Home ଜିଲ୍ଲା ପରିକ୍ରମା ମୋଚି ଛକରୁ ଭଦ୍ରକାଳୀ ରାସ୍ତା ନିର୍ମାଣ ପ୍ରସଙ୍ଗ, ଜବରଦଖଲ ମୁକ୍ତ ପାଇଁ ପୌର ପ୍ରଶାସନର ଚେତାବନୀ

ମୋଚି ଛକରୁ ଭଦ୍ରକାଳୀ ରାସ୍ତା ନିର୍ମାଣ ପ୍ରସଙ୍ଗ, ଜବରଦଖଲ ମୁକ୍ତ ପାଇଁ ପୌର ପ୍ରଶାସନର ଚେତାବନୀ

29

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌର ପ୍ରଶାସନ ପକ୍ଷରୁ କଚେରୀ ବଜାର ମୋଚିଛକ ଠାରୁ ଭଦ୍ରକାଳୀ ପୀଠ ଯାଏ ରାସ୍ତାର ଉଭୟ ପାଶ୍ୱର୍କୁ ଜବରଦଖଲ ମୁକ୍ତ କରିବା ପାଇଁ ଗତ ୪ ଦିନ ଧରି ମାଇକ୍ ଯୋଗେ ପ୍ରଚାର ଗାଡି ବୁଲୁଛି। ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱ ସରକାରୀ ଜମିକୁ ଦଖଲ କରିଥିବା ଜବରଦଖଲକାରୀମାନେ ନିଜ ଆଡୁ ଅବରୋଧ ମୁକ୍ତ କରିବା ପାଇଁ ମାଇକ୍ ଯୋଗେ ସଚେତନ କରାଯାଇଛି। ଘଟଣାରୁ ପ୍ରକାଶ, ଭଦ୍ରକ କଚେରୀ ବଜାର ମୋଚିଛକରୁ ଭଦ୍ରକାଳୀ ଯାଏ ଦୀର୍ଘବର୍ଷ ଧରି ଶୋଚନୀୟ ଅବସ୍ଥାରେ ଥିବା ପ୍ରାୟ ୮ କିମିରୁ ଉର୍ଦ୍ଧ୍ୱ ରାସ୍ତାର ନିର୍ମାଣ ତଥା ସଂପ୍ରସାରଣ କାର୍ଯ୍ୟ ନେଇ ବିଭିନ୍ନ ରାଜନୈତିକ ଦଳ ଓ ଅନୁଷ୍ଠାନ ଗୁଡିକ ପକ୍ଷରୁ ଆନ୍ଦୋଳନ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚଳିତ ମାସ ୨୪ ତାରିଖରେ ଏହି ବିପର୍ଯ୍ୟସ୍ତ ରାସ୍ତାର ନିର୍ମାଣ ନେଇ ଟାଉନ୍ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ଆଲୋଚନା କରିଥିଲେ। ଜିଲାପାଳ ଶ୍ରୀ ବୋନ୍ଦର ଉକ୍ତ ରାସ୍ତା ପୁନରୁଦ୍ଧାର ପାଇଁ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଭଦ୍ରକ ତହସିଲ ଓ ପୌରପାଳିକାର ମିଳିତ ଉଦ୍ୟମରେ ଦୀର୍ଘ ୮ କିମି ଏହି ରାସ୍ତାରେ ସରକାରୀ ଜମି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ତହସିଲ ଓ ପୌରପାଳିକାର ଅମିନଙ୍କ ଦ୍ୱାରା ମାପଚୁପ କାର୍ଯ୍ୟ ଦୀର୍ଘଦିନ ଧରି ଚାଲିଥିଲା। ତେବେ ଉକ୍ତ ମାପଚୁପ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବତା ନେଇ ପୁଣି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପରେ ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ସହ ଉକ୍ତ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ମୋଚି ଛକରୁ ଭଦ୍ରକାଳୀ ଯାଏ ଦୀର୍ଘ ୮ କିମି ଦୂରତ୍ୱ ବିଶିଷ୍ଟ ଏହି ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରାୟ ୪ ଶହରୁ ଅଧିକ ଜବରଦଖଲକାରୀଭ୍‌କୁ ଚିହ୍ନଟ କରାଯାଇଥିବା ଜଣାଯାଇଛି। ଭଦ୍ରକ ତହସିଲ ଅଧୀନରେ ଥିବା ୭ଟି ମୌଜାର ସରକାରୀ ଜମିକୁ ଏହି ଜବରଦଖଲକାରୀମାନେ ନିଜ କବଜାରେ ରଖି ଏଥିରେ ବ୍ୟବସାୟ ପ୍ରତିଷ୍ଠାନ ଓ ଗୃହ ଆଦି ବେଆଇନ୍ ଭାବେ ନିର୍ମାଣ କରିଥିବା ଭଦ୍ରକ ତହସିଲ ସୂତ୍ରରୁ ପ୍ରକାଶ। ତେବେ ଉଚ୍ଛେଦ ନେଇ ଲୋକଙ୍କୁ ମାଇକ୍ ଯୋଗେ ସଚେତନ କରାଯାଉଥିବା ବେଳେ ଏହି ଉଚ୍ଛେଦ ପ୍ରକ୍ରିୟାରେ କେତେଜଣଙ୍କ ଜୀବିକା ପ୍ରଭାବିତ ହେବ, ସେ ସଂପର୍କିତ ସୂଚନା ଉଭୟ ତହସିଲ ଓ ପୌରପାଳିକା ନିକଟରେ ନାହିଁ। ଯଦି ଏମାନଙ୍କୁ ଉଚ୍ଛେଦ କରାଯାଏ; ତେବେ ସେମାନଙ୍କ ଥଇଥାନ ପ୍ରସଙ୍ଗ ଅନ୍ଧାରରେ ରହିଛି। ଆସନ୍ତା ଦିନରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟର ବାସ୍ତବତା ନେଇ ସହରବାସୀମାନେ ସନ୍ଦେହ ଘେରରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.