Home ଜିଲ୍ଲା ପରିକ୍ରମା କୁନି ଝିଅର ରକ୍ଷୀ ବାନ୍ଧିଲେ ଶ୍ରୀଜଗନ୍ନାଥ

କୁନି ଝିଅର ରକ୍ଷୀ ବାନ୍ଧିଲେ ଶ୍ରୀଜଗନ୍ନାଥ

21

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଭୁ ଶ୍ରୀଜଗନ୍ନାଥ କୁନି ଭଉଣୀଟିଏ ପଠାଇଥିବା ରାକ୍ଷୀକୁ ହାତରେ ବାନ୍ଧିଛନ୍ତି । ପୁଣି ଭାଇ ଭାବରେ ଭଉଣୀକୁ ମଧ୍ୟ କିଛି ଉପହାର ଦେଇଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥ ଭାବର ଠାକୁର । ଯେତେବେଳେ ଭକ୍ତଟିଏ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସବୁକିଛି ସମର୍ପଣ କରିଦିଏ ସେତେବେଳେ ପ୍ରଭୁ ସମ୍ପୂର୍ଣ୍ଣ ତା’ର ନିଜର ହୋଇ ଯାଆନ୍ତି । ଏମିତି ଏକ ପରିସ୍ଥିତିରେ ପଡ଼ି କୁନିଝିଅଟି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭାଇ ବୋଲି ହୃଦୟରେ ଭାବି ରକ୍ଷୀ ପଠାଇବେ ବୋଲି ମନସ୍ତ କରିଥିଲା । ଚଳିତବର୍ଷ ସେଇ କୁନିଝିଅଟି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରକ୍ଷୀ ପଠାଇ ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧୀନ ବାମନବିନ୍ଧା ଗ୍ରାମର ଆଇନଜୀବୀ ସଂଜୟ ମହାନ୍ତି ଓ କଣ୍ଠଶିଳ୍ପୀ ନିଳୀମା ରାୟଙ୍କ ଝିଅ ସାଇ ସୁକନ୍ୟା ମହାନ୍ତି ପୀରହାଟ ସ୍ଥିତ ବିବେକାନ୍ଦ ଶିକ୍ଷାକେନ୍ଦ୍ରରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ଗତ ୨୦୨୨ ମସିହାରେ ସୁକନ୍ୟାଙ୍କ ମା’ଙ୍କ ଦେହ ଭୀଷଣ ଅସୁସ୍ଥ ହୋଇ ପ୍ରବଳ ଜ୍ୱର ହୋଇଥିଲା । ସେତେବେଳେ ସୁକନ୍ୟାଙ୍କ ବାପା କୋର୍ଟ କାମରେ ଯାଇଥିଲେ । ଏହି ସମୟରେ ସୁକନ୍ୟା ତାଙ୍କ ଘର କାନ୍ଥରେ ଟଙ୍ଗା ଯାଇଥିବା ଜଗନ୍ନାଥଙ୍କୁ ଡାକି କହିଥିଲେ ତାଙ୍କ ମା’ ଦେହ ଭଲ ହୋଇଗଲେ ସେ ଆସନ୍ତା ବର୍ଷ ଠାରୁ ତାଙ୍କ ପାଖକୁ ରାକ୍ଷୀ ପଠାଇବେ । ଚଳିତ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ସୁକନ୍ୟା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ସହିତ ସଂଚିତ ରଖିଥିବା କିଛି ଟଙ୍କା ମିଠା ଖାଇବା ପାଇଁ ପଠାଇଥିଲେ । ପ୍ରଭୁ ଶ୍ରୀଜଗନ୍ନାଥ କୁନି ଭକ୍ତଟିର ରାକ୍ଷୀକୁ ଗ୍ରହଣ କରିବା ସହିତ ତାଙ୍କ ନିକଟକୁ ଏକ ଚିଠି ସହିତ ରଥ ଦଉଡ଼ି, ରଥକାଠ, ନିର୍ମାଲ୍ୟ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏକ ଫଟୋ ଉପହାର ପଠାଇଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ ଏହି ଉପହାର ପାଇ ସୁକନ୍ୟାଙ୍କ ସହିତ ତାଙ୍କ ପରିବାର ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଅତ୍ୟନ୍ତ ଭାବ ବିହ୍ୱଳ ହେବା ସହିତ ଆନନ୍ଦିତ ହୋଇପଡ଼ିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.