Home କେନ୍ଦୁଝର କେନ୍ଦୁଝର ଜିଲ୍ଲାରେ ମହୁଲ ଫୁଲ ସଂଗ୍ରହକାରୀ ଓ ବ୍ୟବସାୟୀଙ୍କ ଦୁର୍ଦ୍ଦଶା ବଢୁଛି : ସନ୍ଦେହରେ ଅବକାରୀ...

କେନ୍ଦୁଝର ଜିଲ୍ଲାରେ ମହୁଲ ଫୁଲ ସଂଗ୍ରହକାରୀ ଓ ବ୍ୟବସାୟୀଙ୍କ ଦୁର୍ଦ୍ଦଶା ବଢୁଛି : ସନ୍ଦେହରେ ଅବକାରୀ ବିଭାଗ ଭୁମିକା

723

କେନ୍ଦୁଝର, ୧୫ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ମହୁଲ ଫୁଲ ସଂଗ୍ରହକାରୀଙ୍କ ସହିତ ବ୍ୟବସାୟୀ ମଧ୍ୟ ଦିନକୁ ଦିନ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ବଢିବାରେ ଲାଗିଛି ସେମାନଙ୍କ ଅସୁବିଧା। ଏପଟେ ଜିଲ୍ଲା ଅବକାରୀ ବିଭାଗର ଦାୟିତ୍ୱହୀନତା ଯୋଗୁଁ ପଡ଼ୋଶୀ ରାଜ୍ୟରୁ ଟ୍ରିପ୍ ଟ୍ରିପ୍ ମହୁଲ ଫୁଲ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର ମହୁଲ ଫୁଲ ବ୍ୟବସାୟୀ ଅସୁବିଧାରେ ପଡିବା କାରଣରୁ ତାହା ଗରୀବ ସଂଗ୍ରହକାରୀଙ୍କ ପେଟପାଟଣା ଉପରେ ପ୍ରଭାବ ପକାଇଛି। ବଲାଙ୍ଗୀର କଟାଂବାଞ୍ଜି ଅଞ୍ଚଳର ଜଣେ ପ୍ରଭାବଶାଳୀ ଅସାଧୁ ମହୁଲ ଫୁଲବ୍ୟବସାୟୀ ପଡ଼ୋଶୀ ପଶ୍ଚିମବଙ୍ଗକୁ ମହୁଲଫୁଲ ପଠାଇବା ବାହାନାରେ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ନିଜର ଅସାଧୁ ବ୍ୟବସାୟ ବଳବତର ରଖିଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଆସୁଛନ୍ତି। ଏହି ଜିଲ୍ଲା ଗୁଡ଼ିକରେ ଶୁଖିଲା ମହୁଲ ଫୁଲର ରଙ୍ଗ ଫିକା ଏବଂ କଳା ଦିଶୁଥିବାରୁ ଚୋରା ବ୍ୟବସାୟୀମାନେ ବିଭାଗୀୟ କର୍ମଚାରୀଙ୍କୁ ହାତକରି ରାୟପୁର ଅଞ୍ଚଳରୁ ଲାଲରଙ୍ଗର ଫୁଲ ଆଣି ବେଆଇନ ଭାବେ ନିଜର ବ୍ୟବସାୟର କାୟାବିସ୍ତାର କରିଚାଲିଛନ୍ତି। ଗତ ୮ ତାରିଖ ମଙ୍ଗଳବାର ଦିନ କଟାଂବାଞ୍ଜି ଅଞ୍ଚଳର ସମ୍ପୃକ୍ତ ବ୍ୟବସାୟୀଙ୍କର ୧ ଟ୍ରିପ୍ ମାଲ୍ କେନ୍ଦୁଝର ଶଙ୍କରପୁର ଶୀତଳ ଭଣ୍ଡାରରେ ଭରଣା କରାଯିବା ପରେ ଅନ୍ୟ ଏକ ଗାଡ଼ିରେ ଥିବା ୧୪୦ କ୍ୱିଟାଂଲ ମାଲ୍‌ ଖାଲି ହେଉଥିବା ସମୟରେ ସ୍ଥାନୀୟ ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହାର ସୁରାକ ପାଇ ଅବକାରୀ ଅଧିକ୍ଷକଙ୍କୁ ଅବଗତ କରାଯିବା ପରେ ବିଭାଗ ତରଫରୁ ସମ୍ପୃକ୍ତ ଗାଡ଼ିକୁ ଜବତ କରାଯାଇଥିଲା। ମାତ୍ର ଏହାକୁ ବ୍ରେକଡାଉନ୍ ବୋଲି ଦର୍ଶାଇ ଚାଳକଙ୍କୁ ରିଲିଜ କରାଯାଇଥିବା ବେଳେ ସମ୍ପୃକ୍ତ ଗାଡ଼ିକୁ ଅନୁରୂପଭାବେ ଖସାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି। ମହୁଲ ବୋଝେଇ ଟ୍ରକ ଧରାପଡିବା ପରେ ଛତିଶଗଡରୁ ଝାଡଖଣ୍ଡ ଯାଉଥିବା ଜଣାପଡିଥିଲା। ଆନ୍ତଃ ରାଜ୍ୟ ପରିବହନ ସମୟରେ କମିଶନର କାର୍ଯ୍ୟାଳୟରୁ ରୋଡ ପରମିଟ କରାଯିବା କଥା। ମାତ୍ର ଜବତ୍ ଟ୍ରକ ବିନା ପରମିଟରେ କିପରି ପରିବହନ କରୁଥିଲା ତାହା ମଧ୍ୟ ତଦନ୍ତ ସାପେକ୍ଷ। ଲାଇସେନ୍ସ ନଥବା ବେଳେ ଜଣେ ଭେଣ୍ଡର ୨ କ୍ୱିଟାଂଲରୁ ଅଧିକ ମହୁଲ ମହଜୁଦ୍ ରଖି ପାରିବେ ନାହିଁ। ଯଦି ରଖିବେ ଏହା ଲାଇସେନ୍ସ ଥିବା ଭେଣ୍ଡରଙ୍କ ଗୋଦାମ ଘରେ କିମ୍ବା ଅଫିସ ହେପାଜତ୍‌ରେ ରହିବ ବୋଲି ନିୟମ ରହିଛି। ମାତ୍ର ଶୀତଳଭଣ୍ଡାର ପରିସରରେ ୧୪୦ କ୍ୱିଟାଂଲ ମହୁଲ କେଉଁ ଉଦ୍ଦେଶ୍ୟରେ ରହିଥିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି। ଅବକାରୀ ବିଭାଗ ଏହି ଗାଡ଼ିରେ ଚାଲାଣ ମାଲ୍‌ର କାଗଜପତ୍ର ଜବତ ନକରିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଉକ୍ତ ଶୀତଳଭଣ୍ଡାରରେ ପଡ଼ୋଶୀ ରାଜ୍ୟର ଲାଲ୍ ମହୁଲଫୁଲ ମହଜୁଦ୍‌ର ଯାଞ୍ଚଞ୍ଚ ହେବା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ମହୁଲ ଫୁଲକୁ ଯାଞ୍ଜ କରାଗଲେ ଅନ୍ୟ ଅଞ୍ଚଳର ଅସାଧୁ ବ୍ୟବସାୟୀ ଏବଂ ବିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକାର ପର୍ଦ୍ଦାଫାସ୍ ହୋଇପାରିବ ବୋଲି କୁହାଯାଇଛି। ଅବକାରୀ ବିଭାଗ ଗାଡି ବଜତ୍ କରି କେସ କରିବା ପରେ ଗାଡିର ମାଲିକଙ୍କୁ ସମନ କରି ତଦନ୍ତ ପରିସରଭୂକ୍ତ କଲେ ସଂପୂର୍ଣ୍ଣ ଘଟଣା ଲୋକଲୋଚନକୁ ଆସିପାରିବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଗତ ଜାନୁୟାରୀ ମାସରୁ ସ୍ଥାନୀୟ ମହୁଲ ଫୁଲ ବ୍ୟବସାୟୀମାନେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଏହା ପ୍ରଦାନ ନକରି ଅନ୍ୟ ଅଞ୍ଚଳର ପ୍ରଭାବଶାଳୀ ବ୍ୟବସାୟୀଙ୍କୁ ଚତୁରତାର ସହ ଚୋରା ବ୍ୟବସାୟର ସୁଯୋଗ ଦିଆଯାଉ ଥିବା ଶୀତଳ ଭଣ୍ଡାର ନିକଟରେ ଜବତ ମହୁଲ ଫୁଲରୁ ଏହା ସ୍ପଷ୍ଟ ହୋଇପାରିଛି। ଏଠାରେ ସୂଚନା ଯୋଗ୍ୟ ଯେ ଦେଶର ଅନ୍ୟ ପ୍ରଦେଶରେ ମହୁଲ ଫୁଲକୁ ଏକ ଲଘୁ ବନ୍ୟଜାତ ଦ୍ରବ୍ୟଭାବେ ସ୍ୱୀକୃତି ମିଳିଥିବା ବେଳେ ଆମ ରାଜ୍ୟରେ ଏହାକୁ ଅବକାରୀ ସାମଗ୍ରୀଭାବେ ବିବେଚନା କରାଯାଉଛି। କେନ୍ଦୁଝର ଏବଂ ମୟୁରଭଞ୍ଜ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ପରିବାର ମହୁଲ ଫୁଲ ସଂଗ୍ରହ ଓ ବିକ୍ରୀକରି ବର୍ଷ ବର୍ଷ ଧରି ପେଟ ପାଟଣା ସମ୍ଭାଳି ଆସୁଥିବାବେଳେ ବାହାର ରାଜ୍ୟରୁ ମହୁଲ ଫୁଲ ଏହି ଅଞ୍ଚଳକୁ ଚୋରା ଚାଲାଣ ହେବାଯୋଗୁଁ ସ୍ଥାନୀୟ ବ୍ୟବସାୟୀ ଓ ସଂଗ୍ରହକାରୀଙ୍କ ବ୍ୟବସାୟରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି। କେନ୍ଦୁଝରରେ ମହୁଲ ଗାଡି ଜବତ୍ ପରେ ୩ ଦିନ ପୂର୍ବେ ତଳେ ଅବକାରୀ ବିଭାଗ ପକ୍ଷରୁ ୧୩ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.