Home ଓଡ଼ିଶା କନିଷ୍ଠ ଶିକ୍ଷକଙ୍କ ନିୟମିତ ପ୍ରକ୍ରିୟାରେ ଅହେତୁକ ବିଳମ୍ବ

କନିଷ୍ଠ ଶିକ୍ଷକଙ୍କ ନିୟମିତ ପ୍ରକ୍ରିୟାରେ ଅହେତୁକ ବିଳମ୍ବ

36

ଭୁବନେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ) : ଓଡ଼ିଶା ସରକାରଙ୍କ ଅଧିନରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା କନିଷ୍ଠ ଶିକ୍ଷକମାନଙ୍କର ସମସ୍ୟା ପ୍ରତି ଆଖି ବୁଜିଦେଇଛନ୍ତି ସରକାର। ଅନେକ ହାରି ଗୁହାରି ସତ୍ତ୍ୱେ ଏମାନଙ୍କ ସମସ୍ୟା ପ୍ରତି ଆଦୌ କର୍ଣ୍ଣପାତ କରୁନାହାଁନ୍ତି। ସେ ଦରମା ବୃଦ୍ଧି କଥା ହେଉ, କିମ୍ବା ଠିକ୍ ସମୟରେ ନିୟମିତ କରିବା କଥା ହେଉ, ବାରମ୍ବାର ସରକାର ଟାଳଟୁଳ ନୀତି ଅବଲମ୍ବନ କରିଚାଲିଛନ୍ତି। ୨୦୧୫ ମସିହାରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନେ ସେମାନଙ୍କର ଚୁକ୍ତି ସମୟ ୬ ବର୍ଷ ପୂରଣ କରିବାର ୧୧ ମାସରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ନିୟମିତ କରିବା ପ୍ର୍ରକ୍ରିୟାକୁ ଅହେତୁକ ବିଳମ୍ବ କରିଚାଲିଛନ୍ତି। ରାଜ୍ୟ ସରକାରଙ୍କୁ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତରଫରୁ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଦେଇ ତାଗିଦ୍ କରୁଥିଲେ ମଧ୍ୟ ସରକାର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ମଧ୍ୟ ବେଖାତିର କରିଚାଲିଛନ୍ତି। କାରଣ ଚୁକ୍ତିଭିତ୍ତିକ କର୍ମଚାରୀମାନେ ୬ ବର୍ଷ ପୂରଣ କରିବା ମାତ୍ରେ ସେମାନଙ୍କୁ ତୁରନ୍ତ ନିୟମିତ କରିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉନାହିଁ। ରାଜ୍ୟରେ ୨୦୧୫ ମସିହାରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ନିୟମିତ ପ୍ରକ୍ରିୟା ଆଜିକାଲି ହୋଇ ପଦ୍ମ ଘୁଞ୍ଚିଘୁଞ୍ଚି ଗଲାଭଳି ଆଜି ଗଣଶିକ୍ଷା ବିଭାଗରେ ତ କାଲି ଅର୍ଥ ବିଭାଗରେ ଫାଇଲ୍ ଅନୁମୋଦନ ପାଇଁ ପଡ଼ିରହୁଛି। କେତେବେଳେ ଅର୍ଥ ବିଭାଗ ଫାଇଲ୍‌କୁ ଫେରାଇ ଦେଉଛି ତ କେତେବେଳେ ଗଣଶିକ୍ଷା ବିଭାଗ ତାକୁ ଠିକ୍ ସମୟରେ ଉପସ୍ଥାପନ କରିପାରୁନାହିଁ। ଯାହାକୁ ନେଇ ହଜାର ହଜାର କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ହତାଶଭାବ ସୃଷ୍ଟି ହୋଇଛି। ଆଜିର ମହଙ୍ଗା ଯୁଗରେ ଅତି ସ୍ୱଳ୍ପ ଦରମାରେ କାମ କରୁଥିବା ୮୧୦୨ଜଣ ଶିକ୍ଷକ ନିୟମିତ ହେବାପାଇଁ ଦିନ ଗଣୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ନିୟମିତ ପ୍ରକ୍ରିୟାକୁ ଅପେକ୍ଷା କରିକରି ଅକାଳରେ ମୃତ୍ୟୁବରଣ କଲେଣି। ସରକାର ସମସ୍ତ ବର୍ଗର କର୍ମଚାରୀଙ୍କ ସମସ୍ୟା ଶୁଣୁଥିବା ବେଳେ କନିଷ୍ଠ ଶିକ୍ଷକମାନଙ୍କୁ ତୀବ୍ର ଅବହେଳା କରାଯାଉଥିବା ରାଜ୍ୟ ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘ ଅଭିଯୋଗ କରିଛି। ଏକ ପ୍ରେସ୍ ବିବୃତ୍ତିରେ ରାଜ୍ୟ ସଂଘର ସଭାପତି ସରୋଜ କୁମାର ପଣ୍ଡା କହିଛନ୍ତି ଯେ, ରାଜ୍ୟ ସରକାର ୫-ଟି’ରେ ଚାଲୁଥିବା ବେଳେ ନିୟମିତ ପ୍ରକ୍ରିୟା କ’ଣ ୫-ଟି’ ଆସୁନି ବୋଲି ପ୍ରଶ୍ନ କରିଛନ୍ତି। ଯଦି ସବୁକିଛି ଠିକ୍‌ରେ ଚାଲୁଥାଏ, ତେବେ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ କରିବାର କାରଣ ବୁଝାବଡ଼ୁନାହିଁ। ଆଗକୁ ପଞ୍ଚାୟତ ନିର୍ବାଚନ ଅଛି। ଯଦି ସରକାର ତୁରନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ନ କରନ୍ତି, ତେବେ, ଆନ୍ଦୋଳନକୁ ଓହ୍ଲାଇବା ସହ କନିଷ୍ଠ ଶିକ୍ଷକମାନେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ସଂଘର ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.