Home ଓଡ଼ିଶା କାଶୀପୁର ହଇଜା ମୃତ୍ୟୁ ଘଟଣା ମନୁଷ୍ୟକୃତ,ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ: ମୋହନ ମାଝୀ

କାଶୀପୁର ହଇଜା ମୃତ୍ୟୁ ଘଟଣା ମନୁଷ୍ୟକୃତ,ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ: ମୋହନ ମାଝୀ

30

– କାଶୀପୁର ଘଟଣା ରାଜ୍ୟ ସରକାରଙ୍କ ସମସ୍ତ ବିକାଶର ଦାବି ପ୍ରତି ନିଷ୍ଠୁର ଉପହାସ
– କାଶୀପୁର ଗସ୍ତ କରି ଘଟଣା ସଂପର୍କରେ ରାଜ୍ୟ ସଭାପତିଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କଲେ ପ୍ରତିନିଧି ଦଳ
– ରାଜ୍ୟ ସରକାର କାଶୀପୁର ଅଂଚଳବାସୀଙ୍କ ସମ୍ବେଦନଶୀଳ ହୁଅନ୍ତୁ

ଭୁବନେଶ୍ୱର, ୨୬/୦୭ (ଓଡ଼ିଆ ପୁଅ) : ପାନୀୟଜଳ, ସୁଷମ ଖାଦ୍ୟ ଭଳି ମୌଳିକ ଅଧିକାରରୁ ବଂଚିତ ହୋଇଥିବା ଇଲାକାର ଏକ ଉଦାହରଣ ହେଉଛି ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍। କାଶୀପୁରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। କାଶୀପୁର ଅଂଚଳବାସୀ ଦୂଷିତ ପାନୀୟ ଜଳ ପିଇବା ଏବଂ ବିଷାକ୍ତ ଖାଦ୍ୟ ଖାଉଥିବାରୁ ଝାଡା, ବାନ୍ତିରେ ପଡ଼ିଛନ୍ତି। ନିଜ ଆବଶ୍ୟକତା ପୂରଣ କରିବା ପାଇଁ ଆଜି ବି କେନାଲ ପାଣି ଉପରେ ନିର୍ଭର କରୁଥିବା କାଶୀପୁର ଅଂଚଳବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥାରୁ ବଂଚିତ ରଖିଛନ୍ତି ରାଜ୍ୟ ସରକାର। ନାଳ ନର୍ଦ୍ଦମା ଓ ଡ୍ରେନ ପାଖ ଦେଇ କେନାଲରୁ ପାଇପ ଯୋଗେ ଆସୁଥିବା ପାନୀୟ ଜଳ ଆଦୌ ପାନୀୟ ଉପଯୋଗୀ ନୁହେଁ। ବର୍ଷା ହେଲେ ଡ୍ରେନପାଣି ଓ ନାଳପାଣି ମିଶିଯାଏ ଓ ଅଂଚଳବାସୀ ଏହି ପାଣିକୁ ବ୍ୟବହାର କରୁଛନ୍ତି। ବିକାଶର ଯେଉଁ ବାର୍ତ୍ତା ଗାଁ ଗାଁରେ ପହଁଚିଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ତାହା ସଂପୂର୍ଣ୍ଣ ଅସତ୍ୟ, ଅମୂଳକ ଏବଂ ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ। ବାସ୍ତବରେ କାଶୀପୁର ହଇଜା ଘଟଣା ସଂପୂର୍ଣ୍ଣ ମନୁଷ୍ୟକୃତ ଏବଂ ଏହି ପରିସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି।

ଘଟଣାର ସତ୍ୟାସତ୍ୟ ଏବଂ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତ ୨୪ ତାରିଖ ଦିନ କାଶୀପୁର ବ୍ଲକ, ଟିଲିରି ଏବଂ ଆଖପାଖ ଅଂଚଳ ଗସ୍ତ କରିଥିଲ।। ଗସ୍ତ ଏବଂ ଘଟଣା ସଂପର୍କରେ ସୂଚନା ଦେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଯେଉଁ ଅଭାବ ଅନଟନର ଚିତ୍ର ଦେଖାଦେଇଛି, ତାହା ରାଜ୍ୟ ସରକାରଙ୍କ ସମସ୍ତ ବିକାଶର ଦାବି ପ୍ରତି ନିଷ୍ଠୁର ଉପହାସ। ୨୦୦୨ ମସିହାଠାରୁ ସେ ଅଂଚଳରେ ପ୍ରାୟ ପ୍ରତିବର୍ଷ ଝାଡାବାନ୍ତି ଓ ହଇଜା କାରଣରୁ ବହୁ ସଂଖ୍ୟାରେ ପ୍ରାଣହାନି ହେଉଛି। ୨୦୦୭ରେ ଏହା ମହାମାରୀର ରୂପ ନେବା ସହିତ କାଶୀପୁର ବ୍ଲକ ସଂଲଗ୍ନ ଅଂଚଳ କଳାହାଣ୍ଡିର ଥୁଆମୂଳ, ରାମପୁର, କୋରାପୁଟର ଲକ୍ଷ୍ମୀପୁର ଓ ଗଜପତି ଜିଲ୍ଲାର ମୋହନା ବ୍ଲକକୁ ମଧ୍ୟ ସଂକ୍ରମିତ ହୋଇଥିଲା। ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଏହାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ହୋଇଥିବାରୁ ଆଜି ଏହା କଲେରା ଭଳି ମହାମାରୀ ରୂପ ନେଇଛି। ଏହି ସମସ୍ୟା କେବଳ ସ୍ୱାସ୍ଥ୍ୟଗତ କାରଣରୁ ନୁହେଁ, ବରଂ ସୁଷମ ଖାଦ୍ୟ ଓ ପାନୀୟ ଜଳ ଅଭାବ ହେଉଛି ମୁଖ୍ୟ କାରଣ। ଆଜି ସୁଦ୍ଧା କାଶୀପୁରରେ ୧୪ଜଣ ଆଦିବାସୀଙ୍କର ଜୀବନ ଅକାଳରେ ଝଡି ଯାଇଛି ଏବଂ ଶତାଧିକ ଚିକିତ୍ସାଧୀନ। ମୃତ୍ୟୁ ସଂଖ୍ୟା ଲୁଚାଇ ହଇଜାର ଭୟାବହତା ଚାପି ଦେବାକୁ ଚେଷ୍ଟା କରିଛି ସ୍ଥାନୀୟ ପ୍ରଶାସନ। ଯେଉଁ ୪/୫ ଜଣ ଲୋକଙ୍କର ମୃତ୍ୟୁ ଝାଡାବାନ୍ତି, ହଇଜା ଯୋଗୁଁ ଘଟିଛି, ସ୍ଥାନୀୟ ପ୍ରଶାସନ ସେଗୁଡିକୁ ସ୍ୱାଭାବିକ ମୃତ୍ୟୁ ବୋଲି ଦାବି କରୁଛି। ଯଦି ସେଗୁଡିକ ସ୍ୱାଭାବିକ ମୃତ୍ୟୁ ତେବେ କେତେଜଣଙ୍କର ଶବ ବ୍ୟବଚ୍ଛେଦ ହୋଇଛି? ସେଥିମଧ୍ୟରୁ କେତେ ବ୍ୟବଚ୍ଛେଦ ରିପୋର୍ଟ ମିଳିଛି? ସେହି ରିପୋର୍ଟର ନକଲ ସରକାର ସାର୍ବଜନୀନ କରିବେ କି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି।

୧୯୯୯ ମସିହାରେ ଶତାଧିକ ଆଦିବାସୀ ପ୍ରାଣ ହରାଇଥିବାରୁ କାଶୀପୁର ବିଶ୍ୱର ଏକ ଚର୍ଚ୍ଚିତ ବିଷୟ ପାଲଟି ଯାଇଥିଲା। ଏହା ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଓଡିଶାର ଛବିକୁ ଅତ୍ୟନ୍ତ ମଳିନ କରିଥିଲା। ଗୋଟିଏ ପଟେ କଳାହାଣ୍ଡିରେ ଅନାହାର ମୃତ୍ୟୁ, ପିଲା ବିକ୍ରି ଏବଂ ଅନ୍ୟପଟେ ରାୟଗଡାରେ ଅଖାଦ୍ୟ ଖାଇ ଝାଡାବାନ୍ତିରେ ଆଦିବାସୀଙ୍କ ମୃତ୍ୟୁ ଏକ ଖରାପ ପରିଚୟ ଆଣି ଦେଇଥିଲା ଓଡିଶାକୁ। ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ କ୍ଷମତାରେ ଥିବା ସତ୍ୱେ ଏହି ସମସ୍ୟାର ସମାଧାନ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମାଝୀ କହିଛନ୍ତି।

ଖାଦ୍ୟ ସୁରକ୍ଷା ଯୋଜନାର ଆଂଚଳିକ ବିଫଳତା ଏବଂ ପିଇବାପାଣି ନ ପାଇ ସ୍ଥାନୀୟ ଲୋକେ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହେଉଛନ୍ତି। ଶୁଦ୍ଧ ପାନୀୟ ଜଳ ନପାଇ ଅଂଚଳବାସୀ ଝରଣା, ନଦୀନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। କାଶୀପୁର ବ୍ଲକର ବିଭିନ୍ନ ଗାଁରେ ୫ବର୍ଷ ହେଲା ଲୋକଙ୍କର ପଡି କାର୍ଡ ନାହିଁ। ସେମାନଙ୍କୁ ନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ନା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ମିଳୁଛି। କାହିଁକି ଆଦିବାସୀମାନଙ୍କୁ ୫ବର୍ଷ ହେଲା କଂଟ୍ରୋଲ୍ ସାମଗ୍ରୀ ଯୋଗାଇ ଦିଆଯାଇନାହିଁ ସେ ବାବଦରେ ସରକାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ମାଝୀ ଦାବି କରିଛନ୍ତି।

ହଇଜା ଓ ଝାଡାବାନ୍ତି କାରଣରୁ ଏତେ ସଂଖ୍ୟକ ଆଦିବାସୀଙ୍କର ମୃତ୍ୟୁ ଘଟିବା ଅତ୍ୟନ୍ତ ଚିନ୍ତାଜନକ ଏବଂ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାର ଏକ ପ୍ରମାଣପତ୍ର। ଅଖାଦ୍ୟ ଖାଇ ଏତେ ସଂଖ୍ୟକ ଲୋକ ଆକ୍ରାନ୍ତ ହେବା, ୧୪ଜଣଙ୍କ ଜୀବନ ଯିବା ଘଟଣା ସତ୍ୱେ ସାମାନ୍ୟତମ ସମ୍ବେଦନଶୀଳତାର ପରିଚୟ ଦେଲେ ନାହିଁ ରାଜ୍ୟ ସରକାର। ଅନ୍ୟ ପଟେ ରୋମ ଗସ୍ତ କରି ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ବିଶ୍ୱସ୍ତରରେ ଓଡିଶା ରାଜ୍ୟ ଏକ ମଡେଲ ଭାବେ ପ୍ରତିଷ୍ଠିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ପ୍ରଚାରର ଅସଲ ଚିତ୍ର କାଶୀପୁର ଘଟଣାରୁ ସ୍ପଷ୍ଟ ବାରୀ ହୋଇପଡିଛି। ଯଥାଶୀଘ୍ର ରାଜ୍ୟ ସରକାର କାଶୀପୁର ଅଂଚଳବାସୀଙ୍କ ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତିନିଧି ଦଳର ସଦସ୍ୟ ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକ, କେ.ନାରାୟଣ ରାଓ, ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ଗଣମାଧ୍ୟମ ରାଜ୍ୟ ସହ ସଂଯୋଜକ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.