Home ଜିଲ୍ଲା ପରିକ୍ରମା କରଦା ସେବା ସମବାୟ ସମିତିର ସଂପାଦକ ଓ ଠିକା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ଚାଷୀ

କରଦା ସେବା ସମବାୟ ସମିତିର ସଂପାଦକ ଓ ଠିକା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ଚାଷୀ

3

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍‌ରେ ୧୨ଟି ସେବା ସମବାୟ ସମିତି ଥିବାବେଳେ କାଁ ଭାଁ ଗୋଟିଏ ଦୁଇଟିକୁ ଛାଡିଦେଲେ ଏଥିମଧ୍ୟରୁ ଅନ୍ୟଗୁଡିକରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇଛି । ଏହି ସମିତି ମାନଙ୍କରେ ଦୁର୍ନୀତିର ମୂଳ କାରଣ ହେଉଛି ପାରିବାରିକ ଚାକିରୀ । ନିକଟରେ ବରଗଡା, ଧାମନଗର, କୋଠାର ଓ ପାଳସାହି ସେବା ସମିତିରେ ବ୍ୟାପକ ଦୁର୍ନୀତି ନେଇ ମଧ୍ୟ ଭିଜିଲାନ୍ସ ତଦନ୍ତ ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ସଂପାଦକଙ୍କୁ ଅଦଳ ବଦଳ କରାଯାଇଥିଲା । ଅନୁରୂପ ସୋହଡା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା କରଦା ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ହୋଇଛି । ଏହି ସମିତିରେ ସୋହଡା, ପଧାନୀ, ଦୋବଲ, ଦଳାଙ୍ଗ ଅଂଚଳର ପ୍ରାୟ ୨୪ ଶହ ଚାଷୀ ସଭ୍ୟ ଥିବାବେଳେ ଅଧିକାଂଶ ସମୟରେ ସେମାନଙ୍କୁ ସଂପାଦକ ଓ ଠିକା କର୍ମଚାରୀମାନେ ଭୟଭୀତ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହି ସମିତିରେ ପ୍ରାୟ ୬ ଜଣ କର୍ମଚାରୀ ରହି ବିଭିନ୍ନ ଉପାୟରେ ଚାଷୀମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି । ସରକାରଙ୍କ ନୀତି ନିୟମକୁ ବେଖାତିର କରି ନିଜ ଇଚ୍ଛାରେ ଏମାନେ ସମିତିକୁ ଚଳାଉଛନ୍ତି । ଏଠାରେ ପ୍ରକାଶ ଥାଉକି ସମିତିର ଚାଷୀଙ୍କ ବାର୍ଷିକ ବୀମା ପାଇଁ ଏବେ କୌଣସି ନିର୍ଦ୍ଦେଶ ନଥିବାବେଳେ ଏହି ସମିତିରେ ସଂପାଦକ ଓ କର୍ମଚାରୀ ଚାଷୀଙ୍କ ନିକଟରୁ ବୀମା ବାବଦକୁ ୪ ଶହ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ହେଲେ ବୀମା ପାଇଁ ସରକାରଙ୍କ ନିୟମ ୩୫୦ ଟଙ୍କା ରହିଛି । କିନ୍ତୁ ଏହି ସମିତିରେ ୫୦ ଟଙ୍କା ଲେଖାଏଁ ଅଧିକ ଜୋର ଜବରଦସ୍ତ ବିନା ରସିଦ୍‌ରେ ଆଦାୟ କରାଯାଉଛି । ଫଳରେ ପାଖାପାଖି ଲକ୍ଷାଧିକ ଟଙ୍କା ସଂପାଦକ ଚଳୁ କରିଛନ୍ତି । ତେବେ ଏ ସଂପର୍କରେ ସଂପାଦକ ବିକାଶ ମହାପାତ୍ରଙ୍କୁ ପଚାରିବାରେ ସେ ୩୫୦ ଟଙ୍କା ବୀମା ପାଇଁ ଆଦାୟ ଦେଉଥିବାବେଳେ ପ୍ରୋସେସିଂ ପାଇଁ ୫୦ ଟଙ୍କା ନିଆଯାଉଥିବାର ସ୍ୱୀକାର କରୁଛନ୍ତି । ଏ ଦିଗରେ ସମବାୟ ବ୍ୟାଙ୍କର ଶାଖା ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ଏବେ କିଛି ବୀମା ପାଇଁ ଟଙ୍କା ଆଦାୟ ହେଉନାହିଁ, ଚାଷୀମାନେ ପୂର୍ବ ବୀମା ଟଙ୍କା ଦେଉଛନ୍ତି ବୋଲି କହିଛନ୍ତି । ତେବେ ସଂପାଦକ ଓ ଶାଖା ପରିଚାଳକଙ୍କ ମଧ୍ୟରେ ତାଳମେଳ ଠିକ୍ ରହୁନଥିବାରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ତଦନ୍ତ କରିବା ପାଇଁ ସ୍ଥାନୀୟ ଅଂଚଳର ଚାଷୀ ପ୍ରଶାନ୍ତ ସାହୁ, ଜ୍ଞାନେନ୍ଦ୍ର ଦାସ, ଗୟାଧର ଦାସଙ୍କ ସମେତ ବହୁ ଚାଷୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.