Home ଓଡ଼ିଶା କରୋନା ମୁକାବିଲା ପାଇଁ ବସ୍ତି ଅଂଚଳରେ ସର୍ବେକ୍ଷଣ

କରୋନା ମୁକାବିଲା ପାଇଁ ବସ୍ତି ଅଂଚଳରେ ସର୍ବେକ୍ଷଣ

190

ପୁରୀ, ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ଜିଲ୍ଲା ଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୀ ପୌରସଂସ୍ଥା ଅଧିନସ୍ଥ ୬୩ଟି ବସ୍ତିରେ ବାସ କରୁଥିବା ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ। ପ୍ରାୟ ୨୫ହଜାର ପରିବାର ଏହି ସର୍ବେକ୍ଷଣରେ ସାମିଲ ହେବେ। ସଂପୃକ୍ତ ପରିବାରର ସମସ୍ତ ସଦସ୍ୟ ବିଶେଷ କରି ୫୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ତା ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ସଦସ୍ୟ ଲକଡାଉନ ସମୟରେ ଘରୋଇ ହିଂସା ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। ଏହାଦ୍ୱାରା ସମଗ୍ର ସହରକୁ କରୋନା ମୁକ୍ତ କରାଯିବା ନିମନ୍ତେ ଉକ୍ତ ସର୍ବେକ୍ଷଣର ଉଦ୍ଦେଶ୍ୟ ରହିଛି। ଏଥିନିମେନ୍ତ ସହରକୁ ୪ଟି ଜୋନରେ କମଳା ଦେବୀ, ମାତୃମଙ୍ଗଳ କେନ୍ଦ୍ର, ଦୋଳବେଦୀ କୋଣ, ସହରାଂଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ସ୍ୱର୍ଗଦ୍ୱାର ଏବଂ ଚନ୍ଦନ ହଜୁରୀ ପ୍ରାଥମିକ ଚିକିତ୍ସା କେନ୍ଦ୍ରଭାବେ ବିଭକ୍ତ କରାଯାଇ ୧୨୫ଟି ଟିମ୍ କୁ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟେକ ଟିମରେ ୪ଜଣ ସଦସ୍ୟ ରହିବେ। ଏଥିନିମନ୍ତେ ୧୫୧ଜଣ ସ୍କୁଲ ଶିକ୍ଷକ, ୫୩ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ, ୭୯ଜଣ ଅଙ୍ଗନବାଡି କର୍ମୀ, ୩୨ଜଣ ଆଶାକର୍ମୀ ଏବଂ ୮୫ଜଣ ମହିଳା ଆରୋଗ୍ୟ ସମିତିର ସଭ୍ୟାଙ୍କୁ ତାଲିମ ପ୍ରଦାନ କରାଯାଇଛି ପ୍ରତ୍ୟେକ ଟିମର ଜଣେ ଶିକ୍ଷକ ମୁଖ୍ୟଭାବେ ରହିବେ ଏବଂ ଆସନ୍ତା ୨୫ ତାରିଖ ସୁଦ୍ଧା ସର୍ବେକ୍ଷଣ କାର୍ଯ୍ୟ ଶେଷ ହେବ। ଆବଶ୍ୟକ ହେଲେ ଘରକୁ ଘର ବୁଲିବା ସହ ଅଧିକ ତଥ୍ୟ ନିମନ୍ତେ ସଂପୃକ୍ତ ପରିବାରକୁ ଟେଲିଫୋନ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯିବ। ଉକ୍ତ କାର୍ଯ୍ୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଏବଂ ପୌର ସଂସ୍ଥା ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ। ଆଜିର ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ବ୍ଲକ ଶିକ୍ଷାଧିକାରୀ ମମତା ମିଶ୍ର ସଦର ସିଡିପିଓ ଶୁଭଲକ୍ଷ୍ମୀ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟ ମ୍ୟାନେଜର ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.