Home ଓଡ଼ିଶା କଂଗ୍ରେସ ପକ୍ଷରୁ ଦିବଂଗତ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

କଂଗ୍ରେସ ପକ୍ଷରୁ ଦିବଂଗତ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

60

ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ଭୋଗରାଇ ବିଧାୟକ, ପୂର୍ବତନ ବାଲେଶ୍ୱର ସାଂସଦ, ବିଶିଷ୍ଟ କଂଗ୍ରେସ ନେତା ତଥା ସାରସ୍ୱତ ସାଧକ ଡକ୍ଟର କାର୍ତ୍ତିକେଶ୍ୱର ପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି, କଂଗ୍ରେସର ବାଲେଶ୍ୱର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ତଥା ପିସିସି ମୁଖପାତ୍ର ସୁଦର୍ଶନ ଦାସଙ୍କ ସମେତ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ପିସିସି ପୂର୍ବତନ ସାଧାରଣ ସମ୍ପାଦକ ସଂଜୀବ ଗିରି, ପଦ୍ମଲୋଚନ ଲେଙ୍କା, ଅର୍ଚ୍ଚନା ନନ୍ଦୀ, ପ୍ରଜ୍ଞାପାରମିତା ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କର ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସାମଜସେବା ପ୍ରତି ଆଜୀବନ ଅନୁରିକ୍ତ ଥିବା ସ୍ୱର୍ଗତ ପାତ୍ର ରାଜନୀତିରେ ପାଦଥୋଇ ମାତ୍ର ୩୦ ବର୍ଷ ବୟସରେ କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେତେବେଳେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିଲେ। ବିଧାୟକ ଓ ସାଂସଦ ଥିବାବେଳେ ଭୋଗରାଇ ସମେତ ବାଲେଶ୍ୱର ବିକାଶରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କଂଗ୍ରେସ ନେତାମାନେ ମତ ପ୍ରକାଶ କରିଥିଲେ। କେବଳ ରାଜନୀତି ବା ସମାଜସେବା ନୁହେଁ ବରଂ ସାରସ୍ୱତ କ୍ଷେତ୍ରରେ ତାଙ୍କର ପ୍ରତିଭା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ସେମାନେ କହିଥିଲେ। ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଦୁଇମିନଟ ନିରବ ପ୍ରାର୍ଥନା ଦ୍ୱାର ଦିବଂଗତ ଆତ୍ମାପ୍ରତି ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.