Home ଓଡ଼ିଶା ଉତକ୍ଷେପଣର ୮ ମିନିଟ ପରେ ବୈଷୟିକ ତ୍ରୁଟି ଯୋଗୁଁ ‘ନିର୍ଭୟ’ କୁ ଆକାଶରେ ନଷ୍ଟ କରାଗଲା

ଉତକ୍ଷେପଣର ୮ ମିନିଟ ପରେ ବୈଷୟିକ ତ୍ରୁଟି ଯୋଗୁଁ ‘ନିର୍ଭୟ’ କୁ ଆକାଶରେ ନଷ୍ଟ କରାଗଲା

97

ବାଲେଶ୍ୱର, ୧୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ନିର୍ଭୟ କ୍ରୁଜ ମିଶାଇଲ ଆଜି ପରୀକ୍ଷା ବେଳେ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଭଦ୍ରକ ଜିଲା ଅବଦୁଲ କଲାମ ଦୀପ ଆଇଟିଆରର ୪ନମ୍ବର ଲଞ୍ଚ ପେଡ୍‌ରୁ ସକାଳ ୧୦.୩୦ ମନିଟ ସମୟରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। ତେବେ ଉତକ୍ଷେପଣର ୮ ମିନିଟ ପରେ ଏହାର ବୈଷୟିକ ତ୍ରୁଟି ଦେଖା ଦେବାରୁ ଏହାକୁ ଆକାଶରେ ହିଁ ନଷ୍ଟ କରାଯାଇଛି। ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିଲୋମିଟର ରହିଛି। ବିଗତ ୩୫ ଦିନ ଭିତରେ ନିର୍ଭୟ ହେଉଛି ଦଶମ କ୍ଷେପଣାସ୍ତ୍ର ପରୀକ୍ଷା। ଚାଇନାର ଯୁଦ୍ଧଖୋର ମନୋବୃତ୍ତିକୁ ଦେଖି ପ୍ରତି ଚାରି ଦିନରେ ଗୋଟିଏ ଲେଖାଏ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଛି। ନିର୍ଭୟ ହେଉଛି ସବ ସୋନିକ କ୍ଷେପଣାସ୍ତ୍ର, ଯାହା ୦.୭ ମାକ ଗତିରେ ଯାଇ ଲକ୍ଷ୍ୟଭେଦ କରିପାରେ। ଏହି ବ୍ୟବହାରିକ ପରୀକ୍ଷଣ ବିଫଳ ହେବା ବୈଜ୍ଞାନିକମାନଙ୍କ ମଧ୍ୟରେ ଚିନ୍ତା ଉଦ୍ରେକ କରିଥିଲା ବେଳେ ଖୁବ ଶୀଘ୍ର ଏହାର ପୁନଃ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରାୟ ୧୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ନିର୍ଭୟର ଲମ୍ବ ୬ ମିଟର (୨୦ଫୁଟ), ମୋଟେଇ .୫୨ ମିଟର (୧.୭ ଫୁଟ)। ଏହା ୨୦୦ରୁ ୩୦୦ କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଶେଷଥର ପାଇଁ ଏହା ୨୦୧୯ ମସିହା ଏପ୍ରିଲ ୧୫ ତାରିଖରେ ପରୀକ୍ଷା କରାଯାଇଥିଲା। ଏହା ଥିଲା ନିର୍ଭୟର ଷଷ୍ଠ ବ୍ୟବହାରିକ ପରୀକ୍ଷଣ ଓ ଏହା ସଫଳ ମଧ୍ୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.