Home ଓଡ଼ିଶା ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନର ଗଣଧାରଣା : ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବର୍ଦ୍ଧିତ ରାଶି ପ୍ରଦାନ...

ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନର ଗଣଧାରଣା : ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବର୍ଦ୍ଧିତ ରାଶି ପ୍ରଦାନ ଦାବି

44

ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ବିଭିନ୍ନ ଦାବି ନେଇ ଅଲ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ଧାରଣା ଓ ବିକ୍ଷୋଭ ଆୟୋଜିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି। ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ, ବାଲେଶ୍ୱର ଶାଖାର କର୍ମକର୍ତ୍ତା ଓ ସଦସ୍ୟମାନେ ଆଜି ଜିଲ୍ଲା ମୁଖ୍ୟ ଡାକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ। ଏଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଇଂଜିନିୟର ଅନାଦୀ ଚରଣ ବେହେରା, ସମ୍ପାଦକ ବିଷ୍ଣୁ ଚରଣ ମହାନ୍ତି, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଶ୍ରମିକ ସଂଗଠନ ଏଆଇଟିୟୁସି ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ପ୍ରମୁଖ ଏଥିରେ ଯୋଗଦେଇ ଇପିଏଫ ପେନସନଭୋଗୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ତୀବ୍ର ସମାଲୋଚନା କରିଥିଲେ। ସରକାରୀ କର୍ମଚାରୀଙ୍କ ଭଳି ଇପିଏଫଭୁକ୍ତ କର୍ମଚାରୀମାନେ ମଧ୍ୟ ଦେଶ ଗଠନରେ ସହାୟକ ହୋଇଥିଲେ ବି ବେସରକାରୀ ସଂସ୍ଥାରୁ ଅବସର ନେଇଥିବା କର୍ମଚାରୀଙ୍କ ପ୍ରତି ସରକାର ସର୍ବଦା ଉଦାସୀନତା ପ୍ରଦର୍ଶନ କରି ଆସିଛନ୍ତି ବୋଲି ସେମାନେ ଆରୋପ ଉଠାଇଥିଲେ। ଇପିଏଫ ପେନସନଭୋଗୀଙ୍କୁ ଅବସର ସମୟର ଦରମା ଭିତ୍ତିରେ ପେନସନ ଦେବା ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ କେରଳ ତଥା ଅନ୍ୟାନ୍ୟ ରାଜ୍ୟର ସରକାର କାର୍ଯ୍ୟକାରୀ କରିଥିଲେ ବି ଓଡ଼ିଶାରେ ଏହାର ବ୍ୟତିକ୍ରମ ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ ସହିତ ପ୍ରତିବର୍ଷ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଇପିଏଫ ପେନସନ ଭୋଗୀ ଏଥିରୁ ବଞ୍ଚିତ ହେଉଛନ୍ତି। ଇପିଏଫ ପେନସନଭୋଗୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ପୂର୍ବକ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବର୍ଦ୍ଧିତ ରାଶି ପ୍ରଦାନ କରିବା, ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା, ସମସ୍ତଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ ଆଦି ପାଇଁ ବକ୍ତାମାନେ ଦାବି କରିଥିଲେ। ନତୁବା ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ନିତ୍ୟାନନ୍ଦ ନାଥ, ସନ୍ୟାସୀ ବେହେରା, ସାବିତ୍ରୀ ବିଶ୍ୱାଳ, ଦୟାନିଧି ମହଲ, ରତ୍ନାକର ପଣ୍ଡା, ନଟବର ଦେ, ଡମ୍ବରୁଧର ମଲ୍ଲିକ, ଦୁର୍ଯ୍ୟୋଧନ ରଣା, ଅତୁଲ କୁମାର ପରିଡ଼ା, ରଜତ କୁମାର କର, ବୀରେନ୍ଦ୍ର ଘଡ଼ାଇ, ପ୍ରତିମା ବେହେରା, ପାର୍ବତୀ ସ’, ଭାଗୀରଥି ସାମଲ, ଶରତ ଚନ୍ଦ୍ର ଦଳାଇ, ମହେଶ୍ୱର ରାଉତ, ମନୱର ଅଲ୍ଲୀ ଖାଁ, କରୁଣାକର ବେହେରା, ବିଶ୍ୱଜିତ୍ ତାଲ୍‌ଦି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.