Home ଜିଲ୍ଲା ପରିକ୍ରମା କରୋନା ମୁକାବିଲାରେ ପ୍ରଶାସନର ବିଫଳତାକୁ ନେଇ ଉଦବେଗ- ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ବିକ୍ଷୋଭ

କରୋନା ମୁକାବିଲାରେ ପ୍ରଶାସନର ବିଫଳତାକୁ ନେଇ ଉଦବେଗ- ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ବିକ୍ଷୋଭ

77

ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଥିବା ବେଳେ ପ୍ରଶାସନର ଖାମଖିଆଲି ମନୋଭାବ ପ୍ରତିବାଦରେ ବାଲେଶ୍ୱର ସିଭିଲ ସୋସାଇଟି ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସୋସାଇଟିର ଉପ-ସଭାପତି ବସନ୍ତ ସ’ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ତଥା ଆଇନଜୀବୀ ମନୋଜ ନାୟକ ଜିଲ୍ଲାବ୍ୟାପୀ ସ୍ୱାସ୍ଥ୍ୟସେବାରେ ସରକାରଙ୍କ ଚରମ ବିଫଳତା ସଂପର୍କରେ ସୂଚନା ଦେଇଥିଲେ। ସରକାରୀ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେବାର ୩ବର୍ଷ ପରେ ବି ସାଧାରଣ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ନକରି ପୂର୍ବଭଳି କଟକ ବଡ଼ଡାକ୍ତରଖାନାକୁ ଡାକ୍ତରମାନେ ପଠାଇ ଦେଉଥିବା ଶ୍ରୀ ନାୟକ ଅଭିଯୋଗ କରିଥିଲେ। ଗୌରାଙ୍ଗ ପାଣିଗ୍ରାହୀ, ଜ୍ୟୋତ୍ସ୍ନା ମହାନ୍ତି, ପ୍ରେମରଂଜନ ପାତ୍ର, ସୀତାରାମ ପ୍ରଧାନ, ବିଧାନ ଚନ୍ଦ୍ର ରାୟ ଓ ଅରୁଣ ଜେନା ପ୍ରମୁଖ ଏଥିରେ ଯୋଗେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ବିଫଳତାକୁ ନେଇ ତୀବ୍ର ସମାଲୋଚନା କରିଥିଲେ। ଜିଲ୍ଲାରେ କରୋନା ସଂକ୍ରମଣ ଓ ଏଥି ଜନିତ ମୃତ୍ୟୁ ବଢ଼ି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସଠିକ୍ ତଥ୍ୟ ନଦେବା, ସଂକ୍ରମଣ ବୃଦ୍ଧିକୁ ରୋକିବାରେ ପ୍ରଶାସନର ବିଫଳତା, ସାଧାରଣ ରୋଗୀଙ୍କୁ କରୋନା ଆଳରେ ଆବଶ୍ୟକୀୟ ଚିକିତ୍ସା ଯୋଗାଇବାରେ ଅବହେଳା କରାଯିବା ଅତ୍ୟନ୍ତ ଦୁର୍ବାଗ୍ୟଜନକ ବୋଲି ବକ୍ତାମାନେ କହିଥିଲେ। ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି ନିର୍ମାଣାଧିନ ଏମସ୍ ସେଟ୍‌ଲାଇଟ୍ ସେଣ୍ଟରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ମେଡିକାଲ୍ କଲେଜ୍ ସଂଲଗ୍ନ ଅତ୍ୟାଧୁନିକ ହସପିଟାଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, ଖାଲି ପଡ଼ିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ କରିବା, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସାଧାରଣ ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇବା ଓ କୋଭିଡ଼୍ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ। ଏନେଇ ପ୍ରଶାସନ ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସୋସାଇଟି ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ। ଏହି ଅବସରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ବନ୍ଦନା ବିଶ୍ୱାସ ଧନ୍ୟବାଦ ଦେଇଥିଲେ। ଯତୀନ୍ ପାତ୍ର, ଶ୍ୟାମସୁନ୍ଦର ଜେନା, ପ୍ରଦୀପ ଦାସ, ଭରତ ଚନ୍ଦ୍ର ସେଠୀ, ରାମଚନ୍ଦ୍ର ସାହୁ, ପ୍ରଦୀପ ରାଉତ ଓ ଜୟନ୍ତୀ ଦଳେଇ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.