Home ଓଡ଼ିଶା ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟୁହରେ ବିଜେଡି : ଆଇନ୍‌ମନ୍ତ୍ରୀଙ୍କ ୩ ଦିନର ଉଦ୍ୟମରୁ ସାମୟିକ ଆଶ୍ୱସ୍ତ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟୁହରେ ବିଜେଡି : ଆଇନ୍‌ମନ୍ତ୍ରୀଙ୍କ ୩ ଦିନର ଉଦ୍ୟମରୁ ସାମୟିକ ଆଶ୍ୱସ୍ତ ଅସନ୍ତୁଷ୍ଟ

94

ବାଲେଶ୍ୱର, ୨୩ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି। ଗତ ସାଧାରଣ ନିର୍ବାଚନରେ ବିଜେପି ଦଖଲକୁ ଚାଲି ଯାଇଥିବା ଏହି ଆସନକୁ ଫେରାଇ ଆଣିବା ପାଇଁ ଜିଲ୍ଲା ବାହାର ପ୍ରାର୍ଥୀଙ୍କୁ ରଣାଙ୍ଗନରେ ଅବତୀର୍ଣ୍ଣ କରିବାକୁ ରାଜ୍ୟସ୍ତରୀୟ ନେତାଙ୍କ ଉଦ୍ୟମକୁ ଏବେ କର୍ମୀ ମହଲରେ ତୀବ୍ର ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଗତ ୩ ଦିନ ଧରି ବାଲେଶ୍ୱରରେ ଡେରା ପକାଇବା ପରେ ଆଜି ଗୋଷ୍ଠୀ କନ୍ଦଳ ଚରମ ସ୍ଥିତିରେ ପହଞ୍ଚିଥିବା ଲକ୍ଷ୍ୟ କରାଯାଇଥିଲା। ସର୍କିଟ ହାଉସରେ ମନ୍ତ୍ରୀ ଶ୍ରୀ ଜେନା ଦଳୀୟ କର୍ମକର୍ତ୍ତା, ଜିଲ୍ଲା ସ୍ତରୀୟ ନେତା ଓ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରୁଥିବା ବେଳେ ଶତାଧିକ କର୍ମୀ ତାଙ୍କୁ ଘେରିଯାଇଥିଲେ। ଜିଲ୍ଲାରେ ଟାଣୁଆ ନେତା ଥିବା ବେଳେ ବାହାରୁ ଆଣି ପ୍ରାର୍ଥୀ ଛିଡ଼ା କରାଇବା କେତେଦୂର ସମୀଚୀନ ବୋଲି କେତେକ କର୍ମୀ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ପ୍ରଶ୍ନ କରିଥିଲେ। ଜିଲ୍ଲା ବିଜେଡିର ଏକମାତ୍ର ନେତା ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ଚଳିତ ଉପ-ନିର୍ବାଚନରେ ପ୍ରାର୍ଥୀ କରାଇବା ପାଇଁ ସେମାନେ ଅଡ଼ି ବସିଥିଲେ। ତେବେ ଚଳିତ ଉପ-ନିର୍ବାଚନରେ ବାଲେଶ୍ୱର ସଦର ଆସନ ପାଇଁ ଅଦ୍ୟାବଧି ପ୍ରାର୍ଥୀ ଚୟନ ହୋଇ ନଥିବା ବେଳେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ହିଁ ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କର୍ମୀମାନଙ୍କୁ କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ଅନ୍ୟାନ୍ୟ ବିଧାୟକଙ୍କ ସମେତ ପୂର୍ବତନ ବିଧାୟକ ଅରୁଣ ଦେଙ୍କ ସହ ବି ପୃଥକ ପୃଥକ ଆଲୋଚନା କରିଥିଲେ। ଆଲୋଚନା ପରେ ସଦର ଆସନ ପାଇଁ ଦାବିଦାର ଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସ୍ୱରରେ ପରିବର୍ତ୍ତନ ଆସିଥିଲା। ଚଳିତ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ବିଧାୟକ ଓ ଲୋକ ପ୍ରତିନିଧିଙ୍କୁ ମନ୍ତ୍ରୀ ଶ୍ରୀ ଜେନା ଦାୟିତ୍ୱ ବଣ୍ଟନ କରିଥିବା ବେଳେ ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କୁ କୌଣସି ଦାୟିତ୍ୱ ଦେଇ ନଥିବା ଜଣାପଡ଼ିଛି। ଏହା ସତ୍ତ୍ୱେ ପ୍ରାର୍ଥିତ୍ୱକୁ ନେଇ ତାଙ୍କର କୌଣସି ଆବିଳତା ନଥିବା ପୂର୍ବତନ ସାଂସଦ ଶ୍ରୀ ଜେନା ସାମ୍ବାଦିକଙ୍କ ପ୍ରଶ୍ନରେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନି ଦଳର ସଫଳତା ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ତେବେ ଏହି ନିର୍ବାଚନରେ ସଦର ନିର୍ବାଚନମଣ୍ଡଳୀର ବିଜେଡି ନେତା ଭାବେ ଦାୟିତ୍ୱ ପାଇବା ପରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବେଶ ପ୍ରଫୁଲ୍ଲ ଥିବା ଲକ୍ଷ୍ୟ କରାଯାଇଛି। ୩ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ବିଜେଡିର ଦଳୀୟ କନ୍ଦଳକୁ ଏଡ଼େଇବା ଓ ଜିଲ୍ଲାସ୍ତରୀୟ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷାରେ ମନ୍ତ୍ରୀ ଶ୍ରୀ ଜେନା ଏକ ପ୍ରକାର ସଫଳ ହୋଇଥିବା ବେଶ ସ୍ପଷ୍ଟ ହୋଇଛି। ପୃଥକ ପୃଥକ ନିଭୃତ ଆଲୋଚନା ବେଳେ ଦୁଇ ଆଶାୟୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଉତ୍ତେଜନାମୂଳକ ପରିସ୍ଥିତିକୁ ମନ୍ତ୍ରୀ ଶ୍ରୀ ଜେନା ଆୟତ୍ତ କରିପାରିଥିବା କୁହାଯାଉଛି। ତେବେ ସାମୟିକ ଭାବେ ଚାପି ହୋଇ ରହିଥିବା ଏହି ଅସନ୍ତୋଷ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜନୀତି ସମୀକ୍ଷକଙ୍କ ମହଲରୁ ଶୁଣିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.