Home ଜିଲ୍ଲା ପରିକ୍ରମା କିରୋସିନି ଘୋଟାଲା ଚାପି ଦେବାକୁ ପ୍ରୟାସ : ତଦନ୍ତ ବନ୍ଦ କରିବାକୁ ଡିଲରଙ୍କ ଚାପ, ଏତଲା...

କିରୋସିନି ଘୋଟାଲା ଚାପି ଦେବାକୁ ପ୍ରୟାସ : ତଦନ୍ତ ବନ୍ଦ କରିବାକୁ ଡିଲରଙ୍କ ଚାପ, ଏତଲା ପରେ ଏତଲା

148

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ୍‌ରେ କିରୋସିନି ଘୋଟାଲା ଏବେ ଚରମ ସୀମାରେ । କରୋନା ବିପତ୍ତି ସମୟରେ ରିହାତି ଦରରେ ଖାଉଟିଙ୍କୁ ଦେବାପାଇଁ ଉଦ୍ଦିଷ୍ଟ କିରୋସିନିକୁ ଏବେ ପିଇ ଗଲେଣି ଡିଲରମାନେ । କେବଳ କିରୋସିନି ଲୁଟିନାହାଁନ୍ତି ପରନ୍ତୁ ସରକାରୀ ଘୋଷିତ ମୂଲ୍ୟଠାରୁ ଦୁଇଗୁଣ ଦରରେ ଖାଉଟିଙ୍କୁ ଦେଇ ଶୋଷିବା ଆରମ୍ଭ କରିଛନ୍ତି । ୩୦ ଲକ୍ଷରୁ ଅଧିକ ଟଙ୍କାର ଘୋଟାଲାକୁ ଚାପିଦେବା ପାଇଁ ଏବେ ଚାପ ସୃଷ୍ଟି ହୋଇଛି । ବ୍ଲକ୍‌ର ଅଧିକାଂଶ ଡିଲର ଶାସକ ଦଳର ହୋଇଥିବାରୁ ସେମାନେ ଏବେ ନେତାଙ୍କ ଘରେ ଡେରା ପକାଇଛନ୍ତି । ତଦନ୍ତ ଆଗକୁ ନ ବଢାଇବା ପାଇଁ ବ୍ଲକ୍‌ର ଯୋଗାଣ ନିରୀକ୍ଷକଙ୍କ ଉପରେ ଚାପ ସୃଷ୍ଟି ହେଉଛି । ଗୋଟିଏ ପରେ ଗୋଟିଏ ପଂଚାୟତରେ ଏହି ଘୋଟାଲା ଦେଖା ଦେଲାଣି । ପ୍ରଥମେ ବଜରାପୁର ପଂଚାୟତରୁ ଏହି ଘୋଟାଲା ଧରାପଡିବା ପରେ ଡିଲରଙ୍କ ନାମରେ ଫାଣ୍ଡିରେ ଏତଲା ହୋଇଥିଲା ଓ ତଦନ୍ତ ପରେ ବିଡିଓ ତାଙ୍କୁ ନିଲମ୍ବନ ପାଇଁ ସୁପାରିଶ କରିଥିଲେ । ପରେ ଏହା ଗୋପରନାଥପୁର ତୋଟାପଡା, କାଣ୍ଡଗରଡି, ଯଶିପୁର, ନାଲଗୁଣ୍ଡା, ଖେରଙ୍ଗ, ବଡଓସ୍ତିଆ, ବାଲିଗାଁ ଆଦି ପଂଚାୟତକୁ ବ୍ୟାପିଲାଣି । ଚାନ୍ଦବାଲି ବ୍ଲକ୍‌ର ୩୬ ଟି ପଂଚାୟତ ଓ ଏନ୍‌ଏସି ପାଇଁ କିରୋସିନି ବଣ୍ଟନ କରିବାକୁ ୩ ଭାଗରେ ବିଭକ୍ତ କରି ଦିଆଯାଇଛି । ଧାମରା ୮ ପଂଚାୟତ ପାଇଁ କଇଥଖୋଲାରେ ଜଣେ ରାଜନେତାଙ୍କୁ ଏହି କିରୋସିନି ବଣ୍ଟନ ଦାୟିତ୍ୱ ଅଘୋଷିତ ଭାବେ ନେତାଙ୍କ ସୁପାରିଶରେ ଦିଆଯାଇଥିବାବେଳେ ଆଖଣ୍ଡଳମଣି ପୀଠ ଅଂଚଳରେ ୪ ଟି ପଂଚାୟତକୁ ଜଣେ ରାଜନେତାଙ୍କୁ ଦିଆଯାଇଛି । ବାକି ଚାନ୍ଦବାଲି ସଦର ୨୪ଟି ପଂଚାୟତ ଓ ଏନଏସି ଅଂଚଳରେ ୬୧ ଜଣ ଡିଲରଙ୍କୁ କିରୋସିନି ବାଣ୍ଟିବା ଦାୟିତ୍ୱ ଦିଆଯାଇଛି । ମିଳିଥିବା ସରକାରୀ ତଥ୍ୟ ଅନୁଯାୟୀ, ସରକାର ୨୦୧୯ ନଭେମ୍ବର ଓ ଡିସେମ୍ବର ସହ ୨୦୨୦ ଜାନୁୟାରୀ ମାସ ପାଇଁ ଏକକାଳୀନ ୩ ମାସିଆ କିରୋସିନି ଦେଇଥିଲେ ।

 

 

ପରେ ୨୦୨୦ ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ଏକକାଳୀନ ଦୁଇମାସିଆ କୋଟା ଦେଇଥିବାବେଳେ ପୁଣି ଏପ୍ରିଲ, ମେ, ଜୁନ୍ ୩ ମାସିଆ କୋଟା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମେ ଓ ଜୁନ୍ ମାସରେ କିରୋସିନି କରୋନା ବିପତ୍ତି ପାଇଁ ରିହାତି ଦରରେ ରିଲିଫ୍ କିରୋସିନି ନାମରେ ଖାଉଟିଙ୍କୁ ଦିଆଯାଉଛି । ଖାଉଟିମାନଙ୍କୁ ୧୪ ଟଙ୍କା ୭୭ ପଇସାରେ ଡିଲରମାନେ ବିକିବା ପାଇଁ ସରକାରୀ ନିର୍ଦ୍ଦେଶ ହୋଇଥିବାବେଳେ ଏବେ ଏହାକୁ କେଉଁଠି ୩୦ ଟଙ୍କା, କେଉଁଠି ୩୭ ଟଙ୍କା ତ ଆଉ କେଉଁଠି ୪୨ ଟଙ୍କାରେ ବିକ୍ରି କରାଯାଉଛି । ମୋଟାମୋଟି ଭାବେ ଏକାଥରକେ ଗୋଟିଏ ଲିଟର କିରୋସିନିରୁ ଦୁଇରୁ ତିନିଗୁଣ ଲାଭ ରଖିବା ଆରମ୍ଭ କରିଛନ୍ତି ଡିଲରମାନେ । ଚାନ୍ଦବାଲି ବ୍ଲକ୍‌କୁ ଫେବୃୟାରୀ ଓ ମାର୍ଚ୍ଚରେ ୭୨ ହଜାର ଲେଖାଏଁ ମୋଟ ୧ ଲକ୍ଷ ୪୪ ହଜାର ଲିଟର କିରୋସିନି ଯାଇଥିଲା । ଏହାକୁ ସଂପୂର୍ଣ୍ଣ ନବାଣ୍ଟି କରୋନା ପାଇଁ ମାଲ ଆସିନାହିଁ କହି ଖାଉଟିଙ୍କୁ ଭଣ୍ଡାଉଥିଲେ ଡିଲର । ସବ୍ ହୋଲସେଲରଙ୍କ ନିକଟରେ ଏହି ବଳକା କିରୋସିନିକୁ ଚୋରା ଖାତାରେ ବଳକା ବୋଲି ଲେଖି ଚାଲିଥିଲେ । ଏହି ସମୟରେ ଏପ୍ରିଲ, ମେ, ଜୁନ୍ ୩ ମାସର କୋଟା ଆସିଲା । ମାସକୁ ୬୮ ହଜାର ୨୨୧ ଲିଟର କରି ଏହି ୩ ମାସିଆ କୋଟା ୨ ଲକ୍ଷ ୪ ହଜାର ୬୬୩ ଲିଟର କିରୋସିନି ମଧ୍ୟରୁ ଆଜି ସୁଦ୍ଧା ୧ ଲକ୍ଷ ୩୪ ହଜାର ୬୫୬ ଲିଟର କିରୋସିନି ବଣ୍ଟାଯାଇଥିବାବେଳେ ଆହୁରି ୭୦ ହଜାର ଲିଟର ବଣ୍ଟାଯାଇନାହିଁ । ବ୍ଲକ୍‌ର ଧାମରା ଅଂଚଳରେ କିରୋସିନି ପହଞ୍ôଚଥିଲେ ମଧ୍ୟ ଏଯାଏ ବଣ୍ଟାଯାଉନାହିଁ । ସେହିପରି ବ୍ଲକ୍‌ର ସଦର ମହକୁମା ୨୪ ଟି ପଂଚାୟତ ଓ ଏନ୍‌ଏସିରେ ଏହି କିରୋସିନି ଘୋଟାଲାର ତଦନ୍ତ ଚାପିଦେବା ପାଇଁ ନେତାଙ୍କ ପାଖରେ ଡେରା ।ପକାଇଛନ୍ତି ଡିଲରମାନେ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କାର ଘୋଟାଲାକୁ ଚାପିଦେବା ପାଇଁ ଚାଲିଛି ଚାପ । ଏ ବାବଦରେ ବ୍ଲକ୍ ଯୋଗାଣ ନିରୀକ୍ଷକ କହୁଛନ୍ତି, ମୁଁ ୩ଟି ପଂଚାୟତ ତଦନ୍ତ କରି ଜାଣିଲିଣି ଅଭିଯୋଗ ସତ୍ୟ ବୋଲି । ଆମ ପ୍ରତିନିଧି ବଡଓସ୍ତିଆ ପଂଚାୟତକୁ ଯାଇଥିବାବେଳେ ସେଠାରେ କ୍ଷେତ୍ରବାସୀ ବେହେରା ନାମକ ଜଣେ ଖାଉଟିଙ୍କୁ ୩ ମାସିଆ କିରୋସିନି ସାଢେ ୪ ଲିଟରରୁ ଡିଲର ୩ ଲିଟର ଦେଇଛନ୍ତି । ଏପରିକି ସରକାରୀ ଦର ୧୫ ଟଙ୍କା ପରିବର୍ତ୍ତେ ୩୦ ଟଙ୍କା ଦରରେ ତାଙ୍କ ଠାରୁ ଜବରଦସ୍ତ ଡିଲର ନେଇଛନ୍ତି । ଏ ବାବଦରେ ଯୋଗାଣ ନିରୀକ୍ଷକ ବି ଅବଗତ ଥିବା ସ୍ୱୀକାର କରିଛନ୍ତି । କାହିଁକି ଲକ୍ଷ ଲକ୍ଷ ଟଙ୍କାର କିରୋସିନି ଘୋଟାଲା ପ୍ରସଙ୍ଗକୁ ଚାପି ଦିଆଯାଉଛି, ତାହା ଏବେ ସମସ୍ତଙ୍କୁ ଚକିତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.