Home ଜିଲ୍ଲା ପରିକ୍ରମା କରୋନା ମାଡରେ ୯୦୦ କୋଟି ଟଙ୍କାର ବସୁଧା ଯୋଜନା ବାଟବଣା : ଗଦା ହୋଇଛି ହଜାର...

କରୋନା ମାଡରେ ୯୦୦ କୋଟି ଟଙ୍କାର ବସୁଧା ଯୋଜନା ବାଟବଣା : ଗଦା ହୋଇଛି ହଜାର ହଜାର ପାଇପ୍‌

147

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନାର ଶକ୍ତ ଆଘାତରେ ଏହି ଜିଲାର ତିହିଡି ଓ ଚାନ୍ଦବାଲି ବ୍ଲକ୍‌ରେ ୯୦୦ କୋଟି ଟଙ୍କାର ବସୁଧା ଯୋଜନା ବାଧାପ୍ରାପ୍ତ ହୋଇଛି । ୩ ବର୍ଷ ମଧ୍ୟରେ ଏହି ମେଗା ପାଇପ୍ ପାଣି ପ୍ରକଳ୍ପ ଶେଷ ହେବାକୁ ଚୁକ୍ତି କରି ୨୦୧୯ ଜାନୁଆରୀ ମାସରେ କାମ ଆରମ୍ଭ ହୋଇଥିଲା । ତେବେ ଏହି ପ୍ରକଳ୍ପ ଆରମ୍ଭ ହେଉ ହେଉ ନଭେମ୍ବର ମାସ ହୋଇଗଲା । ପରେ ପରେ ମହାମାରୀ କରୋନା ଯୋଗୁଁ ୧୦୦୦ କୋଟି ଟଙ୍କାର ପ୍ରକଳ୍ପ ଏବେ ବାଟବଣା ହୋଇଯାଇଛି । ଭଦ୍ରକ-ଚାନ୍ଦବାଲି ରାଜପଥ ଉପରେ ହଜାର ହଜାର ଲୁହା ପାଇପ୍ ପଡି ରହିଥିବାବେଳେ ଗାଁ ଦାଣ୍ଡ ଓ ମନ୍ଦିର କଡରେ ବି ପାଇପ୍ ଗଦା ହୋଇରହିଛି । କରୋନା ପାଇଁ ଶ୍ରମିକ କାମ କରିବାକୁ ଆସୁନାହାଁନ୍ତି । ହାଇଦ୍ରାବାଦର ମେଘା କଂପାନୀ ଏହି କାମ ନେଇଥିବାବେଳେ ଶ୍ରମିକ ଅଭାବରୁ ମେସିନ୍‌ରେ (ଡ୍ରୋଜର) ମାଧ୍ୟମରେ କାମ ଆରମ୍ଭ କରିଛି । ୩ ବର୍ଷ ସମୟସୀମା ମଧ୍ୟରେ ଏହା ଶେଷ ହେବା ନେଇ ସନ୍ଦେହ ଉପୁଜିଛି । ୨୦୨୫ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି ଜଣାପଡିଲାଣି । ଅନୁସନ୍ଧାନରୁ ଜଣାପଡିଛି, ପ୍ରଥମେ ୭୭୫ କୋଟି ପ୍ରକଳ୍ପ ଥିଲା । ଏହାକ୍ରମଶଃ ବଢି ୮୮୪, ପରେ ୮୯୨ ଓ ଶେଷରେ ୯୦୦ କୋଟି ଟଙ୍କା ବିନିମୟରେ ଭଦ୍ରକ ଜିଲାକୁ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଇବା ପାଇଁ ହାଇଦ୍ରାବାଦର ମେଘା ଇଂଜିନିୟରିଂ ଇନ୍‌ଫ୍ରାଷ୍ଟକଚର ଟେଣ୍ଡର ହାତେଇଛି । ଏହି ଟେଣ୍ଡର ହାତେଇବା ପରେ ମେଘା କଂପାନୀ ଶହ ଶହ ତାମିଲୁନାଡୁ ନମ୍ବର ଥିବା ଟ୍ରକ୍ ଓ ଟ୍ରଲରରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ସାଇଜର ଲୁହା ପାଇପ୍ ଭଦ୍ରକ ଜିଲାକୁ ବୁହି ଆଣି ରାସ୍ତାକଡରେ ପକାଇଛି । ତିହିଡି-ଚାନ୍ଦବାଲି ରାସ୍ତା କଡରେ ଏହି ପାଇପ୍ ଗୁଡିକୁ ଅନଲୋଡ କରାଇଛି । ତିହିଡି ବ୍ଲକ୍‌ର ୪ କିଲୋମିଟର ଦୂର ସିନ୍ଦୋଳ ପଂଚାୟତ ଅଫିସ୍ ନିକଟରେ ଏହି କଂପାନୀର ହେଡ୍‌କ୍ୱାର୍ଟର କରାଯାଇ ଭଦ୍ରକ ଜିଲାର ୫୨୬ ଖଣ୍ଡ ଗାଁକୁ ପାଇପ୍ ଯୋଗେ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଇବାକୁ ପ୍ରଶାସନର ଆରଡବ୍ଲ୍ୟୁଏସ୍‌ଏସ୍ ବିଭାଗ ଲାଗି ପଡିଛି । ୯୦୦ କୋଟି ଟଙ୍କାର ବସୁଧା ମେଗା ପ୍ରକଳ୍ପ ବୈତରଣୀ ନଦୀ ପରିବର୍ତ୍ତେ ଖରସ୍ରୋତା ନଦୀର ବରୁଣ ଆଡିଆ ଠାରୁ ଜଳ ଆଣୁଛି । ଖରସ୍ରୋତା ନଦୀକୂଳରେ ଏକ ବୃହତ ଟାଙ୍କି ଖୋଳା ଆରମ୍ଭ ହୋଇଛି । ବିଶାଳକାୟ ଏହି ବୃହତ ୪ଟି ଟାଙ୍କିରେ ନଦୀର ଗୋଳିଆ ପାଣି ରହିବ । ଏହି ପାଣିକୁ ପାଇପ୍ ଯୋଗେ ରାଜକନିକା ଦେଇ ବୈତରଣୀ ନଦୀ ପାର ହୋଇ ଚାନ୍ଦବାଲି ନୟାହାଟ ପର୍ଯ୍ୟନ୍ତ ଅଣାଯିବ । ନୟାହାଟଠାରେ ୮ ଏକର ଜମିରେ ଏହି ବିଶୋଧନାଗାର ପ୍ରତିଷ୍ଠା କାର୍ଯ୍ୟ ବି ଆରମ୍ଭ ହୋଇଛି ।

 

 

ବିଶୋଧନ ପରେ ଏହି ପାଣିକୁ ଭଦ୍ରକ ଜିଲାର ୪ଟି ବ୍ଲକ୍‌କୁ ପାଇପ୍ ଯୋଗେ ଘରକୁ ଘର ଯୋଗାଯିବ । ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍‌ର ୩୩ଟି ପଂଚାୟତର ୨୬୬ ଟି ଗାଁ, ତିହିଡି ବ୍ଲକ୍‌ର ୨୦ଟି ପଂଚାୟତର ୧୦୯ଟି ଗାଁ, ବାସୁଦେବପୁର ବ୍ଲକ୍‌ର ୨୧ଟି ପଂଚାୟତର ୧୧୮ଟି ଗାଁ ଓ ଧାମନଗର ବ୍ଲକ୍‌ର ୧୦ ଟି ପଂଚାୟତର ୩୩ଟି ଗାଁକୁ ମିଶାଇ ମୋଟ ୫୨୬ ଟି ଗାଁକୁ ଏହି ୨୪ ଘଣ୍ଟିଆ ପିଇବା ପାଣି ଯୋଗାଯିବ । ୧୦୫ ମିଲିୟନ ଲିଟର ପାଣି ୫୨୬ ଟି ଗାଁର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ଯୋଗାଇ ଦିଆଯିବ । ଖରସ୍ରୋତା ନଦୀରୁ ରାଜକନିକା ଦେଇ ଚାନ୍ଦବାଲି ମୁହାଁ ହୋଇଥିବା ଏହି ଲୁହା ପାଇପ୍‌ଗୁଡିକ ଚାନ୍ଦବାଲି ନିକଟସ୍ଥ ବୈତରଣୀ ନଦୀପାରି ହେବ । ବୈତରଣୀ ନଦୀରେ ଏଥିପାଇଁ ଏକ ନୂଆ ବ୍ରିଜ ଏହି ହାଇଦ୍ରାବାଦ କଂପାନୀ ନିର୍ମାଣ କରିବାକୁ ପ୍ରସ୍ତୁତ ହେଲେଣି । ୨୦୨୨ ମାର୍ଚ୍ଚ ସୁଦ୍ଧା ଏହି ୯୦୦ କୋଟି ଟଙ୍କାର ପ୍ରକଳ୍ପ କାମ ଶେଷ କରିବାକୁ କଂପାନୀକୁ ନିର୍ଦ୍ଦେଶ ହୋଇଥିବାବେଳେ ୨୦୨୫ ପର୍ଯ୍ୟନ୍ତ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଠିକା କଂପାନୀ ନେବ ବୋଲି ସ୍ଥିରୀକୃତ ହୋଇଛି । ଭଦ୍ରକ ଜିଲାର ୪ଟି ବ୍ଲକ୍‌ର ୮୪ ଟି ପଂଚାୟତକୁ ଏହି ପିଇବା ପାଣି ଯିବାପାଇଁ ୧୧୦ ଟି ସ୍ଥାନରେ ମେଗା ଓଭରହେଡ୍ ଟ୍ୟାଙ୍କ ନିର୍ମାଣ ଆରମ୍ଭ ହୋଇପାରିନାହିଁ । ପ୍ରତି ପଂଚାୟତରେ ୧ ଏକର ଜାଗା ପରିମିତ ସ୍ଥାନରେ ଏହି ଓଭରହେଡ୍ ଟ୍ୟାଙ୍କ ନିର୍ମାଣ ପାଇଁ ଏଯାଏଁ ସ୍ଥାନ ନିରୂପଣ ହୋଇନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ତିହିଡିର ଅଧା ପଂଚାୟତ ଓ ଚାନ୍ଦବାଲି ବ୍ଲକ୍‌ର ୩୦ ଟି ପଂଚାୟତରେ ୬ ଶହରୁ ୮ ଶହ ଫୁଟ୍ ତଳକୁ ପାଇପ୍ ଫୁଟାଇ ପାଣି ବାହାର କରିବାକୁ ନଳକୂପ ଖନନ ହେଉଥିବାରୁ ଓ ତାହା ବାରମ୍ବାର ଅଚଳ ହେବା ନଜର ରହିଛି । ଏବେ ଏହି ୯୦୦ କୋଟି ଟଙ୍କାର ପ୍ରକଳ୍ପ ସେହି ସମସ୍ୟା ଦୂର କରିବ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ୧୦୦ କୋଟି ଟଙ୍କାର ଗ୍ରୀଡ୍ ନିର୍ମାଣ କରି ୫୦ ବର୍ଷର ବିଦ୍ୟୁତ୍ ସମସ୍ୟା ଦୂର କରିବା ପରେ ଏବେ ଏହି ୯୦୦ କୋଟି ଟଙ୍କାର ମେଗା ପିଇବା ପାଣି ପ୍ରକଳ୍ପ ସ୍ୱାଧୀନତା ପ୍ରାପ୍ତିର ୭୩ ବର୍ଷ ପରେ ସମସ୍ୟାକୁ ଦୂର କରିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.