Home ଜିଲ୍ଲା ପରିକ୍ରମା କାଞ୍ଜିଆପାଳରେ ଶ୍ରମିକ ବଦଳରେ ମେସିନ କରୁଛି କାମ:ବାଟବଣା ହେଉଛି ମନରେଗା

କାଞ୍ଜିଆପାଳରେ ଶ୍ରମିକ ବଦଳରେ ମେସିନ କରୁଛି କାମ:ବାଟବଣା ହେଉଛି ମନରେଗା

45

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଂଚଳର ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେଇ ସେମାନଙ୍କୁ ଆର୍ଥିକ ଅଭିବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ବିଶେଷକରି କୋଭିଡ ସମୟରେ ଶ୍ରମିକ ମାନେ ଯେପରି ଏହି କାମରୁ ବଂଚିତ ନହୁଅନ୍ତି ସେଥିପାଇଁ ସରକାରଙ୍କ କଡା ଆଇନ ମଧ୍ୟ ରହିଛି । ହେଲେ ଏହାକୁ ଧାମନଗର ବ୍ଲକ ଖଡିପଦା ପଂଚାୟତ କାଞ୍ଜିଆପାଳ ଗ୍ରାମରେ ଖୋଲାଖୋଲି ଉଲ୍ଲଘଂନ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଅନାଦି ପରିଡା ଛକରୁ ପଣ୍ଡାସାହି ଛକ ଗ୍ରାମ ରାସ୍ତାର ଉନ୍ନତିକରଣ ପାଇଁ ଏହି ଯୋଜନାରେ ୫ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ରାସ୍ତାରେ ମାଟି ପକାଇବା ସହିତ ମେଟାଂଲ ଓ ମହରମ ପକାଇବା ପାଇଁ ଯୋଜନା ରହିଛି । ମାଟିକାମ ପାଇଁ ଜବକାର୍ଡଧାରୀଙ୍କୁ ଏହି କାମରେ ନିଯୋଜିତ କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ହେଲେ ଏହି କାମ ଶ୍ରମିକ ବା ଜବକାର୍ଡଧାରୀଙ୍କ ବଦଳରେ ମେସିନ ଓ ଟ୍ରାକ୍ଟର ଲଗାଇ ସଂପୃକ୍ତ ଠିକାଦାର କାର୍ଯ୍ୟ କରୁଛନ୍ତି ।

ଏନେଇ ସଂପୃକ୍ତ ଗ୍ରାମବାସୀ ମାନେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ସବୁଜାଣି ଚୁପ ରହି ଘଟଣାସ୍ଥଳକୁ ଆସୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଶେଷରେ ନିରାଶ ହୋଇ ଆଜି ଗ୍ରାମବାସୀମାନେ ଉକ୍ତ କାର୍ଯ୍ୟକୁ ବନ୍ଦ କରିବା ସହିତ ଶ୍ରମିକଙ୍କ ଦ୍ୱାରା କାମ କରିବାକୁ ଦାବି କରିଥିଲେ । ଏପରିକି ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ଗ୍ରାମଟି ବନ୍ୟାଂଚଳ ହୋଇଥିବାରୁ ପ୍ରତି ବର୍ଷ ବନ୍ୟା ସମୟରେ ଗାଁ ଭିତରେ ବନ୍ୟାଜଳ ପ୍ରବେଶ କରି ସପ୍ତାହ ଧରି ବନ୍ୟାଜଳ ରହିଥାଏ । ଲୋକେ ଘରୁ ପଦାକୁ ବାହାରିବା କଷ୍ଟକର ହୋଇପଡେ । ଏଠାରେ କଂକ୍ରିଟ ରାସ୍ତାର ଆବଶ୍ୟକତା ରହିଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ହାତ ଚିକଣ ପାଇଁ ଏହି କାମ ହେଉଛି । କାରଣ ବନ୍ୟା ଆସିଲେ ଏହି କଂଚା ରାସ୍ତାଟି ସଂପୂର୍ଣ୍ଣ ଭାବେ ଧୋଇଯିବାର ସମ୍ଭାବନା ଅଧିକ ରହିଛି । ତୁରନ୍ତ ଏହି କାମ ବନ୍ଦ କରି ଏଠାରେ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କହନ୍ତି, ଏପରି ଅଭିଯୋଗ ଆମ ପାଖରେ ନାହିଁ, ତେବେ ଅଭିଯୋଗ ପାଇବା ପରେ ତଦନ୍ତ କରାଯିବ କହି କଥାକୁ ଏଡାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.