Home ଓଡ଼ିଶା କରୋନା କଟକଣାରୁ ଫିକା ଉତ୍କଳୀୟ ଗଣପର୍ବ ‘ରଜ’

କରୋନା କଟକଣାରୁ ଫିକା ଉତ୍କଳୀୟ ଗଣପର୍ବ ‘ରଜ’

108

ବାଲେଶ୍ୱର, ୧୨ା୬(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା ଜନିତ କଟକଣା ପାଇଁ ଉତ୍କଳୀୟ ସଂସ୍କୃତିରେ ଅନ୍ୟତମ ଗଣପର୍ବ, ଆଷାଢ଼ ମାସ ସଂକ୍ରାନ୍ତିର ରଜପର୍ବ ଚଳିତ ବର୍ଷ ଫିକା ପଡ଼ିବ ବୋଲି ଏବେଠାରୁ ସ୍ପଷ୍ଟ ହୋଇଯାଇଛି। ତିନିଦିନିଆ ଏହି ଗଣପର୍ବକୁ ପ୍ରତିବର୍ଷ ଓଡ଼ିଶାର ଘରେ ଘରେ ବେଶ୍ ହର୍ଷ ଉଲ୍ଲାସରେ ଲୋକେ ପାଳନ କରିଥା’ନ୍ତି। ଜୁନ୍ ମାସ ୧୩ ତାରିଖର ପହିଲି ରଜ, ୧୪ ତାରିଖର ସଂକ୍ରାନ୍ତି ଓ ୧୫ ତାରିଖର ଭୂଇଁଦହନ ପ୍ରଭୃତି ୩ଦିନ ବ୍ୟାପୀ ପାଳନ ହେଉଥିବା ଏହି ପର୍ବରେ ଗାଁ’ଠୁ ସହର ପର୍ଯ୍ୟନ୍ତ ଉତ୍ସବର ମାହଲ ଦେଖାଯାଇଥାଏ। ଏହି ତିନିଦିନ ଧରି ସମସ୍ତଙ୍କ ଘରେ ଆମ୍ବ, ପଣସ ଆଦି ଫଳମୂଳ ସହିତ ବିଭିନ୍ନ ପିଠାପଣା ପ୍ରଭୃତିି ସୁସ୍ୱାଦୁ ଖାଦ୍ୟ ସମ୍ଭାରର ବାସ୍ନାରେ ପୂରି ଉଠିଥାଏ। ବିବାହିତ ଝିଅମାନେ ରଜରେ ବାପଘରକୁ ଆସି ରଜ କଟାଇବା ସହ ଶାଶୂଘରକୁ ଆମ୍ବପଣସ ଓ ମିଠା ଭାର ନେବାର ପରମ୍ପରା ରହିଛି। ଧରଣୀମାତା ରଜସ୍ୱଳା ହେବା କାରଣରୁ ରଜରେ ଚଷା ପୁଅମାନେ କାମଦାମ ବନ୍ଦ କରି ପାନଖାଇବା, ବାଗୁଡ଼ି ଓ ତାସ ଖେଳିବାରେ ସମୟ କଟାନ୍ତି। ତେବେ ରଜଛୁଟି ପୂର୍ବରୁ ସରକାରୀ ଚାକିରିଆଙ୍କ ପାଇଁ ଆଜି ଶେଷ କାର୍ଯ୍ୟ ଦିବସ ଥିବା ବେଳେ ଘରକୁ ଯିବା ଅବସରରେ ସେମାନେ ଘର ପରିବାର ନିମନ୍ତେ ମାର୍କେଟିଂ କରିଥା’ନ୍ତି। କେବଳ ଚାକିରିଆ ନୁହେଁ ବରଂ ରଜ ଉପଲକ୍ଷେ ପ୍ରତ୍ୟେକ ପରିବାର ପକ୍ଷରୁ ତିନିଦିନ ପାଇଁ ସ୍ୱତନ୍ତ୍ର ମାର୍କେଟିଂ ହୋଇଥାଏ। ଏନେଇ ସହର ବଜାରରେ ଲୁଗା ଦୋକାନଠାରୁ ଆରମ୍ଭ କରି ଫଳ ଓ ମିଠା ଦୋକାନ ପର୍ଯ୍ୟନ୍ତ ସବୁଠି ଭିଡ଼ ଦେଖିବାକୁ ମିଳଥାଏ। ମୋଟ ଉପରେ ପହିଲି ରଜର ଦୁଇଦିନ ଆଗରୁ ରଜ ପାଇଁ ସବୁଠି ଉତ୍ସବର ମାହଲ ବାରି ହୋଇ ପଡ଼ିଥାଏ। ମାତ୍ର ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ଯୋଗୁଁ ଗତ ମାର୍ଚ୍ଚ ମାସ ପକ୍ଷରୁ ଅଦ୍ୟାବଧି ପ୍ରତିଟି ପର୍ବ ପର୍ବାଣୀ କେବଳ ବିଧିରକ୍ଷାରେ ପାଳନ କରାଯାଉଥିବା ଲକ୍ଷ୍ୟ କରାଯାଇଛି। କରୋନା ମୁକାବିଲାରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଧର୍ମୀୟ ଅନୁଷ୍ଠାନଗୁଡ଼ିକରେ ୧୪୪ ଧାରା ଲଗାଯାଇଛି। ଏମିତିକି ଜନସମାଗମ ରୋକିବା ପାଇଁ ଧାର୍ମିକ, ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ରଖାଯାଇଛି। ଏହା ସାଙ୍ଗକୁ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ପାଇଁ ଲକ୍ ଡାଉନ୍‌, ସଟ୍ ଡାଉନ୍ ଓ ରାତ୍ରିକାଳୀନ କର୍ଫ୍ୟୁ ଆଦି ଏବେ ବି ବଳବତ୍ତର ରହିଛି। ଫଳରେ ଅନ୍ୟାନ୍ୟ ପର୍ବପର୍ବାଣୀ ଭଳି ଚଳିତ ବର୍ଷର ତିନିଦିନିଆ ରଜପର୍ବ ମଧ୍ୟ କେବଳ ବିଧିରକ୍ଷାରେ ଲୋକେ ପାଳନ କରିବେ ବୋଲି ଆଶା କରାଯାଉଛି। ବିଶେଷ କରି ୧୩ ତାରିଖର ପହିଲି ରଜ ପୂର୍ବ ଦୁଇଦିନ ୧୧ ଓ ୧୨ ତାରିଖରେ ଲୋକଙ୍କ ପ୍ରସ୍ତୁତିକୁ ନେଇ ଏହା ପରିଲକ୍ଷିତ ହୋଇଛି। ଅନ୍ୟାନ୍ୟ ବର୍ଷ ଭଳି ବାରି ହୋଇ ପଡ଼ୁନି ରଜରେ ଉତ୍ସବର ମାହଲ। ମାର୍କେଟରେ ଲୋକ ଗହଳି ନଥିବା ବେଳେ ଲୁଗା, ଫଳମୂଳ ଓ ମିଠା ଦୋକାନରେ ଆଗପରି ଭିଡ଼ ମଧ୍ୟ ନାହିଁ। ରଜରେ ଦେଶୀ ଫଳ ଭାବେ ଆମ୍ବ ପଣସର ଅଧିକ ଚାହିଦା କାରଣରୁ ବାଲେଶ୍ୱରକୁ ଅନ୍ୟାନ୍ୟ ଜିଲ୍ଲାକୁ ଶହଶହ ଟ୍ରକ୍ ପଣସ ଆସିଥାଏ। ସହର ରାସ୍ତାର ଠାଏ ଠାଏ ପଣସ ଗଦା ହୋଇଥାଏ। ମାତ୍ର ଆଜି ବଜାରରେ ପଣସ ଗଦ ଆଉ ଦେଖିବାକୁ ମିଳୁନି। ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ପୂର୍ବବର୍ଷ ମାନଙ୍କରେ ଯଦିଚଃ ରଜପର୍ବ କିଛିଟା ଗୁରୁତ୍ୱ ହରାଇଥିଲା, ତେବେ ଚଳିତ ବର୍ଷର କରୋନା ଯୋଗୁଁ ଏହା ସମ୍ପୂର୍ଣ୍ଣ ଫିକା ପଡ଼ିବ ବୋଲି ଅନୁମାନ କରାଯାଇଛି। ଗାଁ ଦାଣ୍ଡରେ ସାମୂହିକ ରଜଦୋଳି ଗୀତ ଆଉ ଶୁଭୁନି କିମ୍ବା ଯୁବକମାନେ ବାଗୁଡ଼ି ଖେଳ ଓ ତାସ୍ ଖେଳରେ ଦିନ ତମାମ ବିତାଇବେ ନାହିଁ। ଚଳିତ ବର୍ଷ ରଜ ଆଉ ଗଣପର୍ବ ନହୋଇ କେବଳ ପାରିବାରିକ ସ୍ତରରେ ବିଧିରକ୍ଷାରେ ପାଳନ କରାଯିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.