Home ଓଡ଼ିଶା କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ ଭୟ ସଙ୍ଗକୁ କଟକଣା ଫିକା ପକାଇଲା ରଜ ମଉଜ

କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ ଭୟ ସଙ୍ଗକୁ କଟକଣା ଫିକା ପକାଇଲା ରଜ ମଉଜ

197

କେନ୍ଦୁଝର, ୧୬ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବନସ୍ତେ ଡାକିଲା ଗଜ। ବରଷକେ ଥରେ ଆସିଛି ରଜ, ଧରି ନୂଆ ସଜବାଜ। ଏଥର ବି ରଜ ବରଷକେ ଥରେ ଆସିଛି ସତ, କିନ୍ତୁ ତାହା କରୋନା ଭୟରେ ପ୍ରଭାବିତ ହୋଇ ଆସିଛି। ରଜ ଓଡିଆଙ୍କର ଏକ ବଡ ଓ ପ୍ରିୟ ପର୍ବ। ବର୍ଷାର ଆଗମନ ପୂର୍ବରୁ ମାଟି ଓ ମୈସୁମୀର ମିଳନ ପର୍ବ ଭାବେ ଅଭିହିତ କରାଯାଇଥାଏ ଏହି ରଜ ପର୍ବକୁ। ଓଡିଆ ଘରର ଝିଅ ବୋହୂମାନେ ମନଭରି ଏହି ପର୍ବଟିକୁ ମନାଇବେ ବୋଲି କିଛିଦିନ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି। ଓଡିଶାରେ ରଜ ପର୍ବ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ବଡ ଜାକଜମକ ଓ ଧୁମଧାମରେ ପାଳିତ ହୋଇଥାଏ। ପ୍ରତ୍ୟେକ ଓଡିଆ ପରିବାର ବର୍ଷର ଏହି ଦିନଟିକୁ ଅପେକ୍ଷା କରିଥିବା ବେଳେ ସମସ୍ତଙ୍କ ମଧ୍ୟରେ ଭରି ରହିଥାଏ ପ୍ରବଳ ଉତ୍ସାହ ଓ ଉଦ୍ଦିପନା। ରଜରେ ଝିଅ, ବୋହୂ ଙ୍କ ସହ ପୁଅମାନେ ମଧ୍ୟ ନୂଆ ପୋଷାକ ପିରିଧାନ କରିଥାନ୍ତି। ବିଭିନ୍ନ ବେଶ ପୋଷାକ ଓ ପରିପାଟୀ ସହ ଦଲ ଦଳ କୁମାରୀ ସାଙ୍ଗ ସାଥିଙ୍କ ଘରକୁ ଘର ବୁଲି ଖୁସି ମନାଇଥାନ୍ତି। ଘରେ ଘରେ ପୋଡପିଠା ସହ କିସମ କିସମର ପିଠା ପଣା ରେ ସାଇ ପଡିଶା ଦାଣ୍ଡ ମହକୁଥାଏ। ପିଠା ପଣା ଦିଆ ନିଆ ମଧ୍ୟ ପରମ୍ପରାର ଏକ ଅଙ୍ଗ ହୋଇଥାଏ। ଗ୍ରାମ ତୋଟା ମାନଙ୍କରେ ବିଭିନ୍ନ କିସମର କାଠ ଓ ବାଂଉଶ ଦୋଳିର ସମାରୋହ ଦେଖିବାକୁ ମିଲିଥାଏ। ଦୋଳି ମାନଙ୍କ ର କେଂ କଟର ଶଦ୍ଦରେ ଗଗନ ପବନ ମୁଖରିତ ହୋଇ ଉଠିଥାଏ। ଝିଅ ବୋହୂମାନେ ଖୁସିରେ ଦୋଳି, ଲୁଡୁ ଆଦି ଖେଳିଥାନ୍ତି ଓ ପୁଅ ମାନେ ତାସ, ବାଗୁଡି ଆଦି ଖେଳିଥାନ୍ତି। ଟାହି ଟାପରା, ଅଭିମାନ ଭରା ବିଭିନ୍ନ ଗୀତରେ କମ୍ପି ଉଠେ ସମଗ୍ର ଅଞ୍ଚଳ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଅତି ଧୁମଧାମରେ ଏହି ରଜ ଉତ୍ସବ ପାଳନ ହେଉଥିବା ବେଳେ ଆବାଳ ବୃଦ୍ଧ ବନିତା ଏଥିରେ ସାମିଲ ହୋଇଥାଆନ୍ତି। ଜିଲ୍ଲାର ଘଟଗାଁ, ହରିଚନ୍ଦନପୁର, ରାଇସୁଆଁ, ଝୁମ୍ପୁରା, ଚମ୍ପୁଆ, ବଂଶପାଳ ଆଦି ଅଞ୍ଚଳରେ ରଜ ଉତ୍ସବ ଅଧିକ ଭାବେ ପାଳନ ହୋଇଥାଏ। ତିନିଦିନ ଧରି ପାଳିତ ହେଉଥିବା ହେଉଥିବା ଏହି ରଜ ପର୍ବ ର ରଙ୍ଗ କରୋନା ସଂକ୍ରମଣ ଭୟରେ ଫିକା ପଡିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ରଜ ପାଳନ ଉପରେ କଠୋର କଟକଣା ଲାଗୁ କରାଯାଇଛି। ଫଳରେ ଜିଲ୍ଲାରେ ଗାଁ ତୋଟା ମାନଙ୍କରେ ପୂର୍ବ ବର୍ଷ ଭଳି ଏଥର ଦୋଳିର ସମାରୋହ ଦେଖିବାକୁ ମିଳୁ ନଥିବା ବେଳେ ଦୋଳିର କେଁ କଟର ଶବ୍ଧ ମଧ୍ୟ ଶୁଣିବାକୁ ମିଳୁନାହିଁ। କିମ୍ବା ରଜ ଦୋଳି ଗୀତ ମଧ୍ୟ ଶୁଣିବାକୁ ମିଳୁନାହିଁ। କେନ୍ଦୁଝର ଜିଲ୍ଲାରେ ଗ୍ରାମାଞ୍ଚଳରେ ଦଳବଦ୍ଧ ହୋଇ ଅବିବାହିତା ଝିଅ ଓ ପୁଅମାନେ ନିଜ ନିଜ ମଧ୍ୟରେ ରଜଦୋଳି ର ପ୍ରତିଯୋଗୀତା କରିବାର ମଧ୍ୟ ଏକ ପରମ୍ପରା ରହିଛି।। କିନ୍ତୁ ଏଥର କରୋନା ପାଇଁ କଟକଣା ଅଧିକ କଠୋର କରାଯାଇଥିବା ସହ ସମାଜିକ ଦୂରତାର ଜରୁରୀକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କାରଣରୁ ଚଳିତ ବର୍ଷ ଝିଅ ବୋହୂମାନେ ନୂଆ ପୋଷାକ ପରିଧାନ କରି ନିଜ ନିଜ ଘରେ ଆବଦ୍ଧ ଅବସ୍ଥାରେ ରହି ପାଳନ କରିବାକୁ ଅଧିକ ନିରାପଦ ମଣିଛନ୍ତି। ଏବଂ ଘର ମାନଙ୍କର ଅଗଣା କିମ୍ବା ଖୋଲା ସ୍ଥାନ ମାନଙ୍କରେ ଦଉଡି ସାହାର୍ଯ୍ୟରେ ଦୋଳି ଲଗାଇ ସେଥିରେ କାମ ଚଳାଉ ନେଉଥିବା ଦେଖାଯାଉଛି। ଏବଂ ଘରେ ପିଠାପଣା କରି ରଜର ମଜା ଉଠାଉ ଥିଲେ ମଧ୍ୟ କରୋନା ଏଥର ରଜର ମଉଜକୁ ସମ୍ପୂର୍ଣ୍ଣ ଫିକା ପକାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.