବଳେଶ୍ୱର ଦୁଇଟି ଗାଁକୁ ସମ୍ପୁର୍ଣ୍ଣ ସିଲ କରାଯାଇଥିବାବେଳେ ଗାଁ ବାହାରର କୌଣସି ଲୋକଙ୍କୁ ଭିତରକୁ ଛଡା ଯାଉ ନାହିଁ । ସେହିପରି ସୋସୋ ଥାନା ଅଧିନସ୍ଥ ବାଲେଶ୍ୱର ସୀମାର ସିଆଡିମାଳିଆ, ମହୁଲପଙ୍ଖା, କାହାଳିଆଗଡିଆ, ଅନ୍ଧାରୀ, ଭଦ୍ରକ ସୀମାର ମୋଉଦା, କାନପୁର ମୁଖ୍ୟରାସ୍ତା, କାନପୁର କେନାଲ ରାସ୍ତା, ପଦାରୁଖା ନିକଟରେ ସୀମା ସିଲ କରିଛି । ଆଜି କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ତହସିଲଦାର ସମସ୍ତ ସୀମାକୁ ଯାଇ ସ୍ଥିତି ସମୀକ୍ଷା କରିବା ସହିତ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କ ସହ ଆଲୋଚନା କରୁଛନ୍ତି । ଯେପରି ବାହାର ଜିଲ୍ଲାର ଲୋକ ଭିତରକୁ ନପସନ୍ତି ତାହା ଉପରେ ସଜାଗ ଦୃଷ୍ଟି ରଖିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.