Home ଓଡ଼ିଶା କିଏ ହେବ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ?

କିଏ ହେବ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ?

672

ଭୁବନେଶ୍ୱର: ରାଜ୍ୟ ସଭାପତି ନିର୍ବାଚନ ସରିଲା । ଏହାପରେ ରାଜ୍ୟ ସଭାପତି ତାଙ୍କ ଟିମ୍ ଚୟନ କରିବେ । ରାଜ୍ୟ ଟିମ୍ ସହ ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ପ୍ରମୁଖ ମାନେ ଚୟନ ହେବେ । ଏ’ସବୁ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ମୋର୍ଚ୍ଚା ହେଲା ମହିଳା ମୋର୍ଚ୍ଚା । ଦେଖିବାକୁ ଗଲେ ବିଜେପି ଭିତରେ ମହିଳା ମୋର୍ଚ୍ଚା ଏଇ କିଛି ବର୍ଷ ହେଲା ସବୁଠାରୁ ସକ୍ରିୟ ରହିଛି । ଅନେକ ଗୁଡ଼ିଏ ସଙ୍ଗଠନାତ୍ମକ, ଆନ୍ଦୋଳନତ୍ମକ କାମ କରିଛି । ଶାସକ ବିଜେଡି ବିରୋଧରେ ସବୁଠାରୁ ଅଧିକ ସ୍ୱର ଉତ୍ତୋଳନ କରିବାରେ ବିଜେପି ଭିତରେ ସବୁଠାରୁ ଆଗରେ ରହି ଆସିଛି ମହିଳା ମୋର୍ଚ୍ଚା।

ଏବେ ରାଜ୍ୟ ସଭାପତି ତାଙ୍କ ଟିମ୍ ପ୍ରସ୍ତୁତ କରି ମହିଳା ମୋର୍ଚ୍ଚା ଦାୟିତ୍ୱ କାହାକୁ ଜଣଙ୍କୁ ଦେବେ । ପ୍ରଭାତୀ ପରିଡ଼ା ଥିଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ । ବିଗତ ଦିନରେ ମହିଳା ମୋର୍ଚ୍ଚାର ସକ୍ରିୟ ଭୂମିକାର ଶ୍ରେୟ ଯିବ ପ୍ରଭାତୀ ପରିଡ଼ାଙ୍କ ଉପରେ । ତେଣୁ ଦଳ ତାଙ୍କୁ ପୁଣି ରିପିର୍ଟ କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି । ମହିଳା ମୋର୍ଚ୍ଚା ମଧ୍ୟରେ ମଧ୍ୟ ପ୍ରାୟ ଅଧିକାଂଶଙ୍କର ପ୍ରଥମ ପସନ୍ଦ ପ୍ରଭାତୀ ପରିଡ଼ା ରହିଛନ୍ତି । ଏହାପରେ ଆଲୋଚନା ହେଉଛି ଏବେ ରାଜ୍ୟ ଉପାଧ୍ୟକ୍ଷା ଥିବା ସ୍ମୃତି ପଟ୍ଟନାୟକଙ୍କ ନାମ । ସାଙ୍ଗଠନିକ ଦକ୍ଷତା ସ୍ମୃତି ପଟ୍ଟନାୟକଙ୍କ ପାଖରେ ଭଲ ରହିଛି । କୌଣସି ସାଙ୍ଗଠନିକ କାମ ସମୟରେ ସ୍ମୃତି ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା ଉପରେ ଅଧିକ ଭରଷା କରି ପ୍ରଭାତୀ ପରିଡ଼ା ତାଙ୍କୁ ଅନେକ ଗୁଡ଼ିଏ ଦାୟିତ୍ୱ ଦେଇଥିବା ବେଳେ ସ୍ମୃତି ସେ’ ସବୁକୁ ସଫଳତାର ସହ ତୁଲାଇ ପାରିଛନ୍ତି ବୋଲି ମହିଳା ମୋର୍ଚ୍ଚାରେ ଅନେକ କୁହନ୍ତି । ପ୍ରଭାତୀ ପରିଡ଼ାଙ୍କ ପରେ ସ୍ମୃତି ପଟ୍ଟନାୟକ ମହିଳା ମୋର୍ଚ୍ଚା ଭିତରେ ଦୂତୀୟ ପସନ୍ଦ ବୋଲି କୁହାଯାଉଛି । ତେବେ ଏହା ସହିତ ଡଃ: ଲେଖାଶ୍ରୀ ସାମନ୍ତ ସିଂହାର, ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ସୁକେଶୀ ଓରାମ, ସୋଭନା ମହାନ୍ତି ଆଦିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।

