Home ଜିଲ୍ଲା ପରିକ୍ରମା କଲେଜକୁ ଯିବା ରାସ୍ତାରେ ଛାତ୍ର ନିଖୋଜ ଘଟଣା, ‘ଜଗନ୍ନାଥଙ୍କ ଅପାର କରୁଣାରୁ ପୁଅକୁ ପାଇଲୁ’

କଲେଜକୁ ଯିବା ରାସ୍ତାରେ ଛାତ୍ର ନିଖୋଜ ଘଟଣା, ‘ଜଗନ୍ନାଥଙ୍କ ଅପାର କରୁଣାରୁ ପୁଅକୁ ପାଇଲୁ’

28

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ବଡ଼ ଲହୁଣିପାଳ ଗ୍ରାମର ଶଶିକାନ୍ତ କବିଙ୍କ ପୁଅ ପ୍ରୀତିରଂଜନ କବି (୧୭) କଲେଜ ଯିବା ରାସ୍ତାରେ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ । ଏହା ପରେ ପ୍ରୀତିରଂଜନ ନିଖୋଜ ହେବା ନେଇ ତାଙ୍କ ପରିବାର ଅତ୍ୟନ୍ତ ଶୋକାକୁଳ ହୋଇପଡ଼ିବା ସହିତ ମାନସିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । ଏଥିପାଇଁ ନିଖୋଜ ଛାତ୍ରଙ୍କ ମା’ ଅଖଣ୍ଡ ଦୀପ ଜାଳି ପୁଅକୁ ପାଇବାକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆକୁଳ ନିବେଦନ କରିଥିଲେ । ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପୁଅକୁ ଫେରାଇ ଦେଇଛନ୍ତି ବୋଲି ବାପା-ମା କହିଛନ୍ତି । ଛାତ୍ର ପ୍ରୀତିରଂଜନ ଗତ ୩୧ ତାରିଖରେ ଶିମୁଳିଆ ସ୍ଥିତ ଏକ ଆବାସିକ କଲେଜକୁ ସକାଳ ୯ଟା ସମୟରେ ପୀରହାଟରୁ ବସ ଯୋଗେ ଯାଇଥିଲେ । ଶିମୁଳିଆରେ ୧୧ଟା ସମୟରେ ଓହ୍ଲାଇବା ପରିବର୍ତ୍ତେ ଭୁଲ୍ ବଶତଃ ପ୍ରୀତିରଂଜନ ବାଲେଶ୍ୱରରେ ଓହ୍ଲାଇଥିବା ବସ୍ କଣ୍ଡକ୍ଟରଙ୍କ ଠାରୁ ଜଣା ପଡ଼ିଥିଲା । ତେବେ ଦିନ ୩ଟା ପର୍ଯ୍ୟନ୍ତ ପ୍ରୀତିରଂଜନର ଫୋନ ଘରକୁ ନଆସିବାରୁ ସେ କଲେଜ ଯାଇନଥିବା କଥା ତାଙ୍କ ବାପା ଶଶିକାନ୍ତ ଜାଣିପାରିଥିଲେ । ପର ଠାରୁ ଖୋଜାଖୋଜି କରିବା ସହ ଥାନାରେ ଏତଲା ମଧ୍ୟ ଦେଇଥିଲେ । ତେବେ ପ୍ରୀତିରଂଜନ ପୁରୀରେ ଥିବା ଖବର ପାଇ ପରିବାର ଲୋକେ ସେଠାକୁ ଯାଇ ମଙ୍ଗଳବାର ଘରକୁ ଆଣିଥିଲେ । ନିଖୋଜ ଛାତ୍ର ପ୍ରୀତିରଂଜନଙ୍କ ବାପା କହିବା ଅନୁଯାୟି ପ୍ରୀତିରଂଜନ ଶିମୁଳିଆରେ ନ ଓହ୍ଲାଇ ଭୁଲ୍ ବଶତଃ ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ଥିଲେ । ସେଠାରେ ବାଟ ଭୁଲି ଯାଇ ବହୁ ଲୋକଙ୍କୁ ଘରକୁ ଫୋନ କରିବା ପାଇଁ ମୋବାଇଲ ମାଗିଥିଲେ ମଧ୍ୟ କେହି ତାଙ୍କୁ ମୋବାଇଲ ଦେଇନଥିଲେ । ପରେ କିଛି ଲୋକଙ୍କ ପରାମର୍ଶ କ୍ରମେ ସେ ଟ୍ରେନରେ ଘରକୁ ଆସୁଥିଲେ । ମାତ୍ର ଭଦ୍ରକ ରେଳ ଷ୍ଟେସନ ଆଗରୁ ସେ ଶୋଇ ଯାଇଥିବାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଟ୍ରେନରେ ଯାଇ ସେଠାରେ ଓହ୍ଲାଇ ଥିଲେ । ପୁଣି ଖୋର୍ଦ୍ଧାରୁ ସେ ଭୁବନେଶ୍ୱର ଦେଇ ପୁରୀ ଚାଲି ଯାଇଥିଲେ । ପୁରୀରେ ମଧ୍ୟ ଫୋନ ଦେବାକୁ କେହି ସହଯୋଗ ନକରିବାରୁ ସେ ନିରାଶ ହୋଇ ପାଖରେ ପଇସା ନଥିବାରୁ ଆବଢ଼ା ସହିତ ମାଗି ଯାଚି ଖାଇଥିଲେ । ଶେଷରେ ସେ ପୁରୀ ବେଳଭୂମିକୁ ଯାଇ ସେଠାରେ ଜଣେ ଫଟୋଗ୍ରାଫର ଠାରୁ ମୋବାଇଲ ଫୋନ ଆଣି ଘରକୁ ଫୋନ କରି ପୁରୀରେ ଥିବା କଥା ଜଣାଇଥିଲେ । ତେବେ ପୁଅକୁ ପାଇବା ପରେ ତାଙ୍କ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.