Home କେନ୍ଦୁଝର ଏବେବି ପାଣିଘେରରେ ୨ଟି ଗାଁ, ଚୁଡା ମୁଠେ ଖାଇ ରାତି ବିତାଇଲେ ଲୋକେ

ଏବେବି ପାଣିଘେରରେ ୨ଟି ଗାଁ, ଚୁଡା ମୁଠେ ଖାଇ ରାତି ବିତାଇଲେ ଲୋକେ

88

ହାଟଡିହି- ୨୮ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବୈତରଣୀ ନଦୀରେ ଗତକାଲି ଆସିଥିବା ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ହାଟଡିହି ବ୍ଲକର ଦୁଇଟି ଗ୍ରାମ ଆଜିପର୍ଯ୍ୟନ୍ତ ପାଣିଘେରରେ ରହିଛି । ଆଇତିପୁର-ରାଘବପୁର ରାସ୍ତାରେ ୨ଫୁଟ ଉଚ୍ଚର ପାଣି ଚାଲିଛି । ରାଘବପୁର ସ୍କୁଲ ଚାରିପଟେ ୩ରୁ ୪ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି । ବୈତରଣୀ ନଦୀର ନଦୀବନ୍ଧ ଏହି ଗାଁ ନିକଟରେ ଅସମ୍ପୁର୍ଣ୍ଣ ହୋଇ ପଡିଥିବାରୁ ସେହି ବାଟେ ଗାଁ ଭିତରକୁ ପାଣି ପଳାଇଆସି ଗାଁକୁ ରାସ୍ତା ଉପରେ ପାଣି ଚାଲିବାରୁ ଗାଁଟି ଜଳଘେର ମଧ୍ୟରେ ରଖିଛି । ଗତକାଲି ଅପରାହ୍ନ ୪ଟା ଠାରୁ ଗାଁ ସହିତ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି । ସେହିପରି ନୁଆଗାଁ ଗ୍ରାମ ରାସ୍ତାଟି ପାଣିରେ ବୁଡି ରହିଥିବାରୁ ଗାଁ ଭିତରକୁ ଯିବା ଆସିବା କରିବା ସମ୍ଭବ ହୋଇନି । ଗତକାଲି ରାଘବପୁର ଗ୍ରାମର ୪୦୦ରୁ ଉର୍ଦ୍ଧ ଲୋକ ପାଣିଘେରରେ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କାହାରିକୁ ସ୍ଥାନାନ୍ତର କରାଯାଇନି କି ସେମାନଙ୍କୁ କୌଣସି ଚୁଡା, ଗୁଡ କି ବିସ୍କୁଟ ଟିଏ ମଧ୍ୟ ଦିଆଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଶେଷକରି ନଦୀ ମୁହାଣରେ ବାଲିଚର ହୋଇଯାଇଥିବାରୁ ବନ୍ୟାପାଣି ନିସ୍କାସନ ହୋଇ ପାରୁନଥିବା ୱାର୍ଡସଭ୍ୟ କଳାକର ଜେନା, ବିଦ୍ୟାଧର ଧଳ, ସନ୍ତୋଷ କୁମାର ରାଉତ, ରତ୍ନାକର ଜେନା, ଚୈତନ ଜେନା, ଗୋପୀନାଥ ବାରିକ ପ୍ରମୁଖ ଗ୍ରାମବାସୀମାନେ କହିଛନ୍ତି । ଗ୍ରାମରେ ପନିପରିବା ଚାଷ ସମ୍ପୁର୍ଣ୍ଣ ଉଜୁଡି ଯାଇଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ସେହିପରି ହାବଳେଶ୍ୱର ପଞ୍ଚାୟତର ବାଲିପଦା ଗାଁରେ ୮ଟି ପରିବାରର ୨୦ରୁ ଉର୍ଦ୍ଧ ଲୋକ ରହୁଥିବାବେଳେ ପ୍ରଥମେ ବାତ୍ୟା ଓ ପରେ ପରେ ବନ୍ୟା ଯୋଗୁଁ ନାନା ଅସୁବିଧାରେ କାଳ କାଟୁଛନ୍ତି । ଗାଁଟି ନଦୀଭିତରେ ଥିବାରୁ ବନ୍ୟା ଜଳ ଗାଁ ଚାରିପଟକୁ ଘେରି ଯିବାରୁ ଲୋକମାନେ ବାହାରକୁ ବାହାରି ପାରିନଥିଲେ । ଗତକାଲି ଅପରାହ୍ନଠାରୁ ରାତି ୧୨ଟାଯାଏ ପାଣିଘେରରେ ଗାଁ ଲୋକ ରହିଥିବାବେଳେ ନଦୀ ଅଧିକ ବଢ଼ିବା ଆଶଙ୍କାରେ ଗାଁ ସାରା ଲୋକ ରାତି ଉଜାଗର ହୋଇ ବସିରହିଥିଲେ । କେବଳ ଚୁଡାମୁଠେ ଖାଇ ରାତି ବିତାଇଲେ ବୋଲି ଗାଁ ଲୋକେ କହିଛନ୍ତି । ବାତ୍ୟା ଯୋଗୁଁ ଗାଁର ଦୁଇଟି ଘର ସମ୍ପୁର୍ଣ୍ଣ ଭାଙ୍ଗିପଡିଥିବାବେଳେ ଲୋକମାନେ ନାନା ଅସୁବିଧାରେ ରହିଛନ୍ତି । ପୁର୍ବରୁ ଏହି ଗାଁରେ ୩୦ଘର ବସବାସ କରୁଥିବାବେଳେ ପ୍ରତିବର୍ଷ ବନ୍ୟା ଆସିବାରୁ ଲୋକମାନେ ନାନା ଅସୁବିଧା ଭୋଗ କରିବାରୁ ୨୦ରୁ ଉର୍ଦ୍ଧ ପରିବାର ଗାଁ ଛାଡି ନଦୀବନ୍ଧର ଅପରପାଶ୍ୱର୍କୁ ପଳାଇ ଆସିଛନ୍ତି । କିନ୍ତୁ ଆଉ ୮ଟି ପରିବାର ସେଠାରେ ରହଯାଇଛନ୍ତି । ସେମାନଙ୍କୁ ୨୫୦ଗ୍ରାମ ଲେଖାଏଁ ଚୁଡା ଓ ଗୋଟିଏ ବିସ୍କୁଟ ପକେଟ ରିଲିଫ ଆକାରରେ ଦିଆଯାଇଥିବାବେଳେ ତାହାକୁ ଖାଇ ରହିଥିଲେ । ଆଜି ବନ୍ୟାଜଳ କମିବାପରେ ରୋଷେଇକରି ଖିଆପିଆ କରିଛନ୍ତି ବୋଲି ଜଳଧର ତରେଇ, ପ୍ରଶାନ୍ତ ତରେଇ, ବଳରାମ ତରେଇ, ଶ୍ରୀକାନ୍ତ ତରେଇ, ସୁନି ତରେଇ, ଗିରିଧାରୀ ସୁତାର, ହେମନ୍ତ ତରେଇ ପ୍ରମୁଖ ଗାଁ ଲୋକମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.