Home ଓଡ଼ିଶା ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କିତ ଜନଶୁଣାଣି ଅନୁଷ୍ଠିତ

ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କିତ ଜନଶୁଣାଣି ଅନୁଷ୍ଠିତ

33

ପୁରୀ- ୧୬.୧୧ (ଓଡ଼ିଆ ପୁଅ)- ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କରେ ବଳଗଣ୍ତି ଓ କୁମ୍ଭାରପଡା ନିମନ୍ତେ ପୂର୍ବାହ୍ନ ସମୟରେ କୁମ୍ଭାରପଡା ପୁରୁଣା ଜେଲ ରୋଡସ୍ଥିତ ଜାଇଗଡ କ୍ଲବ ଏବଂ ଅପରାହ୍ନରେ ଅଠରନଳା ଓ ଜିତକର ମୁଦୁଲି ପାଟଣା ଅଞ୍ଚଳ ନିମନ୍ତେ ଗୋପିନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଏହି ପ୍ରକଳ୍ପ ନିମନ୍ତେ ପୁରୀ ତହସିଲ ଅନ୍ତର୍ଗତ ତିନୋଟି ପଞ୍ଚାୟତର ୧୧ଟି ଗ୍ରାମରୁ ୬.୪୭୬୫ ଏକର ଜମି ଅଧିଗ୍ରହଣ କରାଯିବ। ସେଥିମଧ୍ୟରେ ୧.୧୦୯ ଏକର ସରକାରୀ ଜମି ଓ ୬୨୮ଟି ପରିବାରର ୫.୩୬୭୫ ଏକର ବ୍ୟକ୍ତିଗତ ଜମି ରହିଛି। ଏଥିମଧ୍ୟରୁ କୁମ୍ଭାରପଡା ଗ୍ରାମରୁ ସର୍ବାଧିକ ୦.୯୪୧୫ ଏକର ଥିବାବେଳେ ସିରେଇକଣାପାଟଣା ଗ୍ରାମର ସର୍ବନିମ୍ନ ୦.୩୧୮ ଏକର ଜମି ରହିଛି। ଏହି ପ୍ରକଳ୍ପଟି ଅବଢା ଯୋଜନାର ଅନ୍ତର୍ଭୁକ୍ତ ଓ ଉକ୍ତ ରାସ୍ତାଟି ରଥଯାତ୍ରା, ବଡଦନ ଛୁଟି, କାର୍ତ୍ତିକ ମାସ ଭଳି ପର୍ବପର୍ବାଣି ସମୟରେ ସର୍ବାଧିକ ବ୍ୟବହାର ହୋଇଥାଏ। ଯାନବାହାନର ଗହଳିକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାକୁ ୪ ଲେନ ବିଶିଷ୍ଟ କରିବାକୁ ୨୦୧୭-୧୮ ମସିହାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଜୟଦେବ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ଆଣ୍ତ ରିସର୍ଚ ପକ୍ଷରୁ ଉକ୍ତ ପ୍ରକଳ୍ପର ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ କରାଯାଇଥିଲା। ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ଏହି ଜନଶୁଣାଣି ଅବସରରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅର୍ଜନ ସ୍ବତନ୍ତ୍ର ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଉପ ପ୍ରଶାସକ ଶ୍ରୀ ସନ୍ତୋଷ ଷତପଥୀ, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ଭୂଅର୍ଜନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା, ଜାଇଗଡ ଯାଗା ସଭାପତି ଶ୍ରୀ ହରିହର ପାଢୀ, ଗୋପିନାଥପୁର ସରପଞ୍ଚ ଶ୍ରୀ ରାଜକିଶୋର ରାଉତ, କାଶିହରିପୁର ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ଭୋଇ, ଅଂଶିଦାର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.