Home ଜିଲ୍ଲା ପରିକ୍ରମା ‘ଓୟୁଜେ’ପକ୍ଷରୁ ସାମ୍ବାଦିକଙ୍କୁ କୋଭିଡ ଟିକା ଦାବି

‘ଓୟୁଜେ’ପକ୍ଷରୁ ସାମ୍ବାଦିକଙ୍କୁ କୋଭିଡ ଟିକା ଦାବି

42

ବାଲେଶ୍ୱର, ୧୧ା୨(ଓଡ଼ିଆ ପୁଅ/ଅଭୟ ଦାସ): କାର୍ଯ୍ୟରତ ସାମ୍ବାଦିକ ଓ ମିଡିଆ ହାଉସ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଗ୍ରହଣ ସହ ଭେକ୍ସିନ ପ୍ରଦାନ ପାଇଁ ଦାବି ଉଠାଇଛି ସାମ୍ବାଦିକ ସଂଗଠନ ‘ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ’(ଓୟୁଜେ)। ଏନେଇ ଓୟୁଜେ, ବାଲେଶ୍ୱର ଜିଲା ସଭାପତି ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୁରୁବାର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ ସହ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ କୋଭିଡ ଟିକା ପ୍ରଦାନ ସମ୍ପର୍କରେ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟକର୍ମୀ, ପୁଲିସ ଓ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଭଳି ସାମ୍ବାଦିକମାନେ ମଧ୍ୟ ଜୀବନ ପ୍ରତି ପାଣିଛଡ଼େଇ କରୋନା କାଳରେ ଖବର ସଂଗ୍ରହ କରୁଥିଲେ। ଖାସ ସେଇଥି ପାଇଁ କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ବୀମା ଅର୍ଥ ଭାବେ ୧୫ ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତଦନୁଯାୟୀ ଓଡ଼ିଶାରେ କରୋନା ଆକ୍ରାନ୍ତରରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ବୀମାରାଶି ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ଅର୍ଥର ପରିମାଣ କମ ହେଲେ ସୁଦ୍ଧା କୋଭିଡ ଯୁଦ୍ଧା ଭାବେ ସାମ୍ବାଦିକ ପରିବାରଙ୍କୁ ସରକାର ଏହି ଅର୍ଥ ଦେଇଥିବା ବେଳେ ଏବେ କୋଭିଡ ଟିକା ପ୍ରଦାନରେ ସମାସ୍ୟା କେଉଁଠି ରହିଲା ବୋଲି ଓୟୁଜେର କର୍ମକର୍ତ୍ତାମାନେ ପ୍ରଶ୍ନ କରିଥିଲେ। ସ୍ୱାସ୍ଥ୍ୟକର୍ମୀ ଓ ପୁଲିସଙ୍କ ଭଳି ଟିକାକରଣରେ ସାମ୍ବାଦିକ, ଫଟୋ ଓ ଭିଡିଓଗ୍ରାଫର ଏବଂ ମିଡିଆ ହାଉସ କର୍ମଚାରୀଙ୍କୁ ବି କୋଭିଡ ଟିକାକରଣରେ ସାମିଲ ପାଇଁ ସେମାନେ ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଏ ବାବଦରେ ସରକାରଙ୍କ ସହ ଆଲୋକଚନା କରିବେ ବୋଲି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପ୍ରତିଶ୍ରୁତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସଭାପତି ଶ୍ରୀ ରାଉତଙ୍କ ସମେତ ଅଜିତ କୁମାର ମହାନ୍ତି, ସୁରେଶ ଦାସ, ପ୍ରତ୍ୟାସା ପ୍ରିୟମ୍ବଦା ମହାନ୍ତି, ଆଲୋକ ବାରିକ, କୈଳାସ ଚନ୍ଦ୍ର ବେହେରା, ସତ୍ୟବ୍ରତ ପ୍ରଧାନ, ଅର୍ଦ୍ଧେନ୍ଦୁ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.