ଲେଖାଶ୍ରୀ ଜଣେ ଭଲ ବକ୍ତା । ତଥ୍ୟ ଭିତ୍ତିକ କଥା ଉପସ୍ଥାପନା କରିବାରେ ସେ ସିଦ୍ଧହସ୍ତା । ଓଡ଼ିଶା ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଭାବରେ ଲେଖାଶ୍ରୀ ପରିଚିତ । ଲେଖାଶ୍ରୀଙ୍କ ଉଗ୍ର ଆକ୍ରମଣତ୍ମକ ଶୈଳୀକୁ ନେଇ ସେ ବିରୋଧୀ ଦଳ ମାନଙ୍କରେ ଯେତିକି ସମାଲୋଚିତ , ସେହି ଆଚରଣ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଭିତରେ ସେତିକି ପ୍ରିୟ । ତେବେ, ଲେଖାଶ୍ରୀଙ୍କର ଦୃବଳତା ହେଲା, ତାଙ୍କର ସାଙ୍ଗଠନିକ ଅଭିଜ୍ଞତା କମ । କିନ୍ତୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହେବାରେ ତାଙ୍କ ନାମ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ସହ ତାଙ୍କ ସଂପର୍କ ମଧ୍ୟ ଖୁବ୍ ଭଲ । ଯେତେଦୂର ସମ୍ଭାବନା ସେ ହିଁ ହେବେ ମହିଳା ମୋର୍ଚ୍ଚା ସଭାନେତ୍ରୀ।ଏହା ସହ ବିଜେପି ରାଜ୍ୟ ଉପସଭାପତି ଥିବା ଶୋଭନା ମହାନ୍ତି, ସୁକେଶି ଓରାମ ଏବଂ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ଜଣେ ଦୁଇ ଜଣ ଯୁବା ନେତ୍ରୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଏମାନେ ସବୁ ମହିଳା ମୋର୍ଚ୍ଚା ସମ୍ଭାଳିବା ପାଇଁ ମଧ୍ୟ ଦକ୍ଷ । ରାଜ୍ୟ ସଭାପତି ପୂର୍ବ ଓଡ଼ିଶାରୁ ହୋଇଥିବାରୁ ମହିଳା ମୋର୍ଚ୍ଚା ଦାୟିତ୍ୱ ପଶ୍ଚିମ ଓଡ଼ିଶାରୁ କାହାକୁ ଦେବାକୁ ଚିନ୍ତା କରାଗଲେ ରାଧାରାଣୀ ପଣ୍ଡା ଏବଂ ସୁକେଶି ଓରାମ ଆଗରେ ରହିବେ । କିନ୍ତୁ ଯାହା ଜଣାପଡ଼ୁଛି ଏପରି ସମ୍ଭାବନା ବହୁତ କମ୍ । ସଭାପତି ଚୟନ ପ୍ରକ୍ରିୟା ଏବଂ ତା’ ପରର ସ୍ଥିତିକୁ ଅନୁଧ୍ୟାନ କଲେ ଲେଖାଶ୍ରୀ ସାମନ୍ତସିଂହାର ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ହେବା ସମ୍ଭାବନା ଯଥେଷ୍ଟ ଅଧିକ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.