Home ଜିଲ୍ଲା ପରିକ୍ରମା ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଦାବୀ ପୂରଣ ନହେଲେ...

ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚେତାବନୀ

20

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରର ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ସଭାପତି ଦିଲ୍ଲୀପ ସାହୁ ସଭାପତିତ୍ୱ କରିଥିବାବେଳେ ୧୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଗଣମାଧ୍ୟମ ଜରିଆରେ ସରକାରଙ୍କ ଠାରେ ଉପସ୍ଥାପନ କରିଥିଲେ । ଏହି ଦାବିଗୁଡିକ ମଧ୍ୟରେ ସମସ୍ତ ଗାଡିଚାଳକଙ୍କୁ ଅଫଲାଇନ୍‌ରେ ଟୀକା ପ୍ରଦାନ ସହ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ, ମହାମାରୀ କରୋନାରେ ଜୀବିକା ହରାଇଥିବା ଗାଡି ଚାଳକମାନଙ୍କୁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ପ୍ରଦାନ, ଜନସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହେଉଥିବା ଗାଡି ଚାଳକଙ୍କ ସାମାଜିକ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ, ଗାଡିଗୁଡିକୁ ପାର୍କିଂ ଓ ଚାଳକଙ୍କ ବିଶ୍ରାମ ନେବାପାଇଁ ପାର୍କିଂ ସହିତ ବିଶ୍ରାମଗାର ଓ ଶୌଚାଳୟର ବ୍ୟବସ୍ଥା, ବ୍ଳକ୍ ଓ ସହରରେ ଥିବା ସମସ୍ତ ଅଟୋ, ଟ୍ୟାକ୍ସି, ଟ୍ରକ୍ ଷ୍ଟାଣ୍ଡମାନଙ୍କରେ ବିଶ୍ରାମଗାର ସହ ପାନୀୟଜଳ ଓ ଶୌଚାଳୟର ସୁବ୍ୟବସ୍ଥା, ୫୫ ବର୍ଷରେ ପେନସନ ପ୍ରଦାନ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଗାଡି ଚାଳକଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବୀମାରାଶି ଓ ଦୁର୍ଘଟଣାରେ ଅକର୍ମଣ୍ୟ ଡ୍ରାଇଭରମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ବୀମାରାଶି ସହିତ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇଦେବା, ଗାଡି ଚାଳକଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ସମୟସୀମା ଧାର୍ଯ୍ୟ କରାଯିବା, ସେମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ପ୍ରଦାନ ଓ ଡ୍ରାଇଭରମାନଙ୍କୁ ବର୍ଦ୍ଦି (ଡ୍ରେସ୍‌କୋର୍ଡ) ର ପ୍ରଦାନ, ଏବଂ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ସେମାନଙ୍କ ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷାର ବ୍ୟବସ୍ଥା, ରାଜରାସ୍ତରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ହଇରାଣ କରାନଯିବା ଏବଂ ସର୍ବୋପରି ସମୟ ଅସମୟରେ ହଠାତ୍ ରାସ୍ତାରୋକ ହେବା ଜନିତ ଅସୁବିଧା ପ୍ରତି ସରକାରଙ୍କ ସୁଦୃଷ୍ଟି ପ୍ରଦାନ ଭଳି ଦାବି ରହିଛି ।

ଏଠାରେ ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧ ତାରିଖରେ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଉପରୋକ୍ତ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ ବୋଲି ଜିଲା ସଭାପତି ଶ୍ରୀ ସାହୁ କ୍ଷୋଭର ସହ କହିଥିଲେ । ଏବଂ ଆଗାମୀ ଦିନରେ ରାଜ୍ୟ ସରକାର ଏହି ଦାବିଗୁଡିକୁ ପୂରଣ ନକଲେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଭଳି ଚରମ ପନ୍ଥା ଆପଣାଯିବ ବୋଲି ଚେତାବନୀ ଦିଆଯାଇଛି । ଗତ ୨୧ ତାରିଖରୁ ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟମାନେ ସମ୍ବଲପୁର ଜିଲାରୁ ମା’ ସମଲେଶ୍ୱରୀଙ୍କ ଠାରୁ ନବୀନ ନିବାସ ପଦଯାତ୍ରାରେ ବାହାରିଥିବାବେଳେ ଆଜି ରାତିରେ ମଧ୍ୟ ବାଲେଶ୍ୱର, ଭଦ୍ରକ ଜିଲାରୁ ଡ୍ରାଇଭରମାନେ ପଦଯାତ୍ରାରେ ବାହାରି ଆସନ୍ତାକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପରୋକ୍ତ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘ ବାଲେଶ୍ୱର ଜିଲା ସଭାପତି ରାମକୃଷ୍ଣ ଦାସ, ଭଦ୍ରକ ଜିଲା ସଂପାଦକ ପ୍ରଭାସ ଦାସ, ରଂଜନ ନାୟକ, ସୁଶାନ୍ତ ଜେନା, ମନୋଜ ସାହୁଙ୍କ ସମେତ ଅନ୍ୟ ଡ୍ରାଇଭର ଭାଇମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.