Home ଜିଲ୍ଲା ପରିକ୍ରମା କାଳୀନାଳି-ତାଳଚୁଆର ଭେସଲେ ଚାଲିବା ପ୍ରସଙ୍ଗ, ଜୁଲାଇରେ ଟେଣ୍ଡର, ୧୮ ମାସରେ ସରିବ କାର୍ଯ୍ୟ

କାଳୀନାଳି-ତାଳଚୁଆର ଭେସଲେ ଚାଲିବା ପ୍ରସଙ୍ଗ, ଜୁଲାଇରେ ଟେଣ୍ଡର, ୧୮ ମାସରେ ସରିବ କାର୍ଯ୍ୟ

223

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ମୁହାଣରେ ଧାମରା ନଦୀରୁ ବଙ୍ଗୋପସାଗର କୂଳ ଦେଇ ଭଦ୍ରକ ଜିଲାରୁ କେନ୍ଦ୍ରାପଡା ଜିଲାକୁ ବର୍ଷ ବର୍ଷ ହେଲା ଅତି ବିପଦପୂର୍ଣ୍ଣ ଭାବେ ଆହୁଲା ଡଙ୍ଗାରେ ଲୋକେ ନଦୀ ପାରି ହେଉଥିଲେ । ପରେ ଯନ୍ତ୍ରଚାଳିତ ଡଙ୍ଗାରେ ମୁହାଁଣ ମୁହଁର ଉତ୍ତାଳ ଢେଉରେ ବିପଦପୂର୍ଣ୍ଣ ଭାବେ ଲୋକେ ପାରି ହେଉଛନ୍ତି । ଏନେଇ ବାରମ୍ବାର ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ପରେ ଅଧିକାରୀଙ୍କ ଦ୍ୱାରା ସର୍ଭେ କରାଇ ସଚିବମାନେ କ୍ଷେତ୍ରୀୟ ପରିଦର୍ଶନ କରି ଶେଷରେ କେନ୍ଦ୍ର ଓ ରାଜ୍ୟ ମିଳିତ ଭାଗିଦାରିରେ ୧୧୦ କୋଟି ୬୦ ଲକ୍ଷ ଟଙ୍କା ଅର୍ଥ ମଂଜୁର ହୋଇଛି । ଏହି ଅର୍ଥରେ ଧାମରା ନିକଟସ୍ଥ କାଳୀନାଳିରେ ଜେଟି ଓ କେନ୍ଦ୍ରାପଡାର ତାଳଚୁଆରେ ଜେଟି ନିର୍ମାଣ ହେବା ସହ ଦୁଇଟି ଭେସଲେ ଅଫ୍ ଆଣ୍ଡ ଡାଉନ୍ କରି ଦିନକୁ ୪ ଥର ଚାଲିବ । ଏହା ମାଧ୍ୟମରେ ଏବେ ୪ ଚକିଆ ଯାନ ମୁହାଁଣ ପାରି ହେବ ବୋଲି ଆକଳନ କରାଯାଇଛି । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଏହାର ଟେଣ୍ଡର ହେବ । ଭାରତୀୟ ଅର୍ନ୍ତଦେଶୀୟ ଜଳମାର୍ଗ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ବାଣିଜ୍ୟ ପରିବହନ ବିଭାଗ କର୍ତ୍ତୃପକ୍ଷ ମିଳିତ ଭାବେ ଏମ୍‌ୱେ ସାଇନ୍ କରିଛନ୍ତି । ଏଥିପାଇଁ ଚଳିତ ଏପ୍ରିଲ ମାସରେ ଅର୍ଥ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ସାଗରମାଳା ପ୍ରକଳ୍ପରେ ଏହି ୧୧୦ କୋଟି ଟଙ୍କାର ପ୍ରକଳ୍ପ ସାମିଲ ହୋଇଛି । ୧୦ କୋଟି ଟଙ୍କାରେ ଦୁଇଟି ଭେସଲେ ତିଆରି ହେବ । ଯାହାର ଲମ୍ବ ୬୫ ମିଟର, ଓସାର ୧୯ ମିଟର, ଓଜନ ୩୦୦ ଡିଡବ୍ଲ୍ୟୁଟି ଏବଂ ୧.୫ ମିଟର ଗଭୀର ଥିବା ଭେସଲେ ଦୁଇଟି ପାଇଁ ୧୦ କୋଟି ଟଙ୍କା ବରାଦ ହୋଇଛି । ଏହି ଭେସଲେର କ୍ଷମତା ୬୦ ରୁ ୮୦ ଜଣ ଯାତ୍ରୀ ପାଇପାରିବେ ।

୪ ଚକିଆ ହାଲ୍‌କା ଯାନ ୧୦ ରୁ ୧୫ ଟି, ବାଇକ୍ ୨୫ ରୁ ୩୦ ଟି ଯିବାକୁ ଅନୁମତି ମିଳିଛି । ଏହି ପ୍ରକଳ୍ପ ଆରମ୍ଭ କରିବା ପାଇଁ କିନ୍ତୁ କେନ୍ଦ୍ର ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗ ଓ ରାଜ୍ୟ ସିଆରଜେଡ୍ ବିଭାଗ ମଂଜୁରୀ ଦେଇନାହାଁନ୍ତି । ଯାହାକି ପ୍ରସେସିଂରେ ରହିଛି । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଟେଣ୍ଡର ହେବ ଓ ୧୮ ମାସ ସମୟ ମଧ୍ୟରେ ଏହାର ନିର୍ମାଣ ସରିବ । ଭଦ୍ରକ ଜିଲାର ଧାମରା ଠାରୁ ୭ କିଲୋମିଟର ଦୂର କାଳୀନାଳି ଠାରେ ଯେଉଁ ଜେଟି ନିର୍ମାଣ ହେବ, ସେଥିପାଇଁ ୫୬ କୋଟି ୪୮ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ତାଳଚୁଆଠାରେ ଜେଟି ନିର୍ମାଣ ପାଇଁ ୫୪ କୋଟି ୧୨ ଲକ୍ଷ ଟଙ୍କା ମଂଜୁର ହୋଇଛି । ରାଜ୍ୟ ବାଣିଜ୍ୟ ବିଭାଗ ଏହାର ତଦାରଖ ଓ ଦାୟିତ୍ୱ ନେବ । ସେହିପରି ଜେଟି ନିର୍ମାଣ ବେଳେ ମେନ୍ ଜେଟି ୧୧୫ ମିଟର ଲମ୍ବ ଓ ୧୫ ମିଟର ଓସାର ଥିବାବେଳେ ଲ୍ୟାଣ୍ଡିଂ କରିବାକୁ ଥିବା ଜେଟି ୨୫ ମିଟର ଲମ୍ବର, ୧୫ ମିଟର ଓସାର ରହିବ । ସେହିପରି ଆପ୍ରୋଚ ରୋଡ୍ ଜେଟି ୩୦ ମିଟର ଲମ୍ବ ଓ ୧୫ ମିଟର ଓସାରର ତିଆରି ହେବ । ଭେସଲେ ଲାଗିବେ ସ୍ଥାନରେ ୨.୫ ମିଟର ଗଭୀରରୁ ପିଲର ପୋତା ହେବ । ଜେଟି ମୁହଁରେ ଯାତ୍ରୀ ପ୍ରତୀକ୍ଷାଳୟ କାଳୀନାଳି ଓ ତାଳଚୁଆ ଠାରେ ଦୁଇଟି ନିର୍ମାଣ ହେବ । ଯାହାକି ୧୫ ମିଟର ଲମ୍ବ ଓ ୬ ମିଟର ଓସାରରେ ଏହି ପ୍ରତୀକ୍ଷାଳୟ ନିର୍ମାଣ କରାଯିବ । ମୋଟାମୋଟି ଭାବେ ବଙ୍ଗୋପସାଗରର ମୁହାଁଣ ମୁହଁର ଉତ୍ତାଳ ଢେଉକୁ ପାରି କରାଇ ଏ ଭେସଲେ ସୁରକ୍ଷିତ ଭାବେ ଦୁଇ ଜିଲାରେ ଏବେ ୪ ଚକିଆ ଯାନ ପାରି କରାଇବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.