Home ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ଷମ ହେଲା ଚରମ୍ପା ଗଳାପୋଲ

କାର୍ଯ୍ୟକ୍ଷମ ହେଲା ଚରମ୍ପା ଗଳାପୋଲ

55

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ରାଜପଥ ପ୍ରାଧିକରଣର ଦୂରଦୃଷ୍ଟି ଅଭାବ ପାଇଁ କେବଳ ଚରମ୍ପା ନୁହେଁ। ନିକଟବର୍ତ୍ତୀ ୧୫ଟି ପଞ୍ଚାୟତବାସୀ ନର୍କ ଯନ୍ତ୍ରଣା ଭୋଗୁଥିଲେ। କାରଣ ଚରମ୍ପା ଭଦ୍ରକ ସହରର ଏକ ପ୍ରମୁଖ ଅଂଚଳ ହୋଇଥିଲେ ମଧ୍ୟ ରଚମ୍ଫା ବଜାରର ଛାତି ଚିରି ଯାଇଥିବା ଜାତୀୟ ରାଜପଥ ଉପରେ ଏକ ସଂକୀର୍ଣ୍ଣ ଗଳାପୋଲ ରହିଥିଲା। ଏହି ଗଳାପୋଲ ମଧ୍ୟ ଦେଇ ଏକ ୧୦୮ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନଥିଲା। ଏହାବ୍ୟତୀତ ଭଦ୍ରକ ରେଳ ଷ୍ଟେସନର ଗୋଦାମରୁ ପରିବହନ କରୁଥିବା ଟ୍ରକ୍ ସବୁ ଉକ୍ତ ଗଳାପୋଲ ଦେଇ ଅତିକ୍ରମ କରିବା ଅସମ୍ଭବ ଥିବାରୁ ସେଗୁଡିକ ଲୋକାଲ ରୋଡ୍ ଦେଇ ଚଳପ୍ରଚଳ କରୁଥିଲା। ଯାହାକି ଚରମ୍ପା ବଜାରରେ ଉତ୍କଟ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିଲା। ଯାହାକି ଚରମ୍ପା ବଜାରରେ ଉତ୍କଟ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିଲା। ତେବେ ଜାତୀୟ ରାଜପଥର ସଂପ୍ରସାରଣ ସମୟରେ ୬ ଲେନ୍ କରିବାକୁ ଯାଇ କର୍ତ୍ତୃପକ୍ଷ ଚରମ୍ପା ବଜାର ହୋଇ ଯାଇଥିବା ମୁଖ୍ୟ ରାଜପଥକୁ ଭୁଲି ଯାଇଥିଲେ। ଏହି ସମୟରେ ପ୍ରାକ୍ତନ ବିଧାୟକ ନରେନ ପଲେଇଙ୍କ ଉଦ୍ୟମ କ୍ରମେ ଏକ ଗଳାପୋଲ ସଂପ୍ରସାରଣ କମିଟି ଗଠିତ ହୋଇ ଚରମ୍ଫା ବଜାର ଗଳାପୋଲର ଉଚ୍ଚତା ଓ ଓସାର ବୃଦ୍ଧି କରିବାକୁ ଦାବି କରାଯାଇଥିଲା।

ଏହି ଯଥାର୍ଥ ଦାବି ନେଇ ସମଗ୍ର ଚରମ୍ପା ଅଂଚଳବାସୀ ଏକ ହୋଇଥିଲେ। ଏଥି ନିମିତ୍ତ ବ୍ୟାପକ ଆନ୍ଦୋଳନ ମଧ୍ୟ ସ୍ଥାନୀୟ ଅଂଚଳରେ ଆରମ୍ଭ ହୋଇଥିଲା। ଏପରିକି ଜାତୀୟ ରାଜପଥ ଅବରୋଧ ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଞ୍ଚଳବାସୀଙ୍କ ଯଥାର୍ଥ ଯୁକ୍ତିକୁ ମାନିବାକୁ ବାଧ୍ୟ ହୋଇଥିଲେ। ତେଣୁ ଏଠାରେ ଥିବା ଗଳାପୋଲର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାକି ଗତ ରବିବାର ଠାରୁ ୧୬ନଂ ଜାତୀୟ ରାଜପଥ ଚରମ୍ଫା ବଜାର ଠାରେ ଥିବା ସଂପ୍ରସାରିତ ଗଳାପୋଲ କାର୍ଯ୍ୟକ୍ଷମ ହୋଇଛି। ଫଳରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରୁ ଗାଡି ଚଳାଚଳ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ପୂର୍ବରୁ ଗଳାପୋଲର ଉଚ୍ଚତା ୯ ଫୁଟ୍ ଓ ଓସାର ୨୦ ଫୁଟ୍ ରହିଥିବାବେଳେ ଏବେ ସଂପ୍ରସାରିତ ବ୍ରିଜ୍‌ର ଉଚ୍ଚତା ୧୮ ଫୁଟ୍ ଓ ଓସାର ଏକଶହ ଫୁଟ୍ ହୋଇଛି। ୨୦୨୦ ମସିହା ଜୁନ୍ ମାସ ୧୯ ତାରିଖ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହା ସଂପୂର୍ଣ୍ଣ ହୋଇ ଗତକାଲି ଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହି ପୋଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ପୋଲ ଦେଇ ପ୍ରାୟ ୧୫ ଟି ପଂଚାୟତବାସୀ ନିର୍ଭରଶୀଳ। କିନ୍ତୁ ଏହାର ଉଚ୍ଚତା କମ୍ ଥିବା କାରଣରୁ ବ୍ୟାପକ ଟ୍ରାଫିକ୍ ସମସ୍ୟା ଚରମ୍ପା ବଜାରରେ ସୃଷ୍ଟି ହେଉଥିଲା। ଉକ୍ତ ପୋଲର ସଂପ୍ରସାରଣ ପାଇଁ ବହୁ ବ୍ୟବସାୟୀଙ୍କୁ ଉଚ୍ଛେଦ ହେବାକୁ ପଡିଛି। ପୂର୍ବରୁ କମ୍ ଉଚ୍ଚତା ପୋଲ ଭଙ୍ଗାଯାଇ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଦୀର୍ଘ ୨ ବର୍ଷ ଧରି ଚରମ୍ପା ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତଥାପି ସେମାନେ କୌଣସି ପ୍ରତିବାଦ କରିନଥିଲେ। ଏବେ ପରିସ୍ଥିତି ସ୍ୱାଭାବିକ ହୋଇଛି। ଅଂଚଳବାସୀଙ୍କ ଦୀର୍ଘଦିନର ଦାବି ବାସ୍ତବ ରୂପ ନେଇଛି। ଏଥିନିମିତ୍ତ ଶ୍ରୀ ପଲେଇ ଗଳାପୋଲ ସଂପ୍ରସାରଣ କମିଟିର ସମସ୍ତ ସଦସ୍ୟ, ଅଂଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.