Home ଜିଲ୍ଲା ପରିକ୍ରମା କରୋନା ଯୋଗୁଁ ଫିକା ଦୀପାବଳି-କାଳୀପୂଜା : ବିଧିରକ୍ଷାରେ ସମ୍ପନ୍ନ ମାଆ ଲଳିତେଶ୍ୱରୀଙ୍କ ପୂଜା

କରୋନା ଯୋଗୁଁ ଫିକା ଦୀପାବଳି-କାଳୀପୂଜା : ବିଧିରକ୍ଷାରେ ସମ୍ପନ୍ନ ମାଆ ଲଳିତେଶ୍ୱରୀଙ୍କ ପୂଜା

69

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା କଟକଣା ମଧ୍ୟରେ ବାଲେଶ୍ୱରର ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପ ମାନଙ୍କରେ ବିଧିରକ୍ଷା ପୂର୍ବକ ଆଜି କାଳୀପୂଜା ଅନୁଷ୍ଠିତ ହୋଇଥିବା ବେଳେ ସରକାରୀ ନିୟମ ମାନି ଲୋକେ ବାଣ ଏବଂ ଆତସବାଜିରୁ ଦୂରେଇ ଦୀପଜାଳି ଦୀପାବଳି ପାଳନ କରିଛନ୍ତି। ପ୍ରତିବର୍ଷ କାଳୀପୂଜାରେ ଭକ୍ତମାନଙ୍କର ଭିଡ଼ ହେଉଥିବା ବାଲେଶ୍ୱର ସହରର ବିବେକାନନ୍ଦ ମାର୍ଗସ୍ଥିତ ମାଆ ଲଳିତେଶ୍ୱରୀ କାଳୀମନ୍ଦିରରେ ସେଭଳି ଭକ୍ତ ଓ ମାନସିକଧାରୀଙ୍କର ସମାରୋହ ନଥିଲା। ମାନସିକଧାରୀମାନେ କୋଭିଡ୍ ନିୟମ ପାଳନ କରି ସାମାଜିକ ଦୂରତା ରକ୍ଷା ସହ ଦୂରରୁ ମାଆଙ୍କୁ ଦର୍ଶନ କରୁଥିଲେ। ପୂଜକମାନେ ସେମାନଙ୍କଠାରୁ ଭୋଗଡାଲା ନେଇ ପୂଜା କରି ଆଣି ଫେରାଇ ଦେଉଥିଲେ। କେହି ମନ୍ଦିର ଭିତରକୁ ପ୍ରବେଶ କରୁନଥିଲେ। ଅନ୍ୟାନ୍ୟ ପୂଜା ଭଳି ଚଳିତ ବର୍ଷର କାଳୀପୂଜା ବି କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ତେବେ ମନ୍ଦିର କର୍ତ୍ତୃପକ୍ଷ ଓ ପୂଜକଙ୍କ ସହଯୋଗରୁ ଦୂରରୁ ହେଉ ପଛେ ମାଆଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥିବା ଯୋଗୁଁ ଭକ୍ତ ଓ ମାନସିକଧାରୀମାନେ ବେଶ ଆତ୍ମ ସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୭୫ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ମାଆ ଲଳିତେଶ୍ୱରୀଙ୍କ ପ୍ଲାଟିନମ ଜୁବଲି ପ୍ରତିଷ୍ଠା ଉତ୍ସବ ପାଇଁ ୫ ବର୍ଷ ଧରି ଚାଲିଥିବା ପ୍ରସ୍ତୁତି ଶେଷ ମୁହୂର୍ତ୍ତରେ ବନ୍ଦ କରିବାକୁ ପଡ଼ିଛି ବୋଲି ମନ୍ଦିର ପ୍ରତିଷ୍ଠାତା ପରିବାରର ସଦସ୍ୟା ପାରମିତା ସରକାର ସୂଚନା ଦେଇଛନ୍ତି। ବ୍ୟାପକ ଉତ୍ସବ ବନ୍ଦ କରିବା ବୋଧୁଏ ମାଆଙ୍କର ଇଚ୍ଛା ହୋଇପାରେ ବୋଲି ସେ କହିଛନ୍ତି। ତେବେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ ନିୟମ ପାଳନ ପୂର୍ବକ ଚଳିତ ବର୍ଷ କେବଳ ବିଧିରକ୍ଷାରେ ମାଆଙ୍କ ପୂଜାର୍ଚ୍ଚନା ହେଉଛି ବୋଲି ପ୍ରତିଷ୍ଠାତା ପରିବାରର ଅନ୍ୟତମ ସଦସ୍ୟ ସୋମଶଙ୍କର ସରକାର କହିଛନ୍ତି। ମାଆଙ୍କର ନିର୍ଦ୍ଦେଶ ରହିଲେ ଆସନ୍ତାବର୍ଷ ଏହି ଉତ୍ସବ ଅତି ଯାକଜମକରେ କରିପାରିବା ବୋଲି ସେ ମତ ଦେଇଛନ୍ତି। କେବଳ ଲଳିତେଶ୍ୱରୀ ମନ୍ଦିର ନୁହେଁ ବାଲେଶ୍ୱର ସହର ସମେତ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଏହିଭଳି ବିଧିରକ୍ଷାରେ ପୂଜା ହେଉଛି। ସେହିଭଳି ଅଜୀର ଦୀପାବଳି ମଧ୍ୟ ବିନା ବାଣ-ରୋଷଣୀରେ ଲୋକେ ଦୀପଜାଳି ପାଳନ କରୁଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.