Home ଜିଲ୍ଲା ପରିକ୍ରମା ଏସ୍‌ଏସ୍‌ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ

ଏସ୍‌ଏସ୍‌ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ

12

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ୨୦୧୬ , ୨୦୧୯ ଓ ୨୦୨୨ ମସିହାରେ ତ୍ରି ସ୍ତରୀୟ ମନୋନୟନ ପ୍ରକ୍ରିୟାରେ ସଫଳ ହୋଇ ରାଜ୍ୟର ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ନିଯୁକ୍ତ ଅଧ୍ୟାପକମାନେ ଦୀର୍ଘ ଦିନ ଧରି ୪୬୦୦ ରୁ ୫୪୦୦ କୁ ଗ୍ରେଡ଼ ପେ ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ଯେଉଁ ସ୍କେଲରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ପ୍ରଭୃତି ଅନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ପେ ସ୍କେଲ ଠାରୁ ଊଣା । ଏସ୍‌ଏସ୍‌ବି ଅଧ୍ୟାପକମାନେ ଡିଗ୍ରୀ ଶ୍ରେଣୀରେ ଶିକ୍ଷା ଦାନ କରୁଥିବା ବେଳେ, ସରକାରୀ ଉଦାସୀନତା ଓ ବୈମାତୃକ ମନୋଭାବ ଯୋଗୁଁ ଅଧ୍ୟାପକମାନଙ୍କୁ ପ୍ରକୃତ ଯୋଗ୍ୟତା ଓ କାର୍ଯ୍ୟ ଦକ୍ଷତା ଭିତ୍ତିରେ ଦରମା ପ୍ରଦାନ କରାଯାଉନଥିବା ଏକ ପରିତାପର ବିଷୟ । ମାନ୍ୟବର ମୁଖ୍ୟମନ୍ତ୍ରୀ, ‘୫ଟି’ ସଚିବ ଓ ଉଚ୍ଚ ଶିକ୍ଷା ସଚିବଙ୍କୁ ଦାବୀ ଜଣାଇବା ପରେ କୌଣସି ସୁଫଳ ନ ମିଳିବାରୁ ରାଜ୍ୟ ସିଲେକ୍ସନ୍ ବୋର୍ଡ ଅଧ୍ୟାପକ ସଂଘର ସଭାପତି ସରୋଜ କାନ୍ତ ନାୟକଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଏସ୍‌ଏସ୍‌ବି ଅଧ୍ୟାପକମାନେ ଆଜି ପବିତ୍ର ଗୁରୁ ଦିବସ ଠାରୁ କଳାବ୍ୟାଜ ପରିଧାନ ପୂର୍ବକ ସରକାରୀ ଉଦାସୀନତାକୁ ପ୍ରତିବାଦ କରିବାର ନିଷ୍ପତ୍ତି ନେଇଛନ୍ତି । ଉତ୍ତର ଓଡ଼ିଶା ଏସ୍‌ଏସ୍‌ବି ଜୋନର ସଦସ୍ୟ ସୁଧାଂଶୁ ଶେଖର ପଣ୍ଡା, ଭଦ୍ରକ ଜିଲ୍ଲା ସଂଘର ସଭାପତି ପ୍ରବୀର କୁମାର ମହାପାତ୍ର, ସମ୍ପାଦକ ଡଃ ଅଭୟ କୁମାର ଦାସ, କୋଷାଧ୍ୟକ୍ଷ ଲକ୍ଷ୍ମୀଧର ଦାସ, କଲେଜ ସଂଯୋଜକ ଭାବରେ ଭଦ୍ରକ ମହିଳା ମହାବିଦ୍ୟାଳୟର ଡଃ ମନୋଜ କୁମାର ସାହୁ, ଚାନ୍ଦବାଲି ମହାବିଦ୍ୟାଳୟର ଶାନ୍ତନୁ କୁମାର ନାୟକ, ଧାମନଗର କଲେଜର ଆଶୀର୍ବାଦ ମହାନ୍ତି, ବନ୍ତ କଲେଜର ଆଦିତ୍ୟ ନାରାୟଣ ବାରିକ, ନାଆମୀ କଲେଜର ରାମଚନ୍ଦ୍ର ମହାନ୍ତି, ବିଏନ୍‌ଏମ୍‌ଏ କଲେଜର ଡଃ ମନୋଜ କୁମାର ମହାନ୍ତି, ଅଟଳ ବିହାରୀ କଲେଜର ଗିରିଧାରୀ ପ୍ରସାଦ ଦାସ, ଚରମ୍ପା ମହାବିଦ୍ୟାଳୟ ସିଦ୍ଧାନ୍ତ ଲାଲ ପ୍ରମୁଖଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ସମସ୍ତ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଏସ୍‌ଏସ୍‌ବି ଅଧ୍ୟାପକମାନେ କଳାବ୍ୟାଜ ପରିଧାନ କରି ସରକାରଙ୍କ ନିରବତା ଅବଲମ୍ବନ ନୀତିକୁ ପ୍ରତିବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.