Home ଓଡ଼ିଶା କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

252

ଭୁବନେଶ୍ୱର୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ୨୨ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ । ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା ଓ ଶ୍ରମିକ କଲ୍ୟାଣକୁ ଗୁରୁତ୍ୱ । ଖାଦ୍ୟ ସୁରକ୍ଷା ଯୋଜନା‌ ଅଧିନରେ ଥିବା ୯୪ଲକ୍ଷ ଲୋକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ। ଏଥିଲାଗି ରାଜ୍ୟ ସରକାର ୯୪୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ବିଭିନ୍ନ ଭତ୍ତା ପାଉଥିବା ୪୮ ଲକ୍ଷ ଲୋକଙ୍କୁ ୪ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବ। ଏ ବାବଦରେ ୯୩୨କୋଟି ଟଙ୍କା ବ୍ୟୟ କରିବେ ଓଡ଼ିଶା ସରକାର। ଅନ୍ୟପକ୍ଷରେ ରାଜ୍ୟର ୨୨ ଲକ୍ଷ  ନିର୍ମାଣ ଶ୍ରମିକଙ୍କ ଲାଗି ମଧ୍ୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏ ନେଇ ରାଜ୍ୟ ସରକାର ୩୩୦ କୋଟି ଟଙ୍କା ଖର୍ଚ୍ଚ କରିବେ।କରୋନା ପାଇଁ ତିନି ମାସର ପିଡିଏସ୍ ସାମଗ୍ରୀ ଆଗୁଆ ଦିଆଯିବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି । ଏପ୍ରିଲ୍‌, ମେ’ ଓ ଜୁନ୍ ମାସର ଚାଉଳ, ଗହମ ଓ କିରାସିନି ଏପ୍ରିଲ୍ ପହିଲାରୁ ମେ’ ୧୫ ତାରିଖ ଭିତରେ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ତାଲିକାଭୁକ୍ତ ୩.୨୬ କୋଟି ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ୪.୫ ଲକ୍ଷ ହିତାଧିକାରୀ ଏଥିରେ ଉପକୃତ ହେବେ। କରୋନାର ସତର୍କତାମୂଳକ ପଦ‌କ୍ଷେପ ଭାବେ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ ଗହଳି ନ ଜମାଇ ହିତାଧିକାରୀମାନେ ଯେପରି ରାସନ୍ ସାମଗ୍ରୀ ଉଠାଇ ପାରିବେ, ସେଥି ପାଇଁ ୪୫ ଦିନର ସମୟ ଦିଅ‌ାଯାଇଛି। ଏହି ବଣ୍ଟନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଇ-ପସ୍ ମେସିନ୍ ଜରିଆରେ ‌ରାସନ୍ ସାମଗ୍ରୀ ବଣ୍ଟନ ସମୟରେ ହିତାଧିକାରୀଙ୍କ ଟିପ ଚିହ୍ନ ଅଥବା ଚକ୍ଷୁ ଡୋଳା ତନଖିର ଆବଶ୍ୟକତାକୁ ବାଦ୍ ଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।ସେହିପରି ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଏକା ସଙ୍ଗେ ୪ ମାସର ଭତ୍ତା ମିଳିବ। ‌କରୋନା ମୁକାବିଲା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ୍‌ରୁ ଜୁଲାଇ ମାସ ପର‌୍ୟ୍ୟନ୍ତ ୪ ମାସର ଭତ୍ତା ଅଗ୍ରୀମ ଆକାରରେ ଏକାଥରେ ଦିଆଯିବ।  ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ କରୋନା ଭାଇରସ୍ ଯୋଗୁ ଏବେ ବିଭିନ୍ନ ପ୍ରକାରର ପ୍ରତିଷେଧକମୂଳକ ନିଆଯାଉଛି। ଲୋକମାନେ ଯେଭଳି ଏକତ୍ରିତ ନ ହେବେ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଆଦିକୁ ଏକସଙ୍ଗେ ୪ ମାସର ବଣ୍ଟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ମଧୁ ବାବୁ ପେନ୍‌ସନ୍ ଯୋଜନାରେ ପାଖାପାଖି ୨୮ ଲକ୍ଷ ହିତାଧିକାରୀ ଓ ଜାତୀୟ ସାମାଜିକ ସହାୟତା କାର‌୍ୟ୍ୟକ୍ରମ ଅଧୀନରେ ୨୦ ଲକ୍ଷ ହିତାଧିକାରୀ ମାସିକ ଭତ୍ତା କିମ୍ବା ପେନ୍‌ସନ୍ ପାଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.