Home ଓଡ଼ିଶା ଓଡିଶା କଳା ଓ ସଂସ୍କୃତି ବ୍ରାଣ୍ଡିଂ ରାଜଧାନୀ ଏକ୍ସପ୍ରେସ୍ ଏବଂ ଓଡିଆ ଭାଷାରେ ଅସଂରକ୍ଷିତ ଟ୍ରେନ୍...

ଓଡିଶା କଳା ଓ ସଂସ୍କୃତି ବ୍ରାଣ୍ଡିଂ ରାଜଧାନୀ ଏକ୍ସପ୍ରେସ୍ ଏବଂ ଓଡିଆ ଭାଷାରେ ଅସଂରକ୍ଷିତ ଟ୍ରେନ୍ ଟିକେଟ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

363

ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଡିସେମ୍ବର ୨୬ (ଓଡ଼ିଆ ପୁଅ) – ରେଳ ବିଭାଗ ପକ୍ଷରୁ ନାଲକୋ ସହଯୋଗରେ ଓଡିଶାର କଳା ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ ଆଜି ଯେଉଁ ପଦକ୍ଷେପ ନିଆଯାଇଛି ତଦ୍ୱାରା ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ ବୋଲି ଗୁରୁବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଓଡିଶା ସଂସ୍କୃତି ଓ କଳାରେ ବ୍ରାଣ୍ଡିଂ ହୋଇଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଏବଂ ଓଡିଆ ଭାଷାରେ ଅସଂରକ୍ଷିତ ଟ୍ରେନ୍ ଟିକେଟ୍ ପ୍ରଚଳନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜଧାନୀ ଏକ୍ସେପ୍ରେସର ୩ ଯୋଡା ଟ୍ରେନରେ ଓଡିଆ ସଂସ୍କୃତିକୁ ପ୍ରତିଫଳିତ କରିବାର ପଦକ୍ଷେପ ସ୍ୱାଗତଯୋଗ୍ୟ। ବିଭିନ୍ନ ରାଜ୍ୟ ଦେଇ ଦିଲ୍ଲୀ ଯିବାବେଳେ ଟ୍ରେନର ଓଡିଶାର କଳା ସଂସ୍କୃତିର ଫଟୋଚିତ୍ରକୁ ଲୋକମାନେ ଦେଖିପାରିବେ। ନିକଟରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ବେଳାଭୂମିରେ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି। ଏହା ମଧ୍ୟ ଏକ ପଦକ୍ଷେପ। ଆଗାମୀ ଦିନରେ ରେଳ ବିଭାଗ ବା ଅନ୍ୟାନ୍ୟ ରାଷ୍ଟ୍ରାୟତ ସଂସ୍ଥା ଆହୁରି ଭଲ ଭାବେ ଓଡିଶାକୁ ସମ୍ମାନ କରନ୍ତୁ, ଏହା ଆମର ଅପେକ୍ଷା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶାର ୩୧୭ଟି ରେଳ ଷ୍ଟେସନ ଅଛି। ପୂର୍ବରୁ ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ଅସଂରକ୍ଷିତ ବଗି ପାଇଁ କେବଳ ଇଂରାଜୀ ଓ ହିନ୍ଦି ଭାଷା ଟିକେଟ୍ ପ୍ରଚଳନ ଥିଲା। ମାତ୍ର ଏବେ ରେଳ ବିଭାଗ ପକ୍ଷରୁ ଓଡିଆ ଭାଷାରେ ଏହି ବଗି ପାଇଁ ଟିକେଟ୍ ପ୍ରଚଳନ ହେବା ଆନନ୍ଦର ବିଷୟ। ଏଣିକି ରାଜ୍ୟ ଭିତରେ ଯେ କୌଣସି ସ୍ଥାନକୁ ଟ୍ରେନରେ ଯାତ୍ରା କଲେ ଉକ୍ତ ଟିକେଟରେ ଇଂରାଜୀ, ହିନ୍ଦି ଭାଷା ସମେତ ଓଡିଆ ଭାଷାରେ ରହିବ। ଓଡିଶା ରାଜ୍ୟରେ ଆଂଚଳିକ ଭାଷାରେ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.