Home କନ୍ଧମାଳ କନ୍ଧମାଳ ଜିଲା: ପ୍ରଥମ ପର୍ଯ୍ୟାୟରେ ୬୦୦ ଆଦର୍ଶ ଅଙ୍ଗନୱାଡ଼ି ଲକ୍ଷ୍ୟ

କନ୍ଧମାଳ ଜିଲା: ପ୍ରଥମ ପର୍ଯ୍ୟାୟରେ ୬୦୦ ଆଦର୍ଶ ଅଙ୍ଗନୱାଡ଼ି ଲକ୍ଷ୍ୟ

199

ବାଲିଗୁଡା, ୨୨ା୧-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ଆଜିକାଲିର ପ୍ରତିଯୋଗୀଭାବ ସମ୍ପନ୍ନ ସମାଜରେ ପିଲାକୁ ପଢ଼ାଇବା ପାଇଁ ଅଭିଭାବକମାନେ ପ୍ରଥମେ ପ୍ଲେ ସ୍କୁଲ ପରଖୁଛନ୍ତି। ଯେଉଁଠି ପିଲା ପ୍ରିନର୍ସରୀ ସାରି ନର୍ସରୀ ପଢ଼ିବା ପାଇଁ ପ୍ରସ୍ତୁତ ହୋଇପାରିବ। ସାଧାରଣତଃ ସହରାଞ୍ଚଳରେ ଏହି ସୁବିଧା ଥାଏ। ଗ୍ରାମାଞ୍ଚଳର ଶିଶୁମାନଙ୍କୁ କିଭଳି ପ୍ଲେ ସ୍କୁଲ ପିଲାଙ୍କ ଭଳି ଶିକ୍ଷା ଦିଆଯାଇ ପାରିବ ସେଥିନେଇ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି. ପ୍ରୟାସ ଆରମ୍ଭ କରିଛନ୍ତି। ଅଙ୍ଗନୱାଡି କେନ୍ଦ୍ରର ଉନ୍ନତୀକରଣ କରି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ କରାଯାଇଛି। ଯେଉଁଠି ଗ୍ରାମାଞ୍ଚଳର ଶିଶୁମାନେ ପ୍ଲେ ସ୍କୁଲ ଭଳି ସମସ୍ତ ସୁବିଧା ପାଇପାରିବେ। ସେମାନେ ସହରର ପିଲାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଆଦର୍ଶ ଅଙ୍ଗନୱାଡି ହେବା ପରେ ପୂର୍ବରୁ ଅଙ୍ଗନୱାଡିରୁ ମୁହଁ ଫେରାଉଥିବା ଅଭିଭାବକ ଏବେ ଏଥିପ୍ରତି ଆକୃଷ୍ଟ ହେଲେଣି। ଫୁଲବାଣୀ ବ୍ଲକ କାଣିବାଲିରେ ଜିଲାର ପ୍ରଥମ ରୋଲ ମଡେଲ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏବେ ଏହି ଢାଞ୍ଚାରେ ପ୍ରଥମ ପର୍ଯ୍ୟାୟରେ ଜିଲାର ୧୨ ବ୍ଲକରେ ୫୦ଟି ଲେଖାଏ ଏପରି ମୋଟ ୬୦୦ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏପରିକି ଫୁଲବାଣୀରେ ୮, ରାଇକିଆରେ ୧୦, ଫିରିଙ୍ଗିଆରେ ୬, ତୁମୁଡିବନ୍ଧରେ ୨ କେନ୍ଦ୍ରରେ ନୂଆ ଢାଞ୍ଚାରେ ପଢ଼ା ଆରମ୍ଭ ହେଲାଣି। ଅଙ୍ଗନୱାଡିରେ ଥିବା ପାଠ୍ୟ ପୁସ୍ତିକା ଅନୁସାରେ କାନ୍ଥ, ଚଟାଣ, ଛାତରେ ଚିତ୍ର ଅଙ୍କନ କରାଯାଇ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ନାଚଗୀତ ମଧ୍ୟ ଶିଖାଯାଉଛି। ଖେଳିବା ପାଇଁ ଉପକରଣ ରଖାଯାଇଛି। ଏସବୁ ପ୍ରତି ଆକୃଷ୍ଟ ହୋଇ ପିଲାମାନେ କେନ୍ଦ୍ରକୁ ଆସୁଛନ୍ତି। ଅନ୍ୟପକ୍ଷରେ ପିଲାମାନଙ୍କୁ ପ୍ରତିଯୋଗୀଭାବ ସମ୍ପନ୍ନ କରିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ଅଙ୍ଗନୱାଡି କର୍ମୀ ଅଲାଦିନ କହଁର ପ୍ରକାଶ କରିଛନ୍ତି। ସେହିପରି ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା କହିଛନ୍ତି, ପୂର୍ବରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଢ଼ା ପ୍ରତି ସେଭଳି ଗୁରୁତ୍ୱ ଦିଆଯାଉ ନ ଥିଲା। ଶିଶୁମାନଙ୍କୁ ଖାଇବାକୁ ଦିଆଯାଇ ସେମାନଙ୍କ ମା’ ମାନଙ୍କୁ ସରକାରଙ୍କ ପକ୍ଷରୁ ଯାହା ମିଳିବା କଥା ଯୋଗାଇ ଦିଆଯାଉଥିଲା। ଏବେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରରେ ପରିବର୍ତ୍ତନ ଅଣାଯାଇଛି। ପ୍ଲେ ସ୍କୁଲ ଭଳି ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ହୋଇଛି। ସେଠାରେ ପିଲାମାନଙ୍କ ଶାରୀରିକ, ମାନସିକ ପ୍ରଗତି ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅରୁଣିମା ପୁସ୍ତିକାରେ ଯାହା ପାଠ୍ୟକ୍ରମ ରହିଛି, ସେଥିରୁ କିଛି ପ୍ରସଙ୍ଗ କେନ୍ଦ୍ରର ଚଟାଣ, ଛାତ, କାନ୍ଥରେ ଚିତ୍ର ଆକାରରେ ଅଙ୍କାଯାଇଛି। ପିଲାଙ୍କ ଶାରୀରିକ ବିକାଶ ପାଇଁ ବିଭିନ୍ନ ଖେଳ ଉପକରଣ ଦିଆଯାଇଛି। ବସିବା ଲାଗି ଚେୟାର ଟେବୁଲ ବ୍ୟବସ୍ଥା ହୋଇଛି। ପିଲାଙ୍କୁ ଶିଖାଯାଉଥିବା ନାଚଗୀତର ଶୁଟିଂ କରାଯାଇ କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଟିଭିରେ ତାହା ସେମାନଙ୍କୁ ଦେଖାଯାଉଛି। ଏହାଦ୍ୱାରା ପିଲାମାନେ ଆହୁରି ଭଲ କରିବେ ବୋଲି ବିଡିଓ ଜେନା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.