Home ଜିଲ୍ଲା ପରିକ୍ରମା କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍ ବବ୍‌ଲୁ ଓ ଚରମ୍ପାର ୨ ମହିଳା ଓ ଜଣେ ଯୁବକ...

କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍ ବବ୍‌ଲୁ ଓ ଚରମ୍ପାର ୨ ମହିଳା ଓ ଜଣେ ଯୁବକ ଗିରଫ, ୨୬ ଲକ୍ଷ ଟଙ୍କାର ୨୬୫ ଗ୍ରାମ ବ୍ରାଉନସୁଗାର, ମୋବାଇଲ୍ ଓ ବାଇକ୍ ଜବତ

49

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧଳା ଜହର କୁହାଯାଉଥିବା ବ୍ରାଉନସୁଗାର କବ୍‌ଜାରେ ଏବେ ଭଦ୍ରକ ଜିଲାର ସହର, ବଜାର ଠାରୁ ଆରମ୍ଭ କରି ଗାଁର ଗଳିକନ୍ଦି ପର୍ଯ୍ୟନ୍ତ ଏଭଳି ବ୍ୟାପିଗଲାଣି ଯେ ପ୍ରତ୍ୟେକ ଦିନ ଏହି ବେଆଇନ୍ ବେପାର କରୁଥିବା ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅବକାରୀ ବିଭାଗ ଟିମ୍‌, ଜିଲା ପୁଲିସ୍ ଓ ଏସ୍‌ଟିଏଫ୍ ସ୍କ୍ୱାର୍ଡର କବ୍‌ଜାକୁ ଆସୁଛନ୍ତି । ଗତ ସପ୍ତାହକ ମଧ୍ୟରେ ଏହି ଧଳା ଜହର ବେପାର କରୁଥିବା ବହୁ ଅପରାଧୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଆସୁଥିବାବେଳେ ଆଜି ପୁଣିଥରେ ଗ୍ରାମାଞ୍ଚଳ ପୁଲିସ୍ ଦ୍ୱାରା ଏକ କୁଖ୍ୟାତ ବ୍ରାଉନସୁଗାର ମାଫିଆ ଧରାପଡିବା ସହ ତାର ଜଣେ ସହଯୋଗୀ ଓ ଏହି ବେପାର କରିଆସୁଥିବା ଦୁଇଜଣ ମହିଳାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ହୋଇଥିବା ଏହି ବ୍ରାଉନ୍‌ସୁଗାର ସଂପର୍କରେ ଆଜି ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ କୁମାର ପଣ୍ଡା ଗ୍ରାମାଞ୍ଚଳ ଥାନାରେ କରିଥିବା ଏକ ସାମ୍ବାଦିକ ସମ୍ମିଳନୀର ତଥ୍ୟ ଅନୁସାରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା କୌଣସି ସୂତ୍ରରୁ ଖବର ପାଇ ବାଂଲାଦେଶ ବୋର୍ଡର ଦେଇ ବାଲେଶ୍ୱର ଜିଲା ଜଳେଶ୍ୱରକୁ ଆସୁଥିବା ଏହି ଧଳାଜହରକୁ ସେଠାକାର କୁଖ୍ୟାତ ନିଶା ବେପାରୀ ଟାକ୍‌ଲୁ ରାଜା ଚଳାଇଆସୁଥିବାବେଳେ ସେ ନିକଟରେ ପୁଲିସ୍ ଭୟରେ ବାଲେଶ୍ୱର ସ୍ପେଶାଲ କୋର୍ଟରେ ଆତ୍ମ ସମର୍ପଣ କରିଛି । ଏହାପରେ ଏହି ବ୍ୟବସାୟକୁ ତାର ସଂପର୍କୀୟ ଭାଇ ମୁନା ଓରଫ ସେକ୍ ବବ୍‌ଲୁ ଚଳାଇ ଆସୁଛି । ବବ୍‌ଲୁ ବାଂଲାଦେଶ ବୋର୍ଡର ଦେଇ ଏହି ବ୍ରାଉନସୁଗାରକୁ କୋଲକାତା ପାର କରାଇ ଜଳେଶ୍ୱରକୁ ଆଣିବା ପରେ ସେଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ ।

ତେବେ କୁଖ୍ୟାତ୍ ନିଶା ବେପାରୀ ସେକ୍ ବବ୍‌ଲୁକୁ ଗିରଫ କରିବା ନେଇ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ସୂଚନା ପାଇବା ପରେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଭଦ୍ରକର ଚରମ୍ପା ନିକଟସ୍ଥ୧୬ ନଂ ଜାତୀୟ ରାଜପଥ ଧାମରା ବ୍ରିଜ୍ ଠାରେ ଛକି ବସିଥିଲେ । ସେକ୍ ବବ୍‌ଲୁ ଏକ ନମ୍ବର ବିହୀନ କଳା ହିରୋହୋଣ୍ଡା ମୋଟର ସାଇକେଲ୍‌ରେ ଚରମ୍ପା ଅଂଚଳର ବିଶାଲ ଶର୍ମା ନାମକ ଯୁବକ ସହ ଆସୁଥିବାବେଳେ ତାକୁ ଅଟକାଇଥିଲେ । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୨୬୫ ଗ୍ରାମ ବ୍ରାଉନସୁଗାର (ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ) ଜବତ କରି ସେମାନଙ୍କ ମୋବାଇଲ୍ ଓ ଗାଡିକୁ ଜବତ କରିଥିଲେ । ଅଧିକ ତଦନ୍ତ କାଳରେ ସେମାନେ ଜବତ ବ୍ରାଉନ୍‌ସୁଗାରକୁ ଦେବାକୁ ଆସିଥିବା ଚରମ୍ପା ବଉଳପୋଖରୀ ନିବାସୀ (ବର୍ତ୍ତମାନ ଜେଲ୍‌ରେ ଥିବା) ଗଗନ ମଲ୍ଲିକଙ୍କ ପତ୍ନୀ ବର୍ଷାରାଣୀ ଓ ତାଙ୍କ ପୁତ୍ର ଖଗେଶ୍ୱରର ପତ୍ନୀ ବଚନ ମଲ୍ଲିକ (ପୁତ୍ରବଧୂ) କୁ ମଧ୍ୟ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ବ୍ରାଉନସୁଗାର ପେକିଂ କରାଯାଉଥିବା ଖାଲି ପୁଡିଆ ଓ ସେମାନଙ୍କ ମୋବାଇଲ୍ ଜବତ କରିବା ପରେ ସେଥିରୁ ସେମାନେ ଫୋନ୍ ପେ ଜରିଆରେ ମୁନା ଓରଫ ସେକ୍ ବବ୍‌ଲୁ ସହ ଟଙ୍କା ନେଣଦେଣ କାରବାର କରି ଏହି ବେପାର ଚଳାଇଆସୁଥିବାର ଜଣାପଡିଛି । ତେବେ ଆଜି ପୁଲିସ୍ ଦୁଇ ମହିଳାଙ୍କ ସମେତ ଚାରିଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ସେମାନଙ୍କର ରାକେଟ୍‌ର ଚେର କେତେଦୂର ଲମ୍ବିଛି, ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ, ସେଥିନେଇ ଅଧିକ ତଦନ୍ତ କରୁଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